Categories: ଖେଳ

ନ୍ୟାଶନାଲ କ୍ୟାମ୍ପ ପାଇଁ ଭାରତୀୟ ମହିଳା ହକି ଦଳ ପହଞ୍ଚିଲା

ଭୁବନେଶ୍ୱର, ୧୪।୧୦(ସ୍ପୋଟର୍‌ସ ବ୍ୟୁରୋ)- ଏଫ୍‌ଆଇଏଚ୍‌ ଅଲିମ୍ପିକ୍ସ ହକି କ୍ୱାଲିଫାୟର ପାଇଁ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ପ୍ରଶିକ୍ଷଣ ଶିବିର ସୋମବାର ଆରମ୍ଭ ହେବ। ଏଥିରେ ଯୋଗଦେବା ପାଇଁ ଭାରତୀୟ ମହିଳା ହକି ଦଳ ଭୁବନେଶ୍ୱରରେ ପହଞ୍ଚି। ନଭେମ୍ବର ୧ରୁ କ୍ୱାଲିଫାୟର ମ୍ୟାଚ ଖେଳାଯିବ। ୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଭାରତ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱର ୧୩ ନମ୍ବର ଦଳ ଆମେରିକାକୁ ଭେଟିବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଆ ତାରକା ଦୀପଗ୍ରେସ୍‌ ଏକ୍କା ଓ ଅନ୍ୟ ଖେଳାଳିମାନେ ଅଧିନାୟିକା ରନୀ ରାମ୍‌ପଲଙ୍କ ସହ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି।
କ୍ୟାରିୟରରେ ୨୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ପ୍ରଥମଥର ପାଇଁ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିବାକୁ ଯାଉଛି ବୋଲି ଦୀପଗ୍ରେସ କହିଛନ୍ତି। ଘରୋଇ ଦର୍ଶକ ଆମକୁ ଭଲ ଖେଳିବାକୁ ଉତ୍ସାହିତ କରିବେ । ଏଠାରେ ହକି ମ୍ୟାଚ୍‌ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥାଏ ବୋଲି ସେ କହିଛନ୍ତି।
ଅନ୍ୟପଟେ ଗତ କେତେମାସ ଧରି ଆମ ଦଳ ବେଶ୍‌ ଭଲ ପ୍ରଦର୍ଶନ କରୁଛି ବୋଲି ରାନୀ କହିଛନ୍ତି। ହିରୋଶିମାରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସରେ ଆମେ ବିଜୟୀ ହୋଇଥିଲୁ। ସେହିପରି ଇଂଲଣ୍ଡ ଗସ୍ତରେ ଆମେ ପ୍ରଥମ ମ୍ୟାଚ୍‌ରେ ଗ୍ରେଟ ବ୍ରିଟେନକୁ ୨-୧ ଗୋଲରେ ହରାଇଥିଲୁ ଓ ଅନ୍ୟ ୩ଟି ମ୍ୟାଚ୍‌ ଡ୍ର ରଖିଥିଲୁ। ତେବେ ଘରୋଇ ଦଳଠାରୁ ଗୋଟିଏ ମ୍ୟାଚ୍‌ରେ ପରାଜୟ ବରଣ କରିଥିଲୁ। ତେବେ ଏହି ଗସ୍ତରେ ଆମେ ଭଲ ଅଭିଜ୍ଞତା ହାସଲ କରିଥିଲୁ ବୋଲି ଅଧିନାୟିକା ରାନୀ କହିଛନ୍ତି। ଶେଷଥର ପାଇଁ ଭାରତ ୨୦୧୯ ମହିଳା ବିଶ୍ୱକପ୍‌ରେ ଆମେରିକାକୁ ଭେଟିଥିଲା। ଏହା ୧-୧ରେ ଡ୍ର ରହିଥିଲା ଓ ଭାରତ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା। ତେବେ ଇତିମଧ୍ୟରେ ପାଖାପାଖି ଗୋଟିଏ ବର୍ଷ ବିତିଗଲାଣି ଓ ବହୁତ କିଛି ପରିବର୍ତ୍ତନ ମଧ୍ୟ ଆସିଛି। ଅଲିମ୍ପିକ ଯୋଗ୍ୟତା ପାଇଁ ଏହି କ୍ୱାଲିଫାୟର ଆମ ଲାଗି ଅନ୍ତିମ ସୁଯୋଗ ସୃଷ୍ଟି କରିଛି। ଆମେରିକାକୁ ହରାଇବାକୁ ଆମେ ଯଥାସମ୍ଭବ ପ୍ରୟାସ କରିବୁ ବୋଲି ରାନୀ କହିଛନ୍ତି।

Share