Categories: ଖେଳ

ପରାଜୟ ସତ୍ତ୍ୱେ ୪୪ ଲକ୍ଷ ଟଙ୍କା ପାଇଲେ ପ୍ରଜନେସ

ମେଲବୋର୍ନ, ୨୧।୧ (ପି.ଟି.)- ଭାରତର ଏକ ନମ୍ବର ଟେନିସ ଖେଳାଳି ପ୍ରଜନେସ ଗୁଣେଶ୍ୱରନ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସର ଏକ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୧୨୨ତମ ସ୍ଥାନରେ ରହିଥିବା ପ୍ରଜନେସ ୪-୬, ୨-୬, ୫-୭ ସିଧାସଳଖ ସେଟ୍‌ରେ ଜାପାନର ଓ୍ବାଇଲ୍ଡ କାର୍ଡ ପ୍ରାପ୍ତ ଖେଳାଳି ତାତସୁମା ଇଟୋଙ୍କ ନିକଟରୁ ହାରିଯାଇଛନ୍ତି। ପ୍ରଜନେଶଙ୍କଠାରୁ ନିମ୍ନର଼୍ୟାଙ୍କ ପ୍ରାପ୍ତ ଇଟୋ (୧୪୪ତମ) ଏହି ମ୍ୟାଚ୍‌ ଜିତିବାକୁ ୨ ଘଣ୍ଟା ସମୟ ନେଇଥିଲେ। ଏହି ପରାଜୟ ସହ ପ୍ରଜନେସ ବିଶ୍ୱର ଅନ୍ୟତମ କିମ୍ବଦନ୍ତୀ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ଙ୍କ ବିପକ୍ଷରେ ଖେଳିବାରୁ ବଞ୍ଚତ୍ତ ହୋଇଛନ୍ତି। ଯଦି ପ୍ରଜନେସ ଏହି ମ୍ୟାଚ୍‌ ଜିତିଥାନ୍ତେ ତେବେ ୨ୟ ରାଉଣ୍ଡରେ ଜୋକୋଭିଚ୍‌ଙ୍କୁ ସାମ୍ନା କରିଥାନ୍ତେ। ଜୋକୋଭିଚ୍‌ ପ୍ରଥମ ରାଉଣ୍ଡରେ ଜର୍ମାନୀର ଜାନ୍‌-ଲେନାର୍ଡ ଷ୍ଟ୍ରଫ୍‌ଙ୍କୁ ପରାସ୍ତ କରିଥିଲେ।
ସତ୍ତ୍ୱେ ୩୦ ବର୍ଷୀୟ ପ୍ରଜନେସ ୪୪ ଲକ୍ଷ ଟଙ୍କା ଲାଭ କରିଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ର ନିୟମ ଅନୁଯାୟୀ ପ୍ରଥମ ରାଉଣ୍ଡରୁ ବିଦାୟ ନେଉଥିବା ଖେଳାଳିଙ୍କୁ ୬୨,୩୨୫ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୪୪ ଲକ୍ଷ ୩୫ ହଜାର ୯୫୦ ଟଙ୍କା) ପ୍ରଦାନ କରାଯାଇଥାଏ। କ୍ୟାରିୟରର ପଞ୍ଚମଥର ଲାଗି ସେ କୌଣସି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟରେ ଖେଳିବାର ସୁଯୋଗ ପାଇଥିଲେ। ପ୍ରଜନେସଙ୍କ ପରାଜୟ ସହ ଏହି ସମ୍ମାନଜନକ ପ୍ରତିଯୋଗିତାର ସିଙ୍ଗଲ୍ସ ଇଭେଣ୍ଟରୁ ଭାରତର ଅଭିଯାନ ଶେଷ ହୋଇଛି। ପୂର୍ବରୁ ଅଙ୍କିତା ରାଇନା, ସୁମିତ୍‌ ନାଗଲ ଓ ରାମକୁମାର ରମାନାଥନ ସିଙ୍ଗଲ୍ସ ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ପୁରୁଷ ଡବଲ୍ସରେ ଡିଭିଜ ଶରନ, ରୋହନ ବୋପାନ୍ନା ଓ ମହିଳା ଡବଲ୍ସରେ ସାନିଆ ମିର୍ଜା ଭାରତ ପାଇଁ ଆଶା ଉଜ୍ଜୀବିତ୍‌ ରଖିଛନ୍ତି।

Share