ପରୀକ୍ଷା ଫି’ ବୃଦ୍ଧିକୁ ନେଇ ବୈସିଙ୍ଗା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି: ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା

ବୈସିଙ୍ଗା, ୧୮।୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବୈସିଙ୍ଗା ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟରେ ଯୁକ୍ତ ୩ କଳା ଓ ବିଜ୍ଞାନ ପାଠ୍ୟକ୍ରମ ଶେଷ ବର୍ଷ ବା ଷଷ୍ଠ ସେମିଷ୍ଟର ପରୀକ୍ଷା ନିମନ୍ତେ ୨୧ ତାରିଖ ଫର୍ମପୂରଣର ଶେଷଦିନ ରହିଛି। ହେଲେ ପରୀକ୍ଷା ଫି’ ଅଧିକ ବୃଦ୍ଧି କରାଯାଇଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଏପରି କି ସେମାନେ ଫର୍ମ ପୂରଣ ବର୍ଜନ କରିବା ସଙ୍ଗେସଙ୍ଗେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଛାତ୍ରନେତାଙ୍କର ଏକ ଦଳ ଅସନ୍ତୋଷ ନେଇ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପରେ ଦୁଇଶହ ଟଙ୍କା ରିହାତି ଦେବା ନିମନ୍ତେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥିର କରିଥିଲେ। ମାତ୍ର ଏହା ଛାତ୍ର ଅଶାନ୍ତି ରୋକିବା ଦିଗରେ ସହାୟକ ହୋଇନାହିଁ। ସମସ୍ତ ଛାତ୍ରୀଛାତ୍ର ମୁଖ୍ୟଫାଟକରେ ତାଲା ପକାଇ ଧାରଣା ଜାରି ରଖିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ରାଜେଶ ବେହେରା, ଭବାନୀ ଶଙ୍କର ଦତ୍ତ, ପଦ୍ମଲୋଚନ ଜେନା, କମଳ ଲୋଚନ ନାୟକ ପ୍ରମୁଖ ଛାତ୍ର ଜଣାଇଛନ୍ତି।

ତେବେ ଏ ସମ୍ପର୍କରେ ମହାବିଦ୍ୟାଳୟ ପରୀକ୍ଷା ବିଭାଗ ମୁଖ୍ୟ ବଳଭଦ୍ର ନାଏକ ଓ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଅଧ୍ୟାପକ ଗୌରାଙ୍ଗ ଚରଣ ପାତ୍ର ପ୍ରତିକ୍ରୟାରେ କହିଛନ୍ତି, ପୂର୍ବରୁ ଫର୍ମ ପୂରଣ ପାଇଁ ୯୬୦ ଟଙ୍କା ନିଆ ଯାଉଥିଲା। ମାତ୍ର ଚଳିତ ବର୍ଷ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଚଳିତ ୧୪ ତାରିଖରେ ଚିଠି ନଂ. ୪୫୯ ମାଧ୍ୟମରେ ବର୍ଦ୍ଧିତ ଫି’ ବାବଦରେ ଜଣାଇଛନ୍ତି। ତେଣୁ କଲେଜ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ କୌଣସି ପଦକ୍ଷେପ ନେବା ସମ୍ଭବ ନୁହେଁ ବୋଲି କହିଛନ୍ତି