ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ: ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୪୪କୁ ବୃଦ୍ଧି

ଭୁବନେଶ୍ୱର,୯।୪(ବ୍ୟୁରୋ): ରାଜ୍ୟରେ ପୁଣି ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଗୁରୁବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଢେଙ୍କାନାଳର ଜଣେ ୫୧ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦ୍ୱିତୀୟ ଆକ୍ରାନ୍ତ ଜଣଙ୍କ ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳର ଜଣେ ୬୯ ବର୍ଷୀୟ ବ୍ୟକ୍ତି। ଦ୍ୱିତୀୟ ଆକ୍ରାନ୍ତ ମେଦିନିପୁରରୁ ଆସି ଭୁବନେଶ୍ୱର ଘରୋଇ କ୍ଲିନିକ୍‌ରେ ଚିକିତ୍ସାଧୀନ ଥିଲେ। ନୂଆ ୨ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ସେହିଭଳି ଭୁବନେଶ୍ୱରରେ ୩୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ପ୍ରଥମ ଥର ପାଇଁ ଢେଙ୍କାନାଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।