ନୋବେଲ ପୁରସ୍କାର ଚିକିତ୍ସା ବିଜ୍ଞାନ-୨୦୧୯ ଅମ୍ଳଜାନର ପରିମାଣକୁ ବାରି ଜୀବକୋଷରେ ପରିବର୍ତ୍ତନ

”ଜୀବନଧାରଣ ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ। ମାତ୍ର ଶରୀରର ଜୀବକୋଷମାନ ଅମ୍ଳଜାନର ପରିମାଣରେ ବିଭିନ୍ନତାକୁ କିପରି ବାରିପାରନ୍ତି ଓ କିପରି ଏହା ସହ ଖାପଖୁଆଇ ନିଜ ଭିତରେ ଆବଶ୍ୟକ ପରିବର୍ତ୍ତନ କରିପାରନ୍ତି, ତାହା ବହୁ ଦିନ ଧରି ଅଜଣା ରହି ଆସିଥିଲା । ଏହି ସଂକ୍ରାନ୍ତ ଆବିଷ୍କାର ପାଇଁ ଚଳିତ ୨୦୧୯ ମସିହାରେ ଶରୀରତତ୍ତ୍ୱ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇଁ ତିନିଜଣ ଭେଷଜ ବିଜ୍ଞାନୀଙ୍କୁ ମନୋନୀତ କରାଯାଇଛି । ସେମାନେ ହେଲେ ଉଇଲିୟମ୍‌ ଜି. କାଏଲିନ୍‌ ଜୁନିୟର, ସାର୍‌ ପିଟର ଜେ.ର଼୍ୟାଟ୍‌କ୍ଲିଫ୍‌ ଏବଂ ଗ୍ରେଗ୍‌ ଏଲ୍‌. ସେମେଞ୍ଜା ।“

ଜୀବନଧାରଣ ପାଇଁ ଅମ୍ଳଜାନ ଅପରିହାର୍ଯ୍ୟ। ମାତ୍ର ଶରୀରର ଜୀବକୋଷମାନ ଅମ୍ଳଜାନର ପରିମାଣରେ ବିଭିନ୍ନତାକୁ କିପରି ବାରିପାରନ୍ତି ଓ କିପରି ଏହା ସହ ଖାପଖୁଆଇ ନିଜ ଭିତରେ ଆବଶ୍ୟକ ପରିବର୍ତ୍ତନ କରିପାରନ୍ତି, ତାହା ବହୁଦିନ ଧରି ଅଜଣା ରହି ଆସିଥିଲା । ଏ ସଂକ୍ରାନ୍ତ ଆବିଷ୍କାର ପାଇଁ ଚଳିତ ୨୦୧୯ ମସିହାରେ ଶରୀରତତ୍ତ୍ୱ ଏବଂ ଭେଷଜ ବିଜ୍ଞାନ ନୋବେଲ ପୁରସ୍କାର ପାଇଁ ତିନି ଜଣ ଭେଷଜ ବିଜ୍ଞାନୀଙ୍କୁ ମନୋନୀତ କରାଯାଇଛି। ସେମାନେ ହେଲେ ଉଇଲିୟମ୍‌ ଜି. କାଏଲିନ୍‌ ଜୁନିୟର, ସାର୍‌ ପିଟର ଜେ.ର଼୍ୟାଟ୍‌କ୍ଲିଫ୍‌ ଏବଂ ଗ୍ରେଗ୍‌ ଏଲ୍‌. ସେମେଞ୍ଜା ।
୬୨ ବର୍ଷ ବୟସ୍କ ପ୍ରଫେସର କାଏଲିନ୍‌ ଜଣେ ଆମେରିକୀୟ ଏବଂ ଭେଷଜ ଓ କର୍କଟ ରୋଗ ବିଶେଷଜ୍ଞ । ଏବେ ସେ ଆମେରିକାର ଡାନା ଫାର୍ବର କ୍ୟାନ୍‌ସର ଇନ