ପାତିବା ନାହିଁ ହାତ

ଶ୍ରୀ ସନ୍ନ୍ୟାସୀ

ଚାରିଆଡ଼େ ମରୁଡ଼ି। ସବୁଠି ହା ଅନ୍ନ ଚିତ୍କାର। ଗାଁଟିର ନାଁ ହେଉଛି ସିରେଇ। ସେଇଠି ଖୋଲା ହୋଇଛି ରିଲିଫ୍‌ କେନ୍ଦ୍ର। ଦାସେ ଆପଣେ ନିଜେ ଉପସ୍ଥିତ ରହି ଚୁଡା ଚାଉଳ ବାଣ୍ଟୁଛନ୍ତି। ଅନ୍ୟ ଗାଁର ଯୁବକ ବେଣୁଧର; ଏକଦା ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର ଥିଲା ସେ। ମରୁଡ଼ିର ପ୍ରକୋପରେ ତା’ ପରିବାର ବି ବାଦ୍‌ ଯାଇନି। ବେଣୁଧର ଗଲା ଦୁଇଦିନ ହେଲା ରିଲିଫ୍‌ କେନ୍ଦ୍ରକୁ ଯାଉଛି। କିଛି ଦୂରରେ ବସୁଛି। ଭାବ ରାଇଜରେ ତୀବ୍ର ଆଲୋଡ଼ନ। ମନ ଆଉ ବିବେକ ମଧ୍ୟରେ ସଂଘାତ। ଶେଷକୁ ଖାଲି ହାତରେ ଫେରୁଛି।
ତୃତୀୟ ଦିନ ନଜର ପଡିଗଲା ଦାସେ ଆପଣେଙ୍କର। ପଚାରିଲେ କ’ଣ ରିଲିଫ୍‌ ନେଲଣି? ଉତ୍ତର- ନା। ନେବ?। ନା। ଆପଣଙ୍କ ଘରେ ବୋଧହୁଏ ଖାଇବାକୁ ଅଛି? ନା, କିଛି ବି ନାହିଁ। ତିନିଦିନ ହେଲା ପୂରା ପରିବାର ଉପାସ। ଦାସେ ବିସ୍ମିତ ହେଲେ, ପଚାରିଲେ- ତେବେ କ’ଣ ପାଇଁ ରିଲିଫ୍‌ ନେବ ନାହିଁ ଭାଇ?
ଦାସେ ଆପଣେଙ୍କ ଗୋଡ଼ତଳେ ପଡିଯାଇ ବେଣୁଧର କଇଁକଇଁ ହୋଇ କାନ୍ଦି ଉଠି କହିଲା- ବନବିଦ୍ୟାଳୟର ଦୈନିକ ପ୍ରାର୍ଥନାରେ ଆପଣ ପରା ଆମକୁ ଶିଖାଇଥିଲେ-”ଜୀବନ ଥିଲେ ଭାଇ ପାତିବା ନାହିଁ ହାତ। ମଣିଷ ପରି ମଣିଷ ହୋଇବା ତ?“ ଅଶ୍ରୁବିଗଳିତ ନୟନରେ ଉତ୍କଳମଣି ସେଦିନ ବେଣୁଧରକୁ ଛାତିରେ କୁଣ୍ଢାଇ ଧରି ଭାବୁଥିଲେ- ହଁ, ଏ ଜାତି ଏବେ ମଧ୍ୟ ବଞ୍ଚତ୍ଛି।
ଏକଦା ପଣ୍ଡିତ ଗୋଦାବରୀଶ ମହାପାତ୍ରଙ୍କ ଲିଖିତ ‘ଏବେ ମଧ୍ୟ ବଞ୍ଚତ୍ଛି’ ଲେଖାଟିର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି। ମାଗଣା ଛତା, ଜୋତା, କମ୍ବଳ, ଆହାର, ଲାପ୍‌ଟପ୍‌, ଟଙ୍କିକିଆ ଚାଉଳ, ହରିଶ୍ଚନ୍ଦ୍ର, କାଳିଆ ଆଉ ପିଠା ଭଳି ଯୋଜନା ମଧ୍ୟରେ ବେଣୁଧରକୁ ଖୋଜା ଚାଲିଛି। ହେଲେ ବେଣୁଧରର ପତ୍ତା ମିଳୁନି। ଦିନେ ଯେଉଁ ଜାତିର ବିଜୟ ବୈଜୟନ୍ତୀରେ ପ୍ରଲୁବ୍ଧ ହେଉଥିଲା ଅବଶିଷ୍ଟ ବିଶ୍ୱ, ଯେଉଁ ଜାତିର ଇତିହାସରେ ଥିଲା ବୀରତ୍ୱର ଗାଥା, ଯେଉଁ ସଭ୍ୟତାରେ ନିନାଦିତ ହେଉଥିଲା ଉଚ୍ଚାଙ୍ଗ ସଂସ୍କୃତିର ସ୍ବର, ସେଇ ଜାତିଟା ଏତେ ଶୀଘ୍ର କାଙ୍ଗାଳ ହୋଇଗଲା କେମିତି? କେମିତି ବଦଳିଗଲା ତା’ର ଚର୍ଚ୍ଚିତ ଚରିତ୍ର? ମହନୀୟ ମାନସିକତାରେ ଘୁଣ ଲାଗିଗଲା କେବେଠୁ? କେଉଁମାନେ ତା’ର ଏପରି ଦଶା ପାଇଁ ଦାୟୀ? ଏହା ଆଜି କୋଟିଏ ଟଙ୍କାର ପ୍ରଶ୍ନବାଚୀ ସୃଷ୍ଟି କରୁଛି ମନରେ।
