ପାଣିପାଗ କେନ୍ଦ୍ରର ସତର୍କ ସୂଚନା : ୨୬ ତାରିଖ ପର୍ଯ୍ୟନ୍ତ ୮ ଜିଲାକୁ ହିଟ୍‌ ଓ୍ବେଭ୍‌

ଭୁବନେଶ୍ୱର,୨୩।୫(ବ୍ୟୁରୋ)-
ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ତାତିରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଗୁରୁବାର ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଆଦି ୮ ଜିଲାକୁ ହିଟ୍‌ ଓ୍ବେଭ୍‌ ଜାରି ରହିବ। ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଏହିସବୁ ଜିଲାରେ ହିଟ୍‌ ଓ୍ବେଭ୍‌ ପ୍ରବାହିତ ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଅନେକ ଜିଲାକୁ ଏ ନେଇ ସତର୍କ ସୂଚନା ଜାରି କରାଯାଇଛି। ୨୬ତାରିଖ ପରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଗୁରୁବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ପରିମାଣର ବର୍ଷା ହେବ। ତେବେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲାରେ କାଳବୈଶାଖୀ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେପଟେ ୨୪ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହର ସ୍ଥିତି ସାଂଘାତିକ ହେବ। ଉତ୍ତପ୍ତ ସହର ପାଲଟିଥିବା ଟିଟିଲାଗଡ଼ ସମେତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୬ଡିଗ୍ରୀ ଉପରେ ରହିବ। ୨୫ତାରିଖରୁ ପାରଦ ୪୭ରୁ ୪୮ଡିଗ୍ରୀ ବଢ଼ିବ ବୋଲି ଅନୁମାନ କରାଯାଇଛି। ପୂରା ପଶ୍ଚିମ ଓଡ଼ିଶାରେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି। ତାତି ସାଙ୍ଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି। ବୁଧବାର ୧୩ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ତାଳଚେର ୪୪.୩ଡିଗ୍ରୀରେ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା। ବଲାଙ୍ଗୀର ୪୪, ସମ୍ବଲପୁର ୪୩.୯, ଝାରସୁଗୁଡ଼ା ଓ ଟିଟିଲାଗଡ଼ ୪୩.୬, ସୋନପୁର ୪୩.୨, ହୀରାକୁଦ ୪୨.୩, ଅନୁଗୋଳ ୪୧.୯, ଭବାନୀପାଟଣା ୪୧.୫, ଫୁଲବାଣୀ ୪୧.୨, ଚାନ୍ଦବାଲି ୪୧.୧, ସୁନ୍ଦରଗଡ଼ ଓ ମାଲକାନଗିରି ୪୧ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୩୭.୭ ଓ କଟକ ୩୭.୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।