ପୁଣି ଅଡ଼ୁଆରେ ପ୍ରଶାସନ, ଏମାର ମଠ ଛାଡ଼ିବାକୁ ମହନ୍ତ ଅରାଜି

ପୁରୀ ଅଫିସ,୩୧।୮: ବହୁ ଚର୍ଚ୍ଚିତ ଏମାର ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ପ୍ରାଥମିକ ପର୍ଯ୍ୟାୟରେ ମଠର କୋଠିଘର, ଲାଇବ୍ରେରୀ, ଦୋକାନ ଘର ଉଚ୍ଛେଦ କରାଯାଇଥିବା ବେଳେ ଶନିବାର ଚତୁର୍ଥ ଦିନରେ ମଠ କୋଠାରେ ଚାଲିଥିବା ଅଳଙ୍କାର ଦୋକାନ ଉଚ୍ଛେଦ ଆରମ୍ଭ ହୋଇଛି। ତେବେ ଦିନକୁ ଦିନ ମଠ ମହନ୍ତଙ୍କୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି। ମହନ୍ତ ରାଜଗୋପାଳ ରାମାନୁଜ ଦାସ ମଠ ଛାଡ଼ିବେ ନାହିଁ ଶନିବାର ଗଣମାଧ୍ୟମକୁ ସୂଚନା ଦେବା ପରେ ପୁଣି ଅଡ଼ୁଆରେ ପଡ଼ିଯାଇଛି ପ୍ରଶାସନ। ଏକାଧିକ ଥର ମହନ୍ତଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଥିଲେ ମଧ୍ୟ ତାଙ୍କୁ ଏକପ୍ରକାର ମନାଇବାରେ ବିଫଳ ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ତେବେ ପ୍ରଶାସନ ଦିନରେ ବିଦ୍ୟୁତ୍‌ ସଂଯୋଗ ବନ୍ଦ କରୁଥିବାରୁ ତାଙ୍କୁ ଚଳିବାରେ ଅସୁବିଧା ହେଉଥିବା ମହନ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି।

ପ୍ରକାଶଯୋଗ୍ୟ, ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ମହନ୍ତ ବାହାରକୁ ନ ଆସିବା ଏବଂ କାହାରିକୁ ସାକ୍ଷାତ କରୁନାହାନ୍ତି। ଏହାକୁ ନେଇ ସମସ୍ତଙ୍କର ଉତ୍କଣ୍ଠା ବଢ଼ୁଛି।