ପରମାତ୍ମାଙ୍କ ଅବତରଣ

ଭୁଜେନ୍ଦ୍ର କୁମାର ସ୍ବାଇଁ
ପରଂବ୍ରହ୍ମଙ୍କ ଶରୀର ଧାରଣକୁ ଅବତାର କୁହାଯାଏ। କଳିଯୁଗରେ ପରମାତ୍ମା ବୁଦ୍ଧ ରୂପରେ ଓ କଳିଯୁଗର ଶେଷ ଭାଗ ଏବଂ ପରବର୍ତ୍ତୀ ଯୁଗର ସନ୍ଧି କାଳରେ କଳ୍‌କୀ ଅବତାର ରୂପେ ପ୍ରକଟ ହେବେ ବୋଲି ଭବିଷ୍ୟତ ବାଣୀ ଅଛି। ଭଗବାନଙ୍କ ଅବତାରତ୍ୱ ସୀମିତ ନୁହେଁ। ମାନବ ସୃଷ୍ଟି କାଳରୁ ମାନବର ହିତ ପାଇଁ ସେ ଅନେକବାର ଅବତରିତ ହୋଇସାରିଲେଣି ଓ ଭବିଷ୍ୟତରେ ବି ହେବେ। ଅଜ୍ଞାନ ମନୁଷ୍ୟ କାମ, କ୍ରୋଧ, ମୋହ ଓ ଆସକ୍ତିରେ ବୁଡ଼ିରହି ଅହେତୁକ ଦୁଃଖ ଯନ୍ତ୍ରଣା ପାଉଛି। ବିଭିନ୍ନ ହିଂସାତ୍ମକ କାର୍ଯ୍ୟକଳାପରେ ଲିପ୍ତରହି ସମାଜର କ୍ଷତି ସାଧନ କରୁଛି। ଭଗବାନଙ୍କ ଅବତାର ନେବାର ମୁଖ୍ୟ କାରଣ ହେଲା ଏହି ଅଜ୍ଞାନମାନଙ୍କୁ ପାପପଙ୍କିଳ ସଂସାରରୁ ଉଦ୍ଧାର କରିବା। ଦୁଃଖର କାରଣ ବିଷୟରେ ସଚେତନ କରାଇବା। ପାପୀମାନଙ୍କୁ ପାପମୁକ୍ତ କରି ସମାଜରେ ଶାନ୍ତି ସ୍ଥାପନ କରିବା।
ଭାଗବତରେ ଯେତେ ଅବତାରଙ୍କ କଥା ଉଲ୍ଲେଖ କରାଯାଇଛି ସେଥିମଧ୍ୟରୁ ରାମ ଓ କୃଷ୍ଣାବତାର ଦ୍ୱୟଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ଅବତାରର କାର୍ଯ୍ୟାବଳୀ ସୀମିତ। ଭଗବାନ ଶ୍ରୀରାମ ଓ ଶ୍ରୀକୃଷ୍ଣ ଆବିର୍ଭାବ ହେବା ଫଳରେ ଆଧ୍ୟାତ୍ମିକ କ୍ଷେତ୍ରରେ ଅପୂର୍ବ ଆଲୋଡନ ଖେଳିଥିଲା। ତାହା ଆଜି ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହି ମାନବ ସମାଜକୁ ସତ୍‌ପଥରେ ପରିଚାଳିତ କରିଆସୁଛି। ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଚରିତ୍ର ଅତ୍ୟନ୍ତ ଆଦର୍ଶସ୍ଥାନୀୟ ଓ ସର୍ବଜନପ୍ରିୟ। ଦ୍ୱାପର ଯୁଗର ଅନ୍ତିମ କାଳରେ ଭଗବାନ ଶ୍ରୀକୃଷ୍ଣ ଅବତରିତ ହୋଇ ଭକ୍ତିରସର ପ୍ଳାବନ ସୃଷ୍ଟି କରିଥିଲେ। ନାରଦଙ୍କ ‘ଭକ୍ତିସୂତ୍ର’, ବ୍ୟାସଦେବଙ୍କ ଭାଗବତ ଓ ଶ୍ରୀକୃଷ୍ଣଙ୍କ ଗୀତାରେ ସନ୍ନିବେଶିତ ଭକ୍ତିରସାମୃତ ସୁଧୀଜନଙ୍କ ପ୍ରାଣକୁ ଆପ୍ଳୁତ କରୁଛି।
ଦ୍ୱାପରର ଶେଷ ଭାଗରେ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ପୂର୍ବରୁ ସମାଜରେ ବ୍ୟାପକ ଅସ୍ଥିରତା ସୃଷ୍ଟି ହୋଇଥିଲା। ଅନ୍ୟାୟ, ଅତ୍ୟାଚାର, ହତ୍ୟା, ଲୁଣ୍ଠନ, ବ୍ୟଭିଚାର ଆଦି ସର୍ବତ୍ର ବ୍ୟାପିଥିଲା। ସେତେବେଳେ ଭଗବାନ ଅବତାର ନେବାର ପ୍ରକୃଷ୍ଟ ସମୟ ଉପନୀତ ହୋଇଥିଲା। ପ୍ରଥମେ ଶିଶୁ ଭଗବାନ ଜନ୍ମଲାଭ କରି ପିତା ବସୁଦେବ ଓ ମାତା ଦେବକୀଙ୍କୁ ନିଜର ଭଗବତ୍‌ ସ୍ବରୂପ ଦର୍ଶନ କରାଇଥିଲେ। ତାଙ୍କର ଜନ୍ମବାଣୀ ଶୁଣି କଂସ ଓ ତା’ର ଅନୁଗତମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଛ’ ଦିନର ଶିଶୁ ଶ୍ରୀକୃଷ୍ଣ କଂସ ଦ୍ୱାରା ପ୍ରେରିତ ପୁତନାକୁ ଦୁଗ୍ଧପାନ ଛଳରେ ହତ୍ୟାକରି ନିଜର ଈଶ୍ୱରୀୟ ପରାକାଷ୍ଠା ଦେଖାଇଥିଲେ। ଶୈଶବ କାଳରେ ଗୋଟି ଗୋଟି କରି ସମସ୍ତ ପରାକ୍ରମୀ ଦୈତ୍ୟଙ୍କୁ ସଂହାର କରି ସମାଜରେ ଶାନ୍ତି ଓ ଭୟଶୂନ୍ୟ ବାତାବରଣ ପ୍ରତିଷ୍ଠା କରିଥିଲେ। ତାଙ୍କର ବାଲ୍ୟକାଳ ଥିଲା ଅତୀବ ଲୀଳାମୟ। ସେ ଥିଲେ ସକଳ ବ୍ରଜବାସୀଙ୍କ ଆନନ୍ଦର ଉତ୍ସ। ଗୋପାଳ ସଂସ୍କୃତିକୁ ସମ୍ପୂର୍ଣ୍ଣ ରୂପେ ଆବୋରି ନେଇଥିଲେ। କଉପୁନି ପିନ୍ଧି ଗୋପାଳ ବାଳକମାନଙ୍କ ଗହଣରେ ବଣକୁ ଯାଉଥିଲେ ଗୋରୁପଲ ନେଇ। ଖେଳକୌତୁକରେ ମାତି ସେମାନଙ୍କୁ ଆନନ୍ଦ ଦେଉଥିଲେ। ଗୋପାଳ ଛୁଆଙ୍କ ମେଳରେ ଲହୁଣି ଚୋରାଇ ଖାଇବା ଥିଲା ଏକ ନିତିଦିନିଆ ଘଟଣା। ଗୋପୀମାନଙ୍କର ସେ ଥିଲେ ଗେହ୍ଲା ‘କହ୍ନେଇ’। ଗୋପୀମାନଙ୍କ ମନୋବାଞ୍ଛା ପୂରଣ ନିମିତ୍ତ ସେ ରଚିଥିଲେ ରାସଲୀଳା।
