ପାଟକୁରାବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍‌: ଆପଣଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଚୟନ କରିଛି; ଅଞ୍ଚଳର ବିକାଶ ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଶନିବାର ପାଟକୁରା ବିଧାନସଭା ନିର୍ବାଚନ। ଏହାର ୪୮ ଘଣ୍ଟା ପୂର୍ବରୁ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଗୋଟିଏ ପଟେ ଉକ୍ତ ଆସନକୁ ଭାଜପା ସ୍ବାଭିମାନ ଭାବେ ନେଇଥିବା ବେଳେ ବିଜେଡି ପାଇଁ ଏହା ସମ୍ମାନର ପ୍ରଶ୍ନ ପାଲଟିଛି। ଏପରିସ୍ଥଳେ ଶୁକ୍ରବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ପାଟକୁରାବାସୀଙ୍କୁ ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସକାଳେ ପାଟକୁରାବାସୀଙ୍କ ଉଦ୍ଦେଶ୍ୟରେ ଏକ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି, ଆପଣମାନେ ଦେଇଥିବା ସମର୍ଥନ ଓ ଭଲପାଇବା ଆମକୁ ସବୁବେଳେ ପ୍ରେରଣା ଯୋଗାଇ ଆସିଛି। ପାଟକୁରା ନିର୍ବାଚନ ଲାଗି ମୁଁ ଆପଣଙ୍କ ପସନ୍ଦର ପ୍ରାର୍ଥୀକୁ ଚୟନ କରିଛି। ପ୍ରତ୍ୟେକ ଭୋଟ ମୂଲ୍ୟବାନ। ଅଞ୍ଚଳର ବିକାଶ ପାଇଁ ଭୋଟ ଦିଅନ୍ତୁ। ପାଟକୁରାରେ ଶଙ୍ଖ ଚିହ୍ନରେ ଭୋଟ ଦେଇ ନୂଆ ଓଡ଼ିଶା ଗଠନ ପାଇଁ ଆମ ହାତମୁଠାକୁ ଆହୁରି ଟାଣ କରନ୍ତୁ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ପାଟକୁରା ନିର୍ବାଚନରେ ମଇଦାନକୁ ମୋଟ ୧୦ ପ୍ରାର୍ଥୀ ଓହ୍ଲାଇଛନ୍ତି। ବିଜେଡି ସାବିତ୍ରୀ ଅଗ୍ରଓ୍ବାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ଭାଜପା ବିଜୟ ମହାପାତ୍ର ଏବଂ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଅନ୍ୟ ୭ଜଣ ପ୍ରାର୍ଥୀ ସ୍ବାଧୀନରେ ଲଢ଼ୁଛନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଓ ଭାଜପା ପ୍ରାର୍ଥୀ ବିଜୟଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ତେବେ ପୂର୍ବରୁ ଭାଜପାକୁ ଚେକ୍‌ ଦେବା ଲାଗି ସେ ପ୍ରଚାର କରିବା ସହ ପାଟକୁରା କଥା ସେ ବ୍ୟକ୍ତିଗତ ଭାବେ ବୁଝିବେ ବୋଲି ପ୍ରତିଶ୍ରୁତି ଦେଇସାରିଛନ୍ତି।