Categories: ଖେଳ

ପାକିସ୍ତାନରେ ଖେଳାଯିବା ପିଏସ୍‌ଏଲ-୫

ନୂଆଦିଲ୍ଲି,୨୯।୭(ପିଟି)- ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)ର ୫ମ ସଂସ୍କରଣ ସମ୍ପୂର୍ଣ୍ଣ ଭାବେ ପାକିସ୍ତାନରେ ଖେଳାଯିବ ବୋଲି ପିସିବି ସୂତ୍ରରୁ ଜଣାପଡ଼ିଛି। ଏହି ଲିଗ୍‌ ଆସନ୍ତା ବର୍ଷ ଫେବୃୟାରୀ ୨୦ରୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବା ନେଇ କାର୍ଯ୍ୟକ୍ରମ ରହିଛି। ସିଜନର ଫାଇନାଲ ମ୍ୟାଚ୍‌ ଲାହୋରଠାରେ ଅନୁଷ୍ଠିତ ହେବ। ୨୦୧୬ରୁ ଲିଗ୍‌ ଆରମ୍ଭ ହେବାଠାରୁ ଲିଗ୍‌ର ପ୍ରାୟତଃ ମ୍ୟାଚ୍‌ ଦୁବାଇ ଓ ଶାରଜାଠାରେ ଖେଳାଯାଉଛି। ଗତ ୩ ସଂସ୍କରଣ ହେଲା ପିସିବି କେବଳ ଫାଇନାଲ ମ୍ୟାଚ୍‌ ପାକିସ୍ତାନରେ ଆୟୋଜନ କରିପାରୁଛି। ପିସିବି ତା’ର ନିଷ୍ପତ୍ତି ସମ୍ପର୍କରେ ସମସ୍ତ ଫ୍ରାଞ୍ଚାଇଜକୁ ଜଣାଇଦେଇଛି। ନଭେମ୍ବରରେ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଫ୍ରାଞ୍ଚାଇଜମାନେ ସେହି ଖେଳାଳି କିଣିବେ, ଯେଉଁମାନେ ପାକିସ୍ତାନରେ ରହିବେ ଓ ଖେଳିବେ। ପିଏସ୍‌ଏଲରେ ଅଂଶଗ୍ରହଣ କରୁଥିବା କ୍ରିକେଟରଙ୍କୁ ମଧ୍ୟ ଏ ନେଇ ସୂଚନା ଦିଆଯିବ। ମିଳିଥିବା ସୂଚନା ଅନୁଯାୟୀ, ପିସିବି ଭେନ୍ୟୁର ମରାମତି ଓ ଉନ୍ନତି କରଣ ଦିଗରେ କାର୍ଯ୍ୟ ଆରମ୍ଭ କରିଦେଇଛି। ଲାହୋର, କରାଚୀ, ରାଓ୍ବଲପିଣ୍ଡି ଓ ମୁଲତାନାଠାରେ ଯଥାକ୍ରମେ ୧୧, ୯, ୮ ଓ ୪ ମ୍ୟାଚ୍‌ ଖେଳାଯିବା ନେଇ କାର୍ଯ୍ୟସୂଚୀ ରହିଛି। ପିଏସ୍‌ଏଲ ପାକିସ୍ତାନରେ ହେଲେ ପିସିବିର ରାଜସ୍ବ ସିଧାସଳଖ ବଢ଼ିଯିବ। କିନ୍ତୁ ଏବେ ପିସିବିକୁ ୬ ଫ୍ରାଞ୍ଚାଇଜ ସହ ଥିବା ଆର୍ଥିକ ବିବାଦକୁ ତୁରନ୍ତ ସମାଧାନ କରିବାକୁ ପଡ଼ିବ। ସେମାନେ ପ୍ରସାରଣ, ଟାଇଟଲ ଓ ସ୍ପନଶରଙ୍କଠାରୁ ଅଧିକ ଅଂଶ ଚାହୁଁଛନ୍ତି।

Share