ଯୋଧପୁର,୧୮ା୫: ରାଜସ୍ଥାନର ଯୋଧପୁର ଅନ୍ତର୍ଗତ ଗ୍ରାମାଞ୍ଚଳରେ ବହୁବର୍ଷ ଧରି ଗଣବଳାତ୍କାର ଓ ବ୍ଲାକ୍ମେଲ୍ର ସମ୍ମୁଖୀନ ହୋଇଆସୁଥିବା ୨ ଭଉଣୀ ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ସତ୍ତ୍ୱେ ନ୍ୟାୟ ନ ପାଇବାରୁ ଶେଷରେ ଜୀବନ ହାରିଛନ୍ତି। ଗତ ମାର୍ଚ୍ଚରେ ବଡ଼ ଭଉଣୀ ଆତ୍ମହତ୍ୟା କରିଥିବାବେଳେ ୨ ମାସ ପରେ ସାନ ଭଉଣୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ଯୋଧପୁର ଗ୍ରାମାଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ପୋଲିସର ଅବହେଳା ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳତାକୁ ବିରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପୀଡ଼ିତାଙ୍କ ବାପା ପୋଲିସର ଆଚରଣକୁ ନେଇ ପ୍ରଶ୍ନ ଉଠାଇବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ କରାଯିବାକୁ ଦାବି କରିଛନ୍ତି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ୨ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଅନ୍ୟ କେତେଜଣଙ୍କୁ ପଚରାଉଚରା ଚଳାଇଛି।
ବଡ଼ ଭଉଣୀଙ୍କୁ ସ୍ଥାନୀୟ ଇ-ମିତ୍ର ସେବାକେନ୍ଦ୍ରର ପରିଚାଳକ ମହିପାଲ ଜାଲରେ ଫସାଇ ଗୋପନରେ ତାଙ୍କ ଅଶ୍ଳୀଳ ଭିଡିଓ ରେକର୍ଡ କରିଥିଲେ ବୋଲି ଗତ ଏପ୍ରିଲ ୧୧ରେ ତାଙ୍କ ଉଭଣୀ ଥାନାରେ ଅଭିଯୋଗ କରିଥିଲେ। ମହିପାଲଙ୍କ ସମେତ ଶିବରାଜ, ଗୋପାଳ, ବିଜାରାମ, ଦିନେଶ, ମନୋଜ ଏବଂ ପୁଖରାଜ ବଡ଼ ଭଉଣୀଙ୍କୁ ଗଣବଳାତ୍କାର କରିବା ସହ ଧମକ ଦେଇଥିଲେ ବୋଲି ସାନ ଭଉଣୀ ଅଭିଯୋଗରେ ଦର୍ଶାଇଥିଲେ। ସେମାନେ ବଡ଼ ଭଉଣୀଙ୍କୁ ୪ ବର୍ଷ ଯାଏ ଶୋଷଣ କରିବା ସହ ବ୍ଲାକ୍ମେଲିଂ କରି ଜବରଦସ୍ତ ଟଙ୍କା ଆଦାୟ କରିଆସୁଥିଲେ। ଆଉ ଅଧିକ ଦିନ ନିର୍ଯାତନା ସହି ନ ପାରି ବଡ଼ ଭଉଣୀ ମାର୍ଚ୍ଚ ୨୦ରେ ଆତ୍ମହତ୍ୟା କରିଥିଲେ। ନ୍ୟାୟ ନ ମିଳିଲେ ସାନ ଭଉଣୀ ମଧ୍ୟ ଆତ୍ମହତ୍ୟା କରିବେ ବୋଲି ପୋଲିସକୁ ଚେତାବନୀ ଦେଇଥିଲେ।
ସାନ ଭଉଣୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏତଲା ଦାଏର କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଆତଙ୍କ ଏହିଠାରେ ଶେଷ ହୋଇ ନ ଥିଲା। ବଡ଼ଭଣୀଙ୍କ ଆତ୍ମହତ୍ୟା ପରେ ଅଭିଯୁକ୍ତମାନେ ସାନ ଭଉଣୀଙ୍କୁ ଯୌନ ନିର୍ଯାତନା ଦେବା ବଡ଼ ଭଉଣୀଙ୍କ ଭିଡିଓ ସର୍ବସାଧାରଣରେ ପ୍ରକାଶ କରିଦେବେ ବୋଲି ଧମକ ଦେଉଥିଲେ। ଏପରିିକି ଏତଲା ଦାଏର ସତ୍ତ୍ୱେ ସେମାନେ ସାନ ଭଉଣୀଙ୍କୁ ଧମକ ଦେଉଥିଲେ। ପୋଲିସ ସେମାନଙ୍କର କିଛି କରିପାରିବ ନାହିଁ ବୋଲି ସେମାନେ କହୁଥିବା ସାନ ଭଉଣୀ ଅଭିଯୋଗରେ ଦର୍ଶାଇଥିଲେ। ଗତ ଶୁକ୍ରବାର ସାନ ଭଉଣୀ ଏକ ପାଣି ଟାଙ୍କି ଉପରେ ଚଢ଼ି ଅଭିଯୁକ୍ତମାନଙ୍କ ଗିରଫ ଦାବି କରିଥିଲେ। ସେଠାରେ ସେ ବିଷ ପିଇଦେଇଥିଲେ। ହସ୍ପିଟାଲ ନେବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
ନ୍ୟାୟ ନ ପାଇ ୨ ଭଉଣୀ ଜୀବନ ହାରିବା ଘଟଣାରେ ରାଜପୁତ୍ ସମ୍ପ୍ରଦାୟରେ ଉତ୍ତେଜନା ଦେଖାଦେଇଛି। ସାନ ଭଉଣୀଙ୍କ ମୃତଦେହ ରଖାଯାଇଥିବା ଏମ୍ଡିଏମ୍ ହସ୍ପିଟାଲ ବାହାରେ ସେମାନେ ରୁଣ୍ଡ ହୋଇ ବିକ୍ଷୋଭ କରିବାରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ପରିବାର ସଦସ୍ୟ ସହମତ ହୋଇଥିଲେ। ପୋଲିସ ଅପରାଧୀମାନଙ୍କୁ ସୁରକ୍ଷା ଦେଇ ଆସୁଥିଲା। ପୋଲିସର ବିଫଳତା ପାଇଁ ୨ ଭଉଣୀଙ୍କ ଜୀବନ ଗଲା ବୋଲି ମାରଓ୍ବାର ରାଜପୁତ ସୋସାଇଟି ସଭାପତି ହନୁମାନ ସିଂ ଖଙ୍ଗଟା କହିଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ସହ ଅବହେଳା କରିଥିବା ପୋଲିସ ଅଫିସରଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରାଜପୁତ ସମ୍ପ୍ରଦାୟ ଦାବି କରିଛନ୍ତି। ମଣିପାଲ ଓ ତାଙ୍କ ସହଯୋଗୀଙ୍କୁ ଅଟକ ରଖାଯିବା ସହ ଗିରଫ ପ୍ରକ୍ରିୟା ଚାଲିଥିବା ଯୋଧପୁର ଏସ୍ପି କହିଛନ୍ତି। କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ବିଭାଗୀୟ ତଦନ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