ଗୋପଲୀଳା ସମାପନ କରି ଏଗାର ବର୍ଷ ବୟସରେ ମଥୁରା ଆସି ଆଉ ବ୍ରଜକୁ ଫେରି ନ ଥିଲେ। ସେଠାରେ କଂସ ଓ ତା’ର ଅନୁଚରମାନଙ୍କୁ ହତ୍ୟାକରି ରାଜ୍ୟରେ ଶାନ୍ତି ଫେରାଇ ଆଣିଥିଲେ। ଜରାସନ୍ଧର ବାରମ୍ବାର ମଥୁରା ଆକ୍ରମଣରେ ଅତିଷ୍ଠ ହୋଇ ବଛା ବଛା ଯାଦବଙ୍କୁ ସଙ୍ଗରେ ଧରି ଦ୍ୱାରକା ଚାଲି ଯାଇଥିଲେ। ପରବର୍ତ୍ତୀ ଜୀବନରେ ସେ ଥିଲେ ବିଚକ୍ଷଣ କୂଟନୀତିଜ୍ଞ, ଦକ୍ଷ ରାଜନୀତିଜ୍ଞ, ମହାଗୁରୁ, ମହାନ୍‌ ଦାର୍ଶନିକ ଓ ମହାଭାରତ ଯୁଦ୍ଧର ମହାନାୟକ। ମହାଭାରତ ଯୁଦ୍ଧର ପ୍ରାରମ୍ଭରେ ଭଗବାନ ନିଜେ ଅର୍ଜୁନଙ୍କୁ ନିମିତ୍ତ କରି ମନୁଷ୍ୟର କଲ୍ୟାଣ ନିମିତ୍ତ ଯେଉଁ ରହସ୍ୟମୟ ଦିବ୍ୟବାଣୀ ପ୍ରଦାନ କରିଥିଲେ ତାହା ଗୀତା ନାମରେ ଖ୍ୟାତ। ଏଥିରେ ତାଙ୍କ ହୃଦୟର ଅନେକ ଗଭୀରତମ ବିଲକ୍ଷଣ ଭାବ ସନ୍ନିବେଶିତ ହୋଇଛି। ତାଙ୍କର ଅନ୍ତିମ ସମୟ ଉପସ୍ଥିତ ହେବା ଜାଣି ପୃଥିବୀର ଭାର ଯାହା କିଞ୍ଚିତ୍‌ ଥିଲା, ଉଚ୍ଛୃଙ୍ଖଳିତ ବ୍ରହ୍ମଶାପଗ୍ରସ୍ତ ନିଜ ବଂଶର ବିନାଶ ଘଟାଇ ତାହା ଉଶ୍ୱାସ କରିଥିଲେ। ଜରାର ଶରାଘାତରେ ସ୍ବଧାମ ପ୍ରତ୍ୟାବର୍ତ୍ତନ କରି ମାନବୀୟ ଲୀଳା ସମାପ୍ତ କରିଥିଲେ।
ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପରଂବ୍ରହ୍ମ ପରମାତ୍ମା, ପରମ ଭକ୍ତବତ୍ସଳ । ଭକ୍ତଜନଙ୍କ ପଦରଜ ଉଡ଼ିଆସି ସ୍ବଦେହରେ ପଡ଼ି ପବିତ୍ର ହେବା ଲାଗି ଭକ୍ତଙ୍କ ପଛେ ପଛେ ସେ ଧାଉଁଥାନ୍ତି। ଯେ ଯେପରି ଡାକନ୍ତି ସେ ସେପରି ଶୁଣନ୍ତି। ସେ ସର୍ବଦା କୁହନ୍ତି, ”ସବୁ ଧର୍ମ ଓ ଆଶ୍ରୟ ଛାଡ଼ି ମୋର ଶରଣକୁ ଚାଲିଆସ। ମୁଁ ସମସ୍ତ ପାପରୁ ମୁକ୍ତ କରିଦେବି। ଚିନ୍ତା କର ନାହିଁ।