Categories: ଖେଳ

ପନ୍ତଙ୍କ ସପକ୍ଷରେ ଗାଭାସ୍କର, ପିଟରସନ: ରାୟୁଡୁଙ୍କୁ ଗମ୍ଭୀରଙ୍କ ସମର୍ଥନ

ନୂଆଦିଲ୍ଲୀ,୧୨।୬(ପି.ଟି.)- ଶିଖର ଧାଓ୍ବନ ଇଞ୍ଜୁରି କାରଣରୁ ବାଦ ପଡିଲେ ତାଙ୍କ ବଦଳ ଖେଳାଳି ଭାବେ କାହାକୁ ଦଳରେ ସାମିଲ କରାଯିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ କେଭିନ୍‌ ପିଟରସନ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କୁ ବଦଳ ଖେଳାଳି ରୁପେ ବିବେଚନା କରିଛନ୍ତି। ତେବେ ପୂର୍ବତନ ଓପନର ଗୌତମ ଗମ୍ଭୀର ଅମ୍ବାତି ରାୟୁଡୁଙ୍କୁ ଏ ନେଇ ସମର୍ଥନ କରିଛନ୍ତି। ପନ୍ତ ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଜଣେ ଯୁବ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ହୋଇଥିବାରୁ ପନ୍ତଙ୍କୁ ବଦଳ ଖେଳାଳିଭାବେ ଦଳରେ ସାମିଲ କରାଯିବା ଉଚିତ ବୋଲି ଗାଭାସ୍କର କହିଛନ୍ତି। ଯଦି ଧାଓ୍ବନ ବିଶ୍ୱକପ୍‌ରୁ ବାଦ୍‌ ପଡନ୍ତି ତାହାଲେ ପନ୍ତଙ୍କୁ ଯେତେଶୀଘ୍ର ଦଳରେ ସାମିଲ କରାଯିବ ସେତେ ଭଲ ବୋଲି ପିଟରସନ କହିଛନ୍ତି। ତେବେ ଏ ନେଇ ଗମ୍ଭୀରଙ୍କ ମତ ସମ୍ପୂର୍ଣ୍ଣ ଭିନ୍ନ। ଦିନିକିଆରେ ରାୟୁଡୁଙ୍କ ହାରାହାରି ରନ୍‌ ସଂଗ୍ରହ ୪୫ ରହିଛି। ତେଣୁ ରାୟୁଡୁଙ୍କୁ ଧାଓ୍ବନଙ୍କ ବଦଳ ଖେଳାଳି ରୂପେ ସାମିଲ କରାଯିବା ଉଚିତ। ଦଳରେ ସାମିଲ କରା ନ ଗଲେ ରାୟୁଡୁଙ୍କ କ୍ୟାରିୟର ଶେଷ ହେବ ବୋଲି ଗମ୍ଭୀର କହିଛନ୍ତି।

Share