Categories: ଖେଳ

ପୁନେକୁ ଶୀର୍ଷକୁ ନେଲେ ସାଧବୀ

ଭୁବନେଶ୍ୱର, ୨୬।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୫ମ ଦିବସ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ସାବିତ୍ରୀବାଇ ଫୁଲେ ପୁନେ ବିଶ୍ୱବିଦ୍ୟାଳୟ ୭ ସ୍ବର୍ଣ୍ଣ, ୨ ରୌପ୍ୟ ଓ ୫ ବ୍ରୋଞ୍ଜ ସହ ମୋଟ୍‌ ୧୪ ପଦକ ଜିତି ଟେବୁଲ ତାଲିକାର ଶୀର୍ଷ ସ୍ଥାନ ଅଧିକାର କରିଛି। ସନ୍ତରଣକାରୀ ସାଧବୀ ଧୁରୀ ୨ଟି ସ୍ବର୍ଣ୍ଣ ପଦକ ଜିତି ପୁନେ ବିଶ୍ୱ ବିଦ୍ୟାଳୟକୁ ପଦକ ଟେବୁଲ ଶୀର୍ଷକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ୧୯ ବର୍ଷୀୟା ସାଧବୀ ମହିଳା ୨୦୦ ମିଟର ଫ୍ରିଷ୍ଟାଇଲ୍‌ ଓ ୧୦୦ ମିଟର ବଟରଫ୍ଲାଏରେ ଏହି ସଫଳତା ପାଇଛନ୍ତି। ୨୦୦ ମିଟର ଫ୍ରିଷ୍ଟାଇଲକୁ ସାଧବୀ ୨ ମିନିଟ୍‌ ୧୪.୯୯ ସେକେଣ୍ଟ ସମୟ ନେଇ ପୋଡିୟମ ଶୀର୍ଷ ସ୍ଥାନ ହାସଲ କରିଥିଲେ। ସେହିଭଳି ୧୦୦ ମିଟର ବଟରଫ୍ଲାଏକୁ ସାଧବୀ ୧:୦୭.୩୬ ସେକେଣ୍ଡରେ ଫିନିଶ କରି ସ୍ବର୍ଣ୍ଣ ପଦକ ଜିତିଥିଲେ।
ପଞ୍ଜାବ ବିଶ୍ୱବିଦ୍ୟାଳୟ (ଚଣ୍ଡିଗଡ଼) ୧୮ ପଦକ (୬ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୫ ବ୍ରୋଞ୍ଜ) ସହ ଟେବୁଲର ୨ୟ ସ୍ଥାନରେ ରହିଥିବାବେଳେ ଜୈନ (୧୨ ପଦକ, ୬ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୧ ବ୍ରୋଞ୍ଜ) ୩ୟରେ ରହିଛି।

Share