“ ଦେଖନ୍ତୁ ଭଗବାନ କେତେ ଦୟାଳୁ । କାହାରି ଦୁଃଖ ଦେଖିଲେ ସହିପାରନ୍ତି ନାହିଁ। ମନୁଷ୍ୟ ନିଜର ଅଜ୍ଞାନତା ହେତୁ ଚିର ଦୁଃଖୀ ହୋଇପଡ଼ିଛି। ଭଗବାନଙ୍କର ଇଚ୍ଛା ମନୁଷ୍ୟ ନିଜର ଦୁଃଖ ଦୁର୍ଦ୍ଦଶାର କାରଣ ଜାଣୁ। ଏଥିରୁ ଉଦ୍ଧାର ପାଇବା ପାଇଁ ପ୍ରଚେଷ୍ଟା କରୁ। ସେ ସାଧାରଣତଃ ସାଧୁସନ୍ଥ, ସଦ୍‌ଗୁରୁ, ମୁନିଋଷି, ମହାପୁରୁଷ ରୂପେ ଅବତରିତ ହୋଇଥାନ୍ତି। ସମସ୍ତ ଦୁଃଖକଷ୍ଟ ସହି ମନୁଷ୍ୟର ସମସ୍ୟାଗୁଡ଼ିକର କାରଣ ବିଷୟରେ ସେମାନଙ୍କୁ ଅବଗତ କରାନ୍ତି ଓ ଏଗୁଡ଼ିକର ନିରାକରଣ ନିମିତ୍ତ ପଥ ଦେଖାଇଦିଅନ୍ତି। ଭକ୍ତିଯୋଗ, ଜ୍ଞାନଯୋଗ ଓ କର୍ମଯୋଗ ଉପରେ ଜ୍ଞାନ ପ୍ରଦାନ କରି ଅଜ୍ଞାନତା ଦୂର କରନ୍ତି। ସମସ୍ତ ଧର୍ମଗ୍ରନ୍ଥ ଓ ଗୁରୁବାଣୀର ଏକମାତ୍ର ସାରତତ୍ତ୍ୱ ହେଲା ପାର୍ଥିବ କାମନା ହେତୁ ମନୁଷ୍ୟ ବାରମ୍ବାର ଜନ୍ମମୃତ୍ୟୁଜନିତ ଦାରୁଣ ଦୁଃଖଦୁର୍ଦ୍ଦଶା ଭୋଗୁଛି। ଏଥିରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରହିଲେ ଆଉ ଏ ସମସ୍ୟା ସବୁ ଉତ୍ପନ୍ନ ହେବନାହିଁ। ଭଗବାନଙ୍କ ଇଚ୍ଛା ପୂର୍ତ୍ତି ନିମିତ୍ତ ଆଉ କାଳବିଳମ୍ବ ନ କରି ଆସନ୍ତୁ ସଦ୍‌ଗୁରୁଙ୍କଠାରେ ଆଶ୍ର୍ରୟ ନେବା। ସେ ଆମର ସବୁ ଦାୟିତ୍ୱ ବହନ କରିବେ। ସଦ୍‌ଗୁରୁ ଓ ଭଗବାନ୍‌ ଅଭିନ୍ନ- ‘ମୁହିଁ ବସଇ ଗୁରୁ ଦେହେ। ମୋ ତହଁୁ ଗୁରୁ ଭିନ୍ନ ନୋହେ॥’ (ଭାଗବତ)
(ଜନ୍ମାଷ୍ଟମୀ ଉପଲକ୍ଷେ)
ଭୁବନେଶ୍ୱର, ମୋ-୯୪୩୯୧୭୬୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri