Categories: ଖେଳ

ପାକିସ୍ତାନ ବିପକ୍ଷ ଡେଭିସ୍‌ କପ୍‌ ମ୍ୟାଚ୍‌ ସୁରକ୍ଷା ନେଇ ସମୀକ୍ଷା ହେବ

ନୂଆଦିଲ୍ଳୀ,୧୪।୯(ପି.ଟି.)- ଭାରତ ଓ ପାକିସ୍ତାନ ମଧ୍ୟରେ ଆୟୋଜନ ହେବାକୁ ଥିବା ଡେଭିସ୍‌ କପ୍‌ ମ୍ୟାଚ୍‌ ନେଇ ଅନିଶ୍ଚିତତା ଜାରି ରହିଛି। ପୁନଃ ନିର୍ଦ୍ଧାରିତ ନଭେମ୍ବର ୨୦ କିମ୍ବା ୩୦ ତାରିଖରେ ଆୟୋଜନ ହେବାକୁ ଥିବା ଏହି ମ୍ୟାଚ୍‌ରୁ ସୁରକ୍ଷା ତଥା ନିରାପତ୍ତା ନେଇ ଆଉ ଏକ ସମୀକ୍ଷା ହେବ ବୋଲି ଅଲ ଇଣ୍ଡିଆ ଟେନିସ ଆସୋସିଏଶନ (ଏଆଇଟିଏ) କହିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ରାଜନୈତିକ ଓ କୂଟନୈତିକ ତିକ୍ତତା କାରଣରୁ ଶୁକ୍ରବାର ଏଆଇଟିଏ ଏ ନେଇ ସୂଚନା ଦେଇଛି।
ପୂର୍ବରୁ ଏହି ମ୍ୟାଚ୍‌ ସେପ୍ଟେମ୍ବର ୧୪-୧୫ ତାରିଖରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଗତ ମାସ ସୁରକ୍ଷା ନେଇ ଅନ୍ତର୍ଜାତୀୟ ଟେନିସ ଫେଡେରେଶନ (ଆଇଟିଏଫ୍‌) ସମୀକ୍ଷା ହେବା ପରେ ଏହାକୁ ପରେ ଘୁଞ୍ଚାଇ ଦିଆଯାଇଥିଲା। ନଭେମ୍ବର ୪ରେ ସୁରକ୍ଷା ନେଇ ସାନି ସମୀକ୍ଷା କରାଯିବ। ରାଜଧାନୀ ଇସ୍‌ଲାମାବାଦ କିମ୍ବା ଅନ୍ୟ କୌଣସି ନିରପେକ୍ଷ ସ୍ଥାନରେ ଏହି ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି ଏଆଇଟିଏ ତରଫରୁ କୁହାଯାଇଛି। ଇସ୍‌ଲାମାବାଦ୍‌ରେ ଡେଭିସ୍‌ କପ୍‌ ମ୍ୟାଚ୍‌ ନଭେମ୍ବର ୨୯ ଓ ୩୦ କିମ୍ବା ୩୦ ଓ ଡିସେମ୍ବର ପହିଲାରେ ଖେଳାଯିବ। ଅଗଷ୍ଟ ୨୨ ତାରିଖରେ ଏହି ମ୍ୟାଚ୍‌କୁ ଘୁଞ୍ଚାଇବାକୁ ଆଇଟିଏଫ୍‌ ନିଷ୍ପତ୍ତି ନେଇଥିଲା। ଖେଳାଳିଙ୍କ ସୁରକ୍ଷା ତଥା ନିରାପତ୍ତାକୁ ଅଗ୍ରାଧିକାର ଦେବାକୁ ଆଇଟିଏଫ୍‌ ସ୍ପଷ୍ଟ କରିଛି। ଏହି ଡେଭିସ୍‌ କପ୍‌ ମ୍ୟାଚ୍‌ ପାଇଁ ଭାରତ ଏକ ପୂର୍ଣ୍ଣ କ୍ଷମତା ସମ୍ପନ୍ନ ଦଳ ଘୋଷଣା କରିଛି।

Share