Categories: ଖେଳ

ପିଟର କ୍ରାଉଚ୍‌ଙ୍କ ଅବସର

ଲଣ୍ଡନ,୧୩।୭(ଏଏଫ୍‌ପି)- ଇଂଲଣ୍ଡ ପୂର୍ବତନ ଷ୍ଟ୍ରାଇକର ପିଟର କ୍ରାଉଚ୍‌ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଦୁଇ ଦଶନ୍ଧି ଧରି ସଫଳତାର ସହ ପେସାଦାର ଫୁଟବଲ ଖେଳିବାପରେ ସେ ୩୮ ବର୍ଷରେ ଅବସର ନେଇଛନ୍ତି। ୨୦୦୫ ମେ’ରେ କ୍ରାଉଚ୍‌ କଲମ୍ବିଆ ବିପକ୍ଷରେ ଇଂଲଣ୍ଡ ପାଇଁ ପଦାର୍ପଣ କରିଥିଲେ। ସେ ୪୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ମୋଟ ଉପରେ ୨୨ଟି ଗୋଲ ସ୍କୋର କରିଥିଲେ। ୬ ଫୁଟ୍‌ ୭ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ କ୍ରାଉଚ୍‌ ଟୁଇଟ୍‌ କରି ଅବସର ସମ୍ପର୍କରେ ସୂଚନା ଦେଇଥିଲେ। ଭାବିଚିନ୍ତି ଅବସର ନେବାକୁ ନିଷ୍ପତ୍ତି ନେଇଥିଲି। ଫୁଟବଲ ମୋତେ ସବୁକିଛି ଦେଇଛି। ଫୁଟବଲ ଖେଳିବା ଓ ଏଥିରେ ଜଡିତା ରହିବା ପାଇଁ ମୋତେ ସାହାଯ୍ୟ କରିଥିବା ସବୁ ବନ୍ଧୁ ପରିଜନଙ୍କୁ କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି। ପେସାଦାର କ୍ୟାରିୟରରେ କ୍ରାଉଚ୍‌ ୧୧ଟି କ୍ଳବ ପାଇଁ ଖେଳିଛନ୍ତି। ଲିଭରପୁଲ ସହିତ ଖେଳି ସେ ଫା କପ୍‌ ଜିତିଛନ୍ତି। ୨୦୦୭ରେ ଲିଭରପୁଲ୍‌କୁ ଚାମ୍ପିୟନ୍ସ ଲିଗ୍‌ ଫାଇନାଲରେ ପହଞ୍ଚାଇବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା। ୪୬୮ଟି ପ୍ରିମିୟର ଲିଗ୍‌ ମ୍ୟାଚ୍‌ ଖେଳି ସେ ୧୦୮ଟି ଗୋଲ ସ୍କୋର କରିଛନ୍ତି। ୪୦ ବର୍ଷ ପର୍ଯ୍ୟନ୍ତ ଖେଳିବାକୁ ଚିନ୍ତା କରୁଥିଲି। ତେବେ ଶେଷରେ ଯୋଜନା ବଦଳି ଗଲା। କ୍ରାଉଚ୍‌ଙ୍କୁ ପୂର୍ବତନ ତଥା ଏବେକାର ଫୁଟବଲରମାନେ ଶୁଭେଚ୍ଛା ଜଣାଇଛନ୍ତି।

Share