ପିଆଜ, ପନିପରିବା ଦର ଆକାଶଛୁଆଁ

ଭୁବନେଶ୍ୱର,୬-୧୧(ବ୍ୟୁରୋ):ଆକାଶ ଛୁଆଁ ପିଆଜ ଦର ଖାଉଟିଙ୍କୁ କନ୍ଦାଇଲାଣି। ଗୋଦାମରେ ହୋଲସେଲ ଦର ୬୦ ଟଙ୍କା ହୋଇଥିବା ବେଳେ ଖୁଚୁରା ବଜାରରେ ୬୫କୁ ଟପିଲାଣି। ଏହି ଦର ଆହୁରି ଆଗକୁ ବଢିବ । ଗରିବ ଲୋକମାନଙ୍କର ମୁଖ୍ୟ ଆହାର ପିଆଜ ଏବେ ଚିନ୍ତା ବଢାଇ ଦେଇଛି । କିଲେ ଦି କିଲୋ କିଣୁଥିବା ଲୋକମାନେ ଏବେ ଅଢେଇଶରେ କାମ ଚଳାଉଛନ୍ତି। ଗତ ଦୁଇ ସପ୍ତାହରେ ପିଆଜ ଦର ୪୫ରୁ ଟଙ୍କା ଥିବା ବେଳେ ହଠାତ କେ.ଜି ପିଛା ୧୫ ଟଙ୍କା ବୃଦ୍ଧି ହେବା ଜନସାଧାରଣଙ୍କୁ ଅତିଷ୍ଠ କରିଛି। ମହାରାଷ୍ଟ୍ର, କର୍ନାଟକ ଓ ଆନ୍ଧ୍ର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ପିଆଜ ଦର ବୃଦ୍ଧି ଘଟିଛି। କିଲୋ ପିଛା ଆହୁରି ୫ରୁ ୬ ଟଙ୍କା ବୃଦ୍ଧି ପାଇବ। ରିହାତି ଦରରେ ପିଆଜ ଯୋଗାଇବାକୁ ସରକାର ଚିନ୍ତା କରୁଛନ୍ତି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ତେବେ ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
କେବଳ ପିଆଜ ନୁହେଁ ପନି ପରିବା ଦର ବୃଦ୍ଧି ମଧ୍ୟ ଲୋକମାନଙ୍କୁ ଆହୁରି କଷ୍ଟ ଦେଇଛି। କାର୍ତ୍ତିକ ମାସରେ ପରିବାର ଦର ଏକ ପ୍ରକାର ଆକାଶ ଛୁଆଁ ହୋଇଛି। ପୋଟଳ, ବାଇଗଣ, ବିନ, ଝୁଡଙ୍ଗ, କଲରା, ଟମାଟୋ, ଗାଜର ଆଦି ପରିବା ଦର ୫୦ ଟଙ୍କା ଉପରେ ରହିଛି। ଡାଲି ଦର ମଧ୍ୟ ବୃଦ୍ଧି ଘଟିଛି। ଆଳୁ ପିଆଜ ଠାରୁ ଆରମ୍ଭ କରି ପନିପରିବା ଓ ଡାଲି ଦର ବୃଦ୍ଧି ସାଧାରଣ ଲୋକଙ୍କୁ ଅଣନିଃଶ୍ୱାସୀ କରିଛି। ତେବେ ବଜାରକୁ ନିୟନ୍ତ୍ରଣ କରିବା କିମ୍ବା ଅଭାବ ପୂରଣ କରିବା ପାଇଁ ସରକାରଙ୍କ ପାଖରେ କିଛି ବିକଳ୍ପ ନାହିଁ। ଖାଉଟିମାନଙ୍କୁ ଦର କମିବା ଯାଏ ଅପେକ୍ଷା କରିବା ଛଡା ଅନ୍ୟ ଉପାୟ ନାହିଁ।