ପିଣ୍ଡି ଏକ ଦୁର୍ଗ ସଦୃଶ ରହିଥିଲା

ଖୋର୍ଦ୍ଧା ଅଫିସ,୩୦।୪: ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ଅସ୍ମିତା, ଏ ମାଟିର ଗର୍ବ ଓ ଗୌରବ। ଭାରତ ସ୍ବାଧୀନତା ସଂଗ୍ରାମରେ ପାଇକ ବିଦ୍ରୋହ ଇତିହାସର ସ୍ବର୍ଣ୍ଣାକ୍ଷାରରେ ଲିପିବଦ୍ଧ ହୋଇ ରହିଛି। ଏହି ଐତିହାସିକ ସଂଗ୍ରାମ ପଛର ମହାନାୟକଙ୍କୁ ସମ୍ମାନ ଉଦ୍ଦେଶ୍ୟରେ ୧୯୯୯ ମସିହାରେ ଗଡ଼ଖୋର୍ଦ୍ଧା ଛକରେ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିି ସ୍ଥାପନ କରାଯାଇଥିଲା। ସେହି ସମୟରେ ଏହି ପ୍ରତିମୂର୍ତ୍ତି ଏବଂ ପିଣ୍ଡି ନକ୍ସା ପ୍ରସ୍ତୁତ କରିଥିଲେ ଚିତ୍ରଶିଳ୍ପୀ ସରୋଜ ଭଞ୍ଜ। ଭୁବନେଶ୍ୱର ଖଣ୍ଡଗିରି କୋଳଥିଆ ଛକରେ ରୁହନ୍ତି ସରୋଜ। ଶନିବାର ଗଡ଼ଖୋର୍ଦ୍ଧା ଛକରୁ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ବେଳେ ଉପସ୍ଥିତ ଥିଲେ ସରୋଜ। ସେ ଅଭୁଲା ସ୍ମୃତିକୁ ସାଉଁଟିଥିଲେ। ଏନେଇ ସରୋଜ କୁହନ୍ତି, ତତ୍କାଳୀନ ଖୋର୍ଦ୍ଧା ବିଧାୟକ ଦିଲୀପ ଶ୍ରୀଚନ୍ଦନଙ୍କ ପରାମର୍ଶକ୍ରମେ ଏହି ପ୍ରତିମୂର୍ତ୍ତିର ନକ୍ସା, ଡାଏଗ୍ରାମ ପ୍ରସ୍ତୁତ କରିଥିଲି। ଏହାକୁ ସମ୍ପୂର୍ଣ୍ଣ ରୂପ ଦେବାକୁ ୬ ମାସ ଲାଗିଥିଲା। ଯେପରି ମୂର୍ତ୍ତି ନିର୍ମାଣରେ କୌଣସି ଭୁଲ ରହି ନ ଯାଏ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦେଇଥିଲି। ସେହି ସମୟରେ ଓଡ଼ିଶା ଓ ଖୋର୍ଦ୍ଧା ଇତିହାସ ଉପରେ ଗବେଷଣା କରୁଥିବା ବହୁ ଗବେଷକଙ୍କ ସହ ଆଲୋଚନା କରାଯାଇଛି। ବହୁ ଘାତପ୍ରତିଘାତ ପରେ ସମସ୍ତ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତିର ଶେଷ ସ୍ପର୍ଶ ଦେଇଥିଲି। ଏହି ପ୍ରତିମୂର୍ତ୍ତି ସ୍ଥାପନ ଲାଗି ଗଡ଼ଖୋର୍ଦ୍ଧା ଛକରେ ୮ ଫୁଟର ପିଣ୍ଡି ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ମାଟିରେ ପୋତି ହୋଇଯାଇଛି। ପଞ୍ଚ ପାଇକ ବସିଥିବା ପିଣ୍ଡି ଦେଖିବାକୁ ଏକ ଦୁର୍ଗ ସଦୃଶ। ମଝିରେ ବକ୍ସିଙ୍କ ପ୍ରତିମୂର୍ତ୍ତିି ତଳେ ଲାଗିଥିବା ସ୍ମାରକୀ ଫଳକ ଦୁର୍ଗ ଗମ୍ବୁଜ ଆକାର ରହିଛି। ଦୂରରୁ ଦେଖିଲେ ଯେପରି ଏକ ଦୁର୍ଗ ଉପରେ ପଞ୍ଚ ପାଇକ ବସିଛନ୍ତି, ସେପରି ପ୍ରତୀୟମାନ ହେବ। ଏହି ପିଣ୍ଡି ସେ ସମୟରେ ନରଣଗଡ଼ର ଖଣ୍ଡେଲାଇଟ ପଥରରେ ନିର୍ମାଣ କରାଯାଇଥିଲା।
ସେହିପରି ପଲ୍ଲା ଛକରେ ବକ୍ସିଙ୍କ ଘୋଡ଼ା ଉପରେ ଯୋଦ୍ଧା ବେଶରେ ଆକ୍ରମଣାତ୍ମକ ଭଙ୍ଗିରେ ନିର୍ମାଣ କରାଯାଇଛି। ଘୋଡ଼ା ପ୍ରାୟ ୪ ଫୁଟ ଏବଂ ସମ୍ପୂର୍ଣ୍ଣ ମୂର୍ତ୍ତି ୧୦ଫୁଟ ହେବ। ଘୋଡ଼ା ଉପରେ ବକ୍ସି ଜଂଘ ପାଖରେ ବେଙ୍ଗପାଟିଆ ବେଲ୍ଟ, ବାଜୁ ବନ୍ଧ, ଫେରିକଛା, ନାଗର ଜୋତା, ଛାତିରେ ସାଞ୍ଜୁ, ଗୋଟିଏ ପାର୍ଶ୍ୱରେ ଧାରୁଆ ଖଣ୍ଡା ଏବଂ ଅନ୍ୟ ପାର୍ଶ୍ୱରେ ଯୁଦ୍ଧକୁ ଯିବା ବେଳେ ଭାଲାକୁ ହାତରେ ଧରିଥିବା ଅବସ୍ଥାରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଏହାକୁ ନିକଟରୁ ଅନୁଧ୍ୟାନ କଲେ, ବକ୍ସି ଯୋଦ୍ଧା ବେଶରେ ରହିଛନ୍ତି। ୨୦୦୬ରେ ଦିଲ୍ଲୀ ସଂସଦ ଭବନରେ ବକ୍ସିଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସୁଯୋଗ ମିଳିଥିଲା। ଏହାର ସମ୍ପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରିଥିଲି। ତେବେ ପରବର୍ତ୍ତୀ ସମୟରେ ସମ୍ଭବ ହୋଇପାରି ନ ଥିଲା ବୋଲି ସରୋଜ କହିଛନ୍ତି।