ପୁରୀରେ ଉଚ୍ଛେଦ ବେଳେ ଦୁର୍ଘଟଣା: ଭଙ୍ଗା ଅଂଶ ଛିଟିକି ଜେସିବି ଚାଳକ ଆହତ

ପୁରୀ ଅଫିସ, ୧୯ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଚାଲିଛି ଉଚ୍ଛେଦ ଅଭିଯାନ। ଯେଉଁମାନେ ଜମି ବିକ୍ରି କରିସାରିଛନ୍ତି ସେମାନଙ୍କ ଘର ଭଙ୍ଗାଯାଉଛି। ଶନିବାର କାକୁଡ଼ିଖାଇ ଛକରେ ଉଚ୍ଛେଦ କରାଯାଉଥିବା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ଆହତ ହୋଇଛନ୍ତି ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ଜେସିବି ଚାଳକ କଟକ ନିଆଳିର ଲକ୍ଷ୍ମୀଧର ମୁଦୁଲି। ଏକ ଭଙ୍ଗା ଅଂଶ ଛିଟିକି ଗାଡ଼ିି କାଚ ଭାଙ୍ଗି ଲକ୍ଷ୍ମୀଧରଙ୍କ ଗୋଡ଼ରେ ବାଜିଥିଲା। ଫଳରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସକାଳେ ୨ ପ୍ଲାଟୁନ ପୋଲିସ ଫୋର୍ସ କାକୁଡ଼ିିଖାଇ ଛକରେ ପହଞ୍ଚତ୍ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଉଚ୍ଛେଦ ସ୍ଥଳ ସଂଲଗ୍ନ ରାସ୍ତାକୁ ବ୍ୟାରିକେଡିଂ କରି ଦେଇଥିଲେ। ଏହାପରେ ଭଙ୍ଗା ଆରମ୍ଭ ହୋଇଥିଲା। ୨ ଘରୋଇ ପ୍ଲଟର କୋଠା ଭଙ୍ଗା ଯାଉଥିଲା। ଏହି ଉଚ୍ଛେଦରେ ନିୟୋଜିତ ଜେସିବି ମଧ୍ୟରୁ ଗୋଟିଏ ଜେସିବି ଚଳାଉଥିଲେ ଲକ୍ଷ୍ମୀଧର। ଅପରାହ୍ନ ପ୍ରାୟ ୧ଟାରେ ଖଣ୍ଡିଏ ଭଙ୍ଗା ଅଂଶ ଛିଟିକି ଜେସିବି କାଚ ଭାଙ୍ଗି ତାଙ୍କ ଡାହାଣ ଗୋଡ଼ରେ ବାଜିଥିଲା। ଫଳରେ ଆଣ୍ଠୁ ପାଖରେ କ୍ଷତ ହୋଇ ରକ୍ତ ବାହାରିଥିଲା। ସଙ୍ଗେ ସଙ୍ଗେ ପ୍ରଶାସନ ପକ୍ଷରୁ ତାଙ୍କୁ ଜିଲା ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଆବଶ୍ୟକ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, କାକୁଡ଼ିଖାଇ ଛକ ନିକଟରେ ଉଚ୍ଛେଦ କାର୍ଯ୍ୟ ଚାଲିଥିଲା। ଉଚ୍ଛେଦ ସମୟରେ ଖଣ୍ଡେ ଭଗ୍ନାବଶେଷ ଛିଟିକି ଆସି ଜେସିବି ଚାଳକଙ୍କ ଗୋଡ଼ରେ ବାଜିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ଉଚ୍ଛେଦ ସମୟରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଯେହେତୁ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ କାର୍ଯ୍ୟ ଚାଲୁଛି ତେଣୁ ଭକ୍ତମାନେ ଯେପରି ସୁବିଧାରେ ଯା’ଆସ କରିପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।