Categories: ଖେଳ

ପୁରସ୍କାର ରାଶିକୁ ନେଇ ମୁହଁ ଖୋଲିଲେ ମନୋଜ ତିଓ୍ବାରୀ

କୋଲକାତା, ୧୯।୬- ଭାରତୀୟ ଘରୋଇ କ୍ରିକେଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ରଣ୍‌ଜୀ ଟ୍ରଫିର ଗତ ସିଜନରେ ବେଙ୍ଗଲ ଦଳ ରନର୍ସଅପ୍‌ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିକଟରୁ ରନର୍ସଅପ୍‌ ବାବଦକୁ ପାଇବାକୁ ଥିବା ଏକ କୋଟି ଟଙ୍କା ପୁରସ୍କାର ରାଶି ମିଳି ନ ଥିବାରୁ ବେଙ୍ଗଲର ବରିଷ୍ଠ ଖେଳାଳି ମନୋଜ ତିଓ୍ବାରୀ ଅସନ୍ତୋଷ ଜାହିର କରିଛନ୍ତି। ଗୁରୁବାର ବେଙ୍ଗଲ ଖେଳାଳି ଓ ଷ୍ଟାଫ୍‌ଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କୋଚ୍‌ ଅରୁଣ ଲାଲ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ବୈଠକରେ ମନୋଜ କ୍ରିକେଟ୍‌ ପରିଚାଳନା ମ୍ୟାନେଜର ଜୟଦୀପ ମୁଖାର୍ଜୀଙ୍କୁ ଏନେଇ ପ୍ରଶ୍ନ କରିଥିବା ଜଣାପଡ଼ିଛି। ଆଗାମୀ ଏକ ସପ୍ତାହ ମଧ୍ୟରେ ରଣ୍‌ଜୀ ଟ୍ରଫି ରନର୍ସଅପ୍‌ ବାବଦକୁ ଏକ କୋଟି ଟଙ୍କା ପୁରସ୍କାର ରାଶି ମିଳିଯିବ ବୋଲି ବେଙ୍ଗଲ କ୍ରିକେଟ୍‌ ଆସୋସିଏଶନ (ସିଏବି) ଖେଳାଳିଙ୍କୁ ଆଶ୍ୱସନା ଦିଆଯାଇଛି। ସିଏବିର ଅଧ୍ୟକ୍ଷ ଅଭିଷେକ ଡାଲମିୟା କହିଛନ୍ତି, ଆସୋସିଏଶନ ଏହା ଉପରେ ନଜର ରଖିଛି ଏବଂ ସମସ୍ତ ପ୍ରକ୍ରିୟା ଶେଷ ହେବା ଉପରେ ରହିଛି। ଅଧିକାରୀମାନେ ଏନେଇ ଅତିରିକ୍ତ କାମ କରୁଛନ୍ତି। କିଛି ତଥ୍ୟ ଓ ଅଡିଟ୍‌ ପ୍ରକ୍ରିୟା ବାକି ରହିଛି। ଆଗାମୀ ଦିନେ ଦୁଇଦିନ ମଧ୍ୟରେ ବିସିସିଆଇ ନିକଟକୁ ସମସ୍ତ ତଥ୍ୟ ପଠାଇ ଦିଆଯିବ। କରୋନା ମହାମାରୀ ଭଳି ଏକ ସଙ୍କଟଜନକ ସମୟରେ ଖେଳାଳି, ସପୋର୍ଟ ଷ୍ଟାଫ୍‌, ମ୍ୟାଚ୍‌ ଅଫିସିଆଲଙ୍କ ବକେୟା ପାଉଣା କ୍ଲିୟର କରିବା ଆମର ପ୍ରାଥମିକତା ବୋଲି ଡାଲମିୟା କହିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ, ଗତ ସିଜନରେ ରଣ୍‌ଜୀ ଟ୍ରଫି ଚାମ୍ପିୟନ ହୋଇଥିବା ସୌରାଷ୍ଟ୍ରକୁ ଗତ ବୁଧବାର ପୁରସ୍କାର ରାଶି ବାବଦକୁ ୨ କୋଟି ଟଙ୍କା ବିସିସିଆଇ ପକ୍ଷରୁ ମିଳିସାରିଛି।

Share