ସେଦିନ ବାସ୍ତବରେ ମରୁଡ଼ି ପଡିଥିଲା। ଚାରିଆଡେ ମାଳମାଳ କଙ୍କାଳପ୍ରାୟ ମଣିଷମାନଙ୍କ କ୍ଷୁଧାଜର୍ଜ୍ଜରିତ ମୁହଁ ଦେଖାଯାଉଥିଲା। ଏହା ସତ୍ତ୍ୱେ ଏ ଜାତିର ଅସ୍ମିତା ଟିକକ ବଞ୍ଚତ୍ ରହିଥିଲା। ଏପରି କି ନ’ଅଙ୍କ ଦୁର୍ଭିକ୍ଷ, ଯେତେବେଳେ ବିନା ଖାଦ୍ୟରେ ଲୋକେ ପୋକମାଛି ପରି ମରୁଥିଲେ, ସେତେବେଳେ ବି ଏ ଜାତିର ସ୍ବାଭିମାନ ଥିଲା। ରିଲିଫ୍‌ କେନ୍ଦ୍ରକୁ ‘ଛତର’ର ଆଖ୍ୟା ଦେଇ ସେଠାରେ ଖାଉଥିବା ବା ସାହାଯ୍ୟ ପାଇଁ ପହଞ୍ଚୁଥିବା ଲୋକମାନଙ୍କୁ ସମାଜ ‘ଛତରଖିଆ’ ବା ‘ଛତରା’ ଉପାଧିରେ ଭୂଷିତ କରୁଥିଲା। ତେବେ ସେଇ ଜାତିର ଦାୟାଦ ଏତେ ଶୀଘ୍ର ଦୁର୍ବଳ ଓ ହୀନମନା ହୋଇଗଲେ କେମିତି?
ବର୍ତ୍ତମାନ ଚାରିଆଡ଼େ ମାଗଣାଖିଆଙ୍କ ଭିଡ଼। ଏ ଭିଡ଼ ଦିନକୁ ଦିନ ବଢ଼ିଚାଲିଛି ଆଉ ବଢ଼ିବ ବୋଲି ଜଳ ଜଳ ହୋଇ ଦେଖାଯାଉଛି। କାରଣ ଏହା ପାଲଟିଛି ସରକାରଙ୍କ ଲୋକପ୍ରିୟତାର ମାପକାଠି ଏବଂ ଶାସନଗାଦିକୁ ଅକ୍ତିଆର କରିବା ପାଇଁ ବିରୋଧୀଙ୍କ ଅମୋଘ ଅସ୍ତ୍ର। ଖାସ୍‌ ଏଇଥିପାଇଁ ସରକାର ଯଦି ଚାଷୀମାନଙ୍କୁ ପାଞ୍ଚ ପାଞ୍ଚ ହଜାର ଟଙ୍କା ଦେଲେଣି, ସେପଟେ ଅନ୍ୟ ଦଳ କହୁଛନ୍ତି- ଆମେ ଋଣ ଛାଡ଼ କରିଦେବୁ, ଆହାର କେନ୍ଦ୍ର ଦିନ, ରାତି ଏପରି କି ସକାଳେ ବି ଖୋଲିବୁ। ଦରକାର ପଡିଲେ ଘରେ ନେଇ ଖାଇବା ପହଞ୍ଚାଇ ଦେବୁ। ଆମକୁ ଖାଲି ଗାଦିରେ ବସାଅ।
ବର୍ତ୍ତମାନ ସମୟରେ ବେଣୁଧରମାନଙ୍କୁ ଖୋଜି ପାଇବା ଅସମ୍ଭବ ହୋଇଗଲାଣି। ବେଣୁଧରମାନେ ଯେ ନାହାନ୍ତି, ସେ କଥା ନୁହେଁ, କିନ୍ତୁ ଅସରନ୍ତି ମାଗଣା ଉପହାରଗୁଡ଼ିକର ଆଖିଝଲସା ଔଜ୍ଜ୍ୱଲ୍ୟରେ ଏମାନଙ୍କର ଅଭାବୀ ମନ ବିବେକର ଶତ ତାଡ଼ନା ସତ୍ତ୍ୱେ ନିଜ ଅଜାଣତରେ ପ୍ରଲୁବ୍ଧ ହୋଇଯାଉଛି। ଏବେ ବେଣୁଧରର ଆଖି ସାମ୍ନାରେ ଯେତେବେଳେ ତିନିତାଲା କୋଠା ଥିବା ଲୋକଟି ଆବାସ ନେଇ ଯାଉଛି, ଲକ୍ଷପତି ଲୋକଟା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଧାଡିରେ ଠିଆହୋଇ ‘ମୋତେ ଟିକେ ଶୀଘ୍ର ଦେଇଦିଅ’ ବୋଲି ଆକୁଳ ପ୍ରାର୍ଥନା କରିପାରୁଛି, କାର୍‌ ଚଢ଼ୁଥିବା ଫଗୁ ଦାସ ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ରରେ ହାଜିରା ପକାଇ ପାରୁଛି, ସେତେବେଳେ ଅଭାବୀ ବେଣୁଧର ଭାବୁଛି- ମୁଁ ଏମାନଙ୍କ ଭିତରେ ସାମିଲ ନ ହେଲେ ମୋତେ କୋଉ ରାଷ୍ଟ୍ରପତି ପୁରସ୍କାରଟାଏ ମିଳିଯିବ ଯେ? ଥିଲାବାଲା ଲୋକେ ଯେତେେବେଳ ‘ମାଗନ୍ତା’ ତାଲିକାରେ ନାଁ ଦରଜ କରିବା ପାଇଁ ତତ୍ପର, ସେତେବେଳେ ମୁଁ ହାତ ପତେଇଦେଲେ, ବିବେକ ମୋତେ ବାଧା ଦେବ କିଆଁ?’
ହଜାର ହଜାର କୋଟି ଟଙ୍କା କରଜରେ ଥାଇ ବି କେବଳ ଗାଦିରକ୍ଷା ପାଇଁ ଆହୁରି ଋଣ କରାଚାଲିଛି। ଓଡ଼ିଶାର ବର୍ତ୍ତମାନ ମୁଣ୍ଡପିଛା ଋଣ ୨୩ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେଲାଣି, ତଥାପି ମାଗି ଖାଇବା ଆନନ୍ଦରେ ଆମେ ଏବେ ଉବୁଟୁବୁ। ଏତିକିବେଳେ ଶୁଣିଥିବା ଏହି ଗପଟି ହୁଏତ ଆମ ଅବକ୍ଷୟମୁଖୀ ଚେତନାକୁ ଊର୍ଦ୍ଧ୍ୱାୟିତ କରିପାରେ। ଦିନେ ମେଣ୍ଢାମାନଙ୍କର ଦଳପତି ଏକ ବୈଠକ ଡକାଇ ଉପସ୍ଥିତ ମେଣ୍ଢାମାନଙ୍କୁ କହିଲେ- ଏ ସନ ଶୀତ ଋତୁରେ ମାଲିକଙ୍କ ତରଫରୁ ତୁମ୍ଭମାନଙ୍କୁ ଗୋଟିଏ ଲେଖା କମ୍ବଳ ଉପହାର ମିଳିବ। ଘୋଷଣା ଶୁଣି ସଭିଏଁ କରତାଳି ସହ ନାଚି ଉଠିଲେ। ଅନ୍ୟ ମେଣ୍ଢାମାନଙ୍କର ଖୁସି ନାଚଗୀତକୁ ଦେଖି ଗୋଟିଏ ବୁଢ଼ା ମେଣ୍ଢା ପ୍ରଶ୍ନ କଲା- ଏତେ କମ୍ବଳ ପାଇଁ ଲୋମ ସବୁ କେଉଁଠୁ ଆସିବ?
ଏ ପ୍ରଶ୍ନରେ ସେଦିନ ବୈଠକରେ ଉପସ୍ଥିତ ଥିବା ମେଣ୍ଢାମାନଙ୍କର ଚୈତନ୍ୟ ଉଦୟ ହୋଇଥିବ କି ନାହିଁ କେଜାଣି କିନ୍ତୁ ଏହାକୁ ପଢ଼ି ବହୁଳ ପ୍ରଚାରିତ ଆମ ଓଡ଼ିଆ ମେଣ୍ଢାଙ୍କ ମଗଜ ଆଉ ଅସ୍ମିତାର ଅଭିବୃଦ୍ଧି ଘଟି ଯଦି ବେଣୁଧରମାନେ ସୃଷ୍ଟି ନ ହୁଅନ୍ତି ତେବେ ଭବିଷ୍ୟତରେ ଏ ଜାତିଟା ନିଶ୍ଚୟ ନିଜର ପରିଚୟ ହରାଇବ- ଏହା ନିଃସନ୍ଦେହ।
ଦିବ୍ୟାଲୋକ ସନ୍ଧାନେ, କଟକ,
ମୋ: ୯୪୩୮୦୫୨୬୧୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri