Categories: ଖେଳ

ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଝଟ୍‌କା

ନୂଆଦିଲ୍ଲୀ, ୨୧।୧ (ପି.ଟି.)- ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୨-୧ରେ ଦିନିକିଆ ସିରିଜ ହରାଇବା ପରେ ଭାରତୀୟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପ୍ରସ୍ତୁତ ହେଉଛି। ତେବେ ନ୍ୟୁଜିଲାଣ୍ଡ ସିରିଜ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ଝଟ୍‌କା ଲାଗିଛି। ଆଘାତଜନିତ ସମସ୍ୟା ଲାଗି ଓପନର୍‌ ଶିଖର ଧାଓ୍ବନ କିଓ୍ବି ଦଳ ବିପକ୍ଷରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜରୁ ବାଦ୍‌ ପଡ଼ିଛନ୍ତି। ‘ହଁ, ସେ ଟି୨୦ ସିରିଜରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳ ଖେଳାଳି ଖୁବ୍‌ଶୀଘ୍ର ଘୋଷଣା କରାଯିବ’ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁ ଦିନିକିଆରେ ଫିଲ୍ଡିଂ କରୁଥିବାବେଳେ ଧାଓ୍ବନ କହୁଣିରେ ଆଘାତ ପାଇଥିଲେ। ଏହି କାରଣରୁ ସେ ଓପନିଂ କରିବାକୁ ଆସିପାରି ନ ଥିଲେ। ଫଳରେ ରୋହିତ୍‌ ଶର୍ମାଙ୍କ ସହ ଲୋକେଶ ରାହୁଲ ଇନିଂସ ଓପନ୍‌ କରିଥିଲେ। ଏକ୍ସ-ରେ ପରେ ଧାଓ୍ବନଙ୍କ ବାମହାତ କହୁଣିରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏହାପୂର୍ବରୁ ଦ୍ୱିତୀୟ ଦିନିକିଆରେ ପ୍ୟାଟ୍‌ କୁମିନ୍ସଙ୍କ ଏକ ବାଉନ୍ସର ୩୪ ବର୍ଷୀୟ ଧାଓ୍ବନଙ୍କ ହାତରେ ବାଜିବାରୁ ସେ ମଧ୍ୟ ଫିଲ୍ଡିଂ କରିବାକୁ ଆସିପାରି ନ ଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍‌ରେ ସେ ଯଥାକ୍ରମେ ୯୬ ଓ ୭୪ ରନ କରିଥିଲେ। ଧାଓ୍ବନ ମଧ୍ୟ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜରୁ ସଂମ୍ପୂର୍ଣ୍ଣ ଭାବେ ବାଦ୍‌ ପଡ଼ିଥିଲେ।

Share