ପରଲୋକରେ ଗୀତିକାର କୁଳମଣି ଦାସ

କଟକ ଅଫିସ, ୩୧ା୧୨- ଗୀତିକବି, ନୃତ୍ୟ ବିଷାରଦ, ଶିଶୁ ସାହିତି୍ୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ ଗୀତିକାର ଏବଂ ମର୍ଦ୍ଦଳ ବାଦକ କୁଳମଣି ଦାସ(୬୯)ଙ୍କ କଟକ ତୁଳସୀପୁରସ୍ଥିତ ବାସଭବନରେ ସୋମବାର ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ତ୍ରୀ କଲ୍ୟାଣୀ ଦାସ, ତିନି ଝିଅ ଓ ନାତୁଣୀନାତି ଉପସ୍ଥିତ ଥିଲେ। କୁଳମଣିଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ୨୫ରୁ ଊର୍ଦ୍ଧ୍ୱ ନୃତ୍ୟନାଟିକା ଲେଖିଛନ୍ତି। ତାଙ୍କ ଲିଖିତ ବହୁ ଗୀତ ଏବଂ ନୃତ୍ୟ ନାଟିକା ଆକାଶବାଣୀ ଓ ଦୂରଦର୍ଶନରେ ପ୍ରସାରିତ ହୋଇଛି। ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷା କରି କଳା ବିକାଶ କେନ୍ଦ୍ର ସହ ଜଡ଼ିତ ଥିଲେ। ଜଣେ ସହକାରୀ ଶିକ୍ଷକ ଭାବେ ବିଭିନ୍ନ ସ୍କୁଲରେ କାର୍ଯ୍ୟ କରି ଶେଷରେ ତୁଳସୀପୁର ପୋଲିସ କଲୋନୀସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ। ଶିକ୍ଷକତା ପାଇଁ ସେ ରାଜ୍ୟପାଳ ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କ ଲିଖିତ ଶିଶୁନାଟକ ବିଲୁଆ ନନା, ଦେଶାତ୍ମବୋଧକ ନାଟକ ‘ପୀଠା’, ଲବଣି ଚୋର, ବୁଢା ଶଙ୍ଖାରୀ ଅତି ଲୋକପ୍ରିୟ ହୋଇଥିଲା। ସେ ଜଣେ ଦକ୍ଷ ସଙ୍ଗଠକ ଭାବେ ଚାଚା ଶିଶୁ କିଶୋର ଅନୁଷ୍ଠାନ, ବଉଳ, ଚେତକ କଳା ସଂସଦ ଓ ଧ୍ରୁବତାରା ଅନୁଷ୍ଠାନ ସହ ଜଡ଼ିତ ଥିଲେ।