ପଟୁରେ ପୋତିହେଲାଣି ଆଉଁଳି

ଛେଣ୍ଡିପଦା, ୪ା୩(ସ୍ବ.ପ୍ର.) – ଅଣଜଳସେଚିତ ଜମିକୁ ଜଳସେଚିତ କରି ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ଦୀର୍ଘ ୫୦ ବର୍ଷ ତଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ ଆରମ୍ଭ ହୋଇଥିଲା ଆଉଁଳି ଜଳସେଚନ ପ୍ରକଳ୍ପ। ହେଲେ ଏହି ଦୀର୍ଘବର୍ଷ ମଧ୍ୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଉକ୍ତ ପ୍ରକଳ୍ପ ପଟୁରେ ପୋତିହେବାକୁ ବସିଲାଣି। ସ୍ଥିତି ଏପରି ହେଲାଣି ଯେ ପ୍ରକଳ୍ପର ସ୍ଲୁଇସ୍‌ଗେଟ୍‌ ଗୁଡ଼ିକୁ କାଠ ଢିରା ଦେଇ ଅଟକାଇବାକୁ ପଡ଼ୁଛି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରି ଚାଲିଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ତୁରନ୍ତ ପ୍ରକଳ୍ପର ରକ୍ଷଣାବେକ୍ଷଣ କରାଯିବାକୁ ଦାବି ହୋଇଛି।
ସୂଚନାରୁ ଜଣାଯାଏ, ୧୯୬୪ରେ ଛେଣ୍ଡିପଦାରେ ଆଉଁଳି ମଧ୍ୟମ ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା। ପ୍ରକଳ୍ପ କାର୍ଯ୍ୟକ୍ଷମ ପରେ ଦୀର୍ଘ ୩୦ କିମିରୁ ଊର୍ଦ୍ଧ୍ୱ କେନାଲ ଦ୍ୱାରା ୨୨୭୧ ହେକ୍ଟର ଜମିକୁ ଜଳସେଚିତ କରାଯାଇଥିଲା। ବିଶେଷକରି କର୍ଣ୍ଣପାଳ, କଣଲୋଇ, ନୂଆଗାଁ, ଭାଲିଆସର, ଡଙ୍ଗାପାଳ, ମାରୁଢିପ, ତେଲିସାହି, ଜରିପାଳ ଆଦି ଅଞ୍ଚଳର ୫୨୫ ହେକ୍ଟର ରବି ଋତୁରେ ଓ ୧୭୪୬ ହେକ୍ଟରକୁ ଖରିଫ ଋତୁରେ ପାଣି ମଡ଼ାଯାଇ ଚାଷ କରାଯାଉଥିଲା। ହେଲେ ଏବେ ପ୍ରକଳ୍ପର ସ୍ଲୁଇସ୍‌ଗେଟ୍‌ ଗୁଡିକ ଅଚଳ ହୋଇଗଲାଣି। ଏପରିକି ଅନେକ ଯନ୍ତ୍ରାଂଶ ମଧ୍ୟ ଚୋରି ହୋଇଗଲାଣି। ଫଳରେ ନଦୀରେ ଲାଗିଥିବା ସ୍ବୟଂଚାଳିତ ଗେଟ୍‌ ଓ ସ୍ଲୁଇସ୍‌ଗେଟ୍‌ ଠିକ୍‌ ଭାବେ କାର୍ଯ୍ୟକରୁ ନ ଥିବାରୁ ପଟୁରେ ପ୍ରକଳ୍ପ ପୋତି ହୋଇ କେନାଲଗୁଡିକରେ ଜଳ ପ୍ରବାହିତ ବନ୍ଦ ହେବାକୁ ବସିଲାଣି। ୩ଟି ସ୍ଲୁଇସ୍‌ଗେଟ୍‌ ଦୀର୍ଘ ୨ ବର୍ଷ ହେଲାଣି ଅଚଳ ହୋଇଥିବା ବେଳେ ସ୍ବୟଂଚାଳିତ ସ୍ଲୁଇସ୍‌ଗେଟ୍‌ ୮ ମାସ ହେଲା କାମ କରୁନି। ଉକ୍ତ ଗେଟ୍‌କୁ ଚାଷୀମାନେ କାଠ ଢିରା ଦେଇ ନଦୀଜଳକୁ ଅଟକାଇ ଜଳସେଚନ କରୁଛନ୍ତି। ଏହାର ମରାମତି ନିମନ୍ତେ ଅଞ୍ଚଳବାସୀ ଦୀର୍ଘ ଦିନ ହେବ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଥିଲେ ମଧ୍ୟ କୌଣସି ଦୃଷ୍ଟି ଦିଆଯାଉ ନ ଥିବ ସେମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଦିଲୀପ କୁମାର ରଥ କୁହନ୍ତି, ଉକ୍ତ ପ୍ରକଳ୍ପ ମରାମତି ନିମନ୍ତେ ମେକାନିକାଲ ବିଭାଗକୁ ଜଣାଇ ଦିଆଯାଇଛି। ଚଳିତ ଖରିଫ ଋତୁ ସୁଦ୍ଧା ପ୍ରକଳ୍ପ ମରାମତି କାର୍ଯ୍ୟ ଶେଷ କରାଯିବ ଏବଂ ଚାଷୀମାନଙ୍କୁ ଜଳସେଚନ ନିମନ୍ତେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।