Categories: ଖେଳ

ପଦକ ବିଜେତା ରେସଲର୍‌ଙ୍କୁ କ୍ରୀଡ଼ାମନ୍ତ୍ରୀଙ୍କ ଆର୍ଥିକ ସହାୟତା

ନୂଆଦିଲ୍ଲୀ, ୨୪।୯ (ପି.ଟି.)- କାଜାଖସ୍ତାନର ନୁର୍‌-ସୁଲତାନଠାରେ ନିକଟରେ ଶେଷ ହୋଇଥିବା ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ଭାରତ ଗୋଟିଏ ରୌପ୍ୟ ଓ ୪ ବ୍ରୋଞ୍ଜ ସହ ମୋଟ୍‌ ୫ ପଦକ ଜିତିଥିଲା। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତର ଏହା ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ପଦକ ଜିତିଥିବା ସଫଳ ଭାରତୀୟ କୁସ୍ତିଯୋଦ୍ଧାଙ୍କୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ସମ୍ମାନିତ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୂର୍ବରୁ ଭାରତ ୨୦୧୩ ସଂସ୍କରଣରେ ଗୋଟିଏ ରୌପ୍ୟ ଓ ୨ ବ୍ରୋଞ୍ଜ ସହ ମୋଟ୍‌ ୩ ପଦକ ଜିତିଥିଲା।
ସଂସ୍କରଣର ପୁରୁଷ ୮୬ କିଗ୍ରା ବିଭାଗରେ ରୌପ୍ୟ ପଦକ ଜିତିଥିବା ଦୀପକ ପୁନିଆଙ୍କୁ ଏହି ଅବସରରେ ୭ ଲକ୍ଷ ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଥିଲା। ସେହିଭଳି ବ୍ରୋଞ୍ଜ ପଦକ ଜିତିଥିବା ୪ ରେସଲର୍‌ ବଜରଙ୍ଗ ପୁନିଆ (ପୁରୁଷ ୬୫ କିଗ୍ରା ଫି-ଷ୍ଟାଇଲ୍‌), ଭିନେଶ ଫୋଗତ୍‌ (ମହିଳା ୫୩ କିଗ୍ରା), ରାହୁଲ ଆଓ୍ବାରେ (ପୁରୁଷ ୬୧ କିଗ୍ରା) ଓ ରବି ଦାହିୟା (ପୁରୁଷ ୫୭ କିଗ୍ରା)ପ୍ରତ୍ୟେକଙ୍କୁ ୪ ଲକ୍ଷ ଟଙ୍କାର ଚେକ୍‌ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପାଞ୍ଚ ପଦକ ବିଜେତାଙ୍କ ମଧ୍ୟରୁ ଦୀପକ, ବଜରଙ୍ଗ, ଭିନେଶ ଓ ରବି ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି। କିନ୍ତୁ ପୁରୁଷ ୬୧ କିଗ୍ରା ବିଭାଗ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟରେ ଅନ୍ତର୍ଗୁକ୍ତ ନ ଥିବାରୁ ରାହୁଲ ପଦକ ଜିତିବା ସତ୍ତ୍ୱେ ଟୋକିଓ ଟିକେଟ୍‌ରୁ ବଞ୍ଚତ୍ତ ହୋଇଛନ୍ତି। ସେହିଭଳି ପ୍ରଥମଥର ପାଇଁ ଭାରତର ୪ ପ୍ରତିଯୋଗୀ ବିଶ୍ୱ ଚାମ୍ପିୟନଶିପ୍‌ ମାଧ୍ୟମରେ ଅଲିମ୍ପିକକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଅଲିମ୍ପିକ୍ସରେ ରେସଲିଂର ମୋଟ୍‌ ୧୮ ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ୨୦୨୦ ମାର୍ଚ୍ଚରେ ଏସିଆନ ରେସଲିଂ ଚାମ୍ପିୟନଶିପ୍‌ ଓ ଏପ୍ରିଲରେ ବିଶ୍ୱ ଯୋଗ୍ୟତା ପର୍ଯ୍ୟାୟ ମାଧ୍ୟମରେ ମଧ୍ୟ ଅଲିମ୍ପିକ୍ସକୁ ପ୍ରବେଶ କରିବାର ସୁଯୋଗ ରହିଛି।

Share