Categories: ଖେଳ

ନ୍ୟୁଜିଲାଣ୍ଡ ଟୁର: ଭାରତ ଏ’ ଦଳରେ ପାଣ୍ଡ୍ୟାଙ୍କ ସ୍ଥାନ ନାହିଁ

ନୂଆଦିଲ୍ଲୀ, ୧୩।୧- ଷ୍ଟାର୍‌ ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ ପୁଣିଥରେ ବିଳମ୍ବ ହୋଇଛି। ପିଠି ଯନ୍ତ୍ରଣାଜନିତ ସମସ୍ୟାରୁ ସୁସ୍ଥ ହେବାପରେ ପାଣ୍ଡ୍ୟାଙ୍କୁ ଆଗାମୀ ନ୍ୟୁଜିଲାଣ୍ଡ ଟୁର୍‌ ଲାଗି ଭାରତ-ଏ ଦଳରେ ସାମିଲ କରାଯାଇଥିଲା। ବରୋଦା ପକ୍ଷରୁ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଖେଳି ନ ଥିଲେ ମଧ୍ୟ ଚୟନକର୍ତ୍ତାମାନେ ତାଙ୍କୁ ଭାରତ-ଏ ଦଳରେ ସ୍ଥାନ ଦେଇଥିଲେ। କିନ୍ତୁ ପାଣ୍ଡ୍ୟା ବାଧ୍ୟତାମୂଳକ ଫିଟ୍‌ନେସ ପରୀକ୍ଷାରେ ବିଫଳ ହେବାରୁ ତାଙ୍କୁ ଏହି ଗସ୍ତରୁ ବାଦ୍‌ ଦିଆଯାଇଛି। ଅନ୍ତର୍ଜାତୀୟ ଖେଳାଳିଙ୍କ ପାଇଁ ରହିଥିବା ଫିଟ୍‌ନେସସ୍ତରଠାରୁ ୨୬ ବର୍ଷୀୟ ପାଣ୍ଡ୍ୟାଙ୍କ ଆହୁରି କମ୍‌ ରହିଛି। ଯେଉଁ କାରଣରୁ ତାଙ୍କୁ ଶୁବମନ ଗିଲ୍‌ଙ୍କ ନେତୃତ୍ୱାଧୀନ ଭାରତ-ଏ ଦଳରୁ ବାଦ୍‌ ଦିଆଯିବା ନିଷ୍ପତ୍ତି ହୋଇଛି। ତାମିଲନାଡ଼ୁ ଅଲ୍‌ରାଉଣ୍ଡର ବିଜୟ ଶଙ୍କରଙ୍କୁ ପାଣ୍ଡ୍ୟାଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି। ଭାରତ-ଏ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ସେଠାରେ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ଜାନୁୟାରୀ ୨୨ରୁ ଏହି ସିରିଜ ଆରମ୍ଭ ହେବ।

Share