Categories: ଖେଳ

ନ୍ୟାଶନାଲ ସ୍ପୋର୍ଟ୍ସ କୋଡ୍‌: ସତ୍ୟପାଠ ଦାଖଲ କରିବ କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ, ୧୧ା୧୨ (ପି.ଟି.)- ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ସତ୍ୟପାଠ କରାଯିବ। ଏଥିରେ ବିବାଦୀୟ ନ୍ୟାଶନାଲ ସ୍ପୋଟର୍‌ସ କୋଡ୍‌ ୨୦୧୭ର ସମୀକ୍ଷା ପାଇଁ ଏକ ପ୍ୟାନେଲର ନିଯୁକ୍ତି ଉପରେ କୋର୍ଟଙ୍କ ରହିତାଦେଶକୁ ପ୍ରତ୍ୟାହାର ପାଇଁ ନିବେଦନ କରାଯିବ। ବିଭାଗୀୟ ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ନ୍ୟାଶନାଲ ସ୍ପୋଟର୍‌ସ କୋଡ୍‌କୁ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଅଗ୍ରାହ୍ୟ କରିବାରୁ
ନଭେମ୍ବର ୨୬ରେ ମନ୍ତ୍ରଣାଳୟ ଏହାର ସମୀକ୍ଷା ଲାଗି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି (ଅବସରପ୍ରାପ୍ତ) ଜଷ୍ଟିସ ମୁକୁନ୍ଦକମ୍‌ ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ୧୩ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲା। ଏହି କମିଟିର ଅନ୍ୟ ସଦସ୍ୟମାନେ ହେଲେ ଗଗନ ନାରଙ୍ଗ, ବାଇଚୁଙ୍ଗ ଭୂତିଆ, ପୁଲେଲା ଗୋପୀଚାନ୍ଦ, ଅଞ୍ଜୁ ବବି ଜର୍ଜ, ଅଜୟ ସିଂ, ସୁଧାଂଶୁ ମିତଲ, ଆଡିଲ୍‌ ସୁମାରିଓ୍ବାଲା ଏବଂ ଆଇଓଏ ଓ କ୍ରୀଡ଼ା ମନ୍ତ୍ରଣାଳୟର ପ୍ରତିନିଧିମାନେ। ଆମ ତରଫରୁ ଠିକଣାରୂପେ ଉପସ୍ଥାପନ କରାଯାଇ ନ ଥିବାରୁ ବୋଧହୁଏ ହାଇକୋର୍ଟ ଏଭଳି ରୁଲିଂ ଦେଲେ। ତେଣୁ ଆଉ ଏକ ସତ୍ୟପାଠ ଦାଖଲ କରିବା ଲାଗି ମୁଁ ବିଭାଗୀୟ ସଚିବଙ୍କୁ କହିଛି ବୋଲି ରିଜିଜୁ ପ୍ରକାଶ କରିଛନ୍ତି। ମଙ୍ଗଳବାର ଏଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡ଼ାମନ୍ତ୍ରୀ ଅଭିନେତା ସୁନୀଲ ସେଟ୍ଟୀଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ର ବ୍ରାଣ୍ଡ୍‌ ଆମ୍ବାସାଡର ଘୋଷଣା କରିଛନ୍ତି।

Share