Categories: ଖେଳ

ନ୍ୟୁଜିଲାଣ୍ଡ ଫେରିଲେ ମାଇକ୍‌ ହେସନ

ନୂଆଦିଲ୍ଲୀ, ୨୯ା୪ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ରିକେଟ ଅପରେଶନ ଡାଇରେକ୍ଟର ମାଇକ୍‌ ହେସନ ମଙ୍ଗଳବାର ନ୍ୟୁଜିଲାଣ୍ଡ ଫେରିଯାଇଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ କରାଯାଇଥିବାରୁ ସେ ମାସାଧିକ କାଳ ଭାରତରେ ଅଟକି ରହିଥିଲେ। ଆଇପିଏଲ୍‌ର ୧୩ତମ ସଂସ୍କରଣରେ ଭାଗ ନେବା ଲାଗି ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ଓ କୋଚ୍‌ ମାର୍ଚ୍ଚ ୫ରେ ଭାରତରେ ପହଞ୍ଚତ୍ଥିଲେ। ଲକ୍‌ଡାଉନ୍‌ ପରେ ସମସ୍ତ ବିମାନସେବାକୁ ସସ୍‌ପେଣ୍ଡ କରାଯାଇଥିବାରୁ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲେ। ଗୋଟିଏ ଦିନ ବସ୍‌ ଯାତ୍ରା ପରେ ସେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚତ୍ଥିଲେ। ବସ୍‌ ଯାତ୍ରା ସମୟରେ ପାର୍ଶ୍ୱ ଦୃଶ୍ୟ ଅତ୍ୟନ୍ତ ମନ ମୁଗ୍ଧକର ଥିଲା ବୋଲି ସେ କହିଛନ୍ତି। ତାଙ୍କ ସ୍ବଦେଶ ଫେରିବା ବ୍ୟବସ୍ଥା ପାଇଁ ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତରେ ଥିବା ନ୍ୟୁଜିଲାଣ୍ଡ ଦୂତାବାସ, ନ୍ୟୁଜିଲାଣ୍ଡ ବୈଦେଶିକ ମନ୍ତ୍ରଣାଳୟ ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍‌ଡର୍ନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୋନାଭାଇରସ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ସେମାନଙ୍କ ଦେଶରେ ଗତମାସରୁ ଲକ୍‌ଡାଉନ୍‌ ଲାଗୁ କରିବା ସହ ଯାତାୟାତରେ କଟକଣା ଜାରି କରିଛନ୍ତି। ୪୫ ବର୍ଷୀୟ ହେସନଙ୍କୁ ଏଥିପାଇଁ ବେଙ୍ଗାଲୁରୁରେ ଅଟକିବାକୁ ପଡ଼ିଥିଲା। ଭାରତରେ ଲକ୍‌ଡାଉନ୍‌ର ମିଆଦକୁ ଇତିମଧ୍ୟରେ ମେ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡରେ ମଙ୍ଗଳବାରଠାରୁ କଟକଣା କୋହଳ କରାଯାଇଛି। କାର୍ଯ୍ୟସୂଚୀ ଅନୁସାରେ ଆଇପିଏଲ୍‌ ମାର୍ଚ୍ଚ ୨୯ରୁ ହେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ମହାମାରୀ ଯୋଗୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି।

Share