ପଶ୍ଚିମ ଓଡ଼ିଶା ଛଟପଟ: ୪୦ ଡିଗ୍ରୀରେ ଜଳୁଛି ୧୦ ସହର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ତାତିରୁ ମିଳୁନି ତ୍ରାହି। ଝାଞ୍ଜି ପବନରେ ଅସ୍ତବ୍ୟସ୍ତ ସାରା ରାଜ୍ୟ। ବିଶେଷକରି ପଶ୍ଚିମ ଓଡ଼ିଶା ତାତିରେ ଛଟପଟ ହେଉଛି। ଯଦିଓ ରାଜ୍ୟର କେତେକ ଅଞ୍ଚଳରେ ଦୁଇଦିନ ହେବ ବର୍ଷା ହେଉଛି, ତଥାପି ଦିନରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଶୁକ୍ରବାର ୧୦ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିବା ବେଳେ ୫ସହର ୪୩ଡିଗ୍ରୀ ତାପମାତ୍ରାରେ ସିଝିଥିଲା। ଟିଟିଲାଗଡ଼ ୪୪.୨ଡିଗ୍ରୀରେ ଉତ୍ତପ୍ତ ସହର ପାଲଟିଥିଲା। ସମ୍ବଲପୁର ୪୩.୯, ହୀରାକୁଦ ୪୩.୮, ତାଳଚେର ୪୩.୭, ଝାରସୁଗୁଡ଼ା ୪୩.୬, ସୋନପୁର ୪୩.୨, ବଲାଙ୍ଗୀର ୪୨.୭, ଭବାନୀପାଟଣା ୪୧.୫, ମାଲକାନଗିରି ୪୧ ଓ ସୁନ୍ଦରଗଡ଼ରେ ୪୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଶନିବାର ମାଲକାନଗିରି, କୋରାପୁଟ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରର ଗୋଟିଏ କିମ୍ବା ଦୁଇଟି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ସେପଟେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଆଦି ୯ ଜିଲାରେ ହିଟ୍‌ ଓ୍ବେଭ୍‌ ଜାରି ରହିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ୨୬ତାରିଖରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।