Categories: ଖେଳ

ପଦକ ଧରି ଫେରିଲେ ଡିସ୍‌କସ୍‌ କୁଇନ୍‌ ପାର୍ବତୀ

କଟକ ଅଫିସ,୮ା୮- ଇଟାଲୀର ଟୋରିନୋ ସହରରେ ଶେଷ ହୋଇଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଭାରତ ପାଇଁ ଡବଲ ପଦକ ବିଜୟୀ ହୋଇ ଫେରିଛନ୍ତି ଅନ୍ତର୍ଜାତୀୟ ଆଥଲେଟ ପାର୍ବତୀ ସେଠୀ। ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପାର୍ବତୀଙ୍କୁ ଭବ୍ୟ ସ୍ବାଗତ ଜଣାଯାଇଥିଲା । ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ, ପାର୍ବତୀଙ୍କ କୋଚ ଅରୁଣ ଦାସ, ମାଷ୍ଟର ଗେମ୍ସ ଆସୋସିଏଶନର ସମ୍ପାଦକ ଶିବପ୍ରସାଦ ମିଶ୍ର, ପୂର୍ବତଟ ରେଲୱେର ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ପାର୍ବତୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲ, ଭାଜପା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଟୁଇଟର ମାଧ୍ୟମରେ ପାର୍ବତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ସଫଳତାର ଶ୍ରେୟ ପାର୍ବତୀ ନିଜ କୋଚ୍‌ ଓ ପରିବାର ଲୋକଙ୍କୁ ଦେଇଥିବା ବେଳେ ଆଗାମୀ ଦିନରେ ସ୍ବର୍ଣ୍ଣ ବିଜୟୀ ହେବାର ଲକ୍ଷ୍ୟ ରଖିଥିବା କହିଥିଲେ । ଚାଇନାରେ ହେବାକୁ ଥିବା ବିଶ୍ୱ ମାଷ୍ଟର୍ସ ଚାମ୍ପିୟନଶିପ-୨୦୨୦ ନିମନ୍ତେ ଏବେଠାରୁ ନିଜକୁ ପ୍ରସ୍ତୁତ କରିବେ । ଇଟାଲୀରେ ଶେଷ ହୋଇଥିବା ଟୁର୍ନାମେଣ୍ଟରେ ଯେଉଁ କେତୋଟି ଛୋଟ ତ୍ରୁଟି ରହିଥିଲା ସେ ଦିଗରେ ଧ୍ୟାନ ଦେବେ ବୋଲି ପାର୍ବତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ପୁଅ ଆଦିତ୍ୟ ବେହେରାଙ୍କର ବୁଧବାର ଜନ୍ମଦିନ ଥିବାବେଳେ ଏହି ଦିନ ପ୍ରତ୍ୟାବର୍ତ୍ତନ କରିଥିବାରୁ ପାର୍ବତୀଙ୍କ ଖୁସି ଦ୍ୱିଗୁଣିତ ହୋଇଥିଲା। ସୂଚନା ଥାଉକି ୟୁରୋପିଆନ ମାଷ୍ଟର୍ସ ଗେମ୍ସ ଶଟପୁଟ ବିଭାଗର ଫାଇନାଲରେ ୧୦.୧୬ ମିଟର ଫିଙ୍ଗି ପାର୍ବତୀ ବ୍ରୋଞ୍ଜ ପଦକ ଜିତିଥିଲେ । ଅଳ୍ପ ବ୍ୟବଧାନରେ ପାର୍ବତୀ ରୌପ୍ୟ ପଦକରୁ ବଞ୍ଚିତ ହୋଇଥିଲେ। ନିଜ ମୁଖ୍ୟ ଇଭେଣ୍ଟ ଡିସକସରେ ପାର୍ବତୀ ରୌପ୍ୟ ପଦକ ବିଜୟୀ ହୋଇଥିଲେ । ୪୫.୫୫ ମିଟର ଫିଙ୍ଗି ପାର୍ବତୀ ଡିସକସରେ ଏହି ସଫଳତା ପାଇଥିଲେ ।

Share