ପଦାର୍ପଣ ପାଇଁ ସଚିନ ପ୍ରସ୍ତୁତ

ମୁମ୍ବାଇ, ୩୦।୫(ପି.ଟି.)- ଗୁରୁବାରଠାରୁ ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଆୟୋଜକ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଲଣ୍ଡନର ଦି ଓଭାଲ ଗ୍ରାଉଣ୍ଡରେ ହେବାକୁ ଥିବା ଏହି ମ୍ୟାଚ୍‌ରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଭାଷ୍ୟକାର ଭାବେ ପଦାର୍ପଣ କରିବେ। ଭାଷ୍ୟକାର ଭାବେ ସଚିନଙ୍କ ଏହା ପ୍ରଥମ ମ୍ୟାଚ୍‌ ହେବ। ମ୍ୟାଚ୍‌ ପୂର୍ବରୁ ଷ୍ଟାର ସ୍ପୋଟର୍‌ସରେ ହେବାକୁ ଥିବା ‘ସଚିନ ଓପନ୍ସ ଏଗେନ’ ସେଗମେଣ୍ଟରେ ଅନ୍ୟ ବିଶେଷଜ୍ଞଙ୍କ ସହ ସଚିନ ନଜରକୁ ଆସିବେ। ବିଶ୍ୱକପ୍‌ରେ ସଚିନଙ୍କ ନାମରେ ଅନେକ ରେକର୍ଡ ରହିଛି। ମୋଟ୍‌ ୬ ବିଶ୍ୱକପ୍‌ ଖେଳି ସେ ୨,୨୭୮ ରନ୍‌ ସଂଗ୍ରହ କରିଛନ୍ତି। ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ଅଧିକ ରନ ସଂଗ୍ରହ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ରହିଛି। ୨୦୦୩ ସଂସ୍କରଣରେ ସେ ୬୭୩ ରନ କରିଥିଲେ।

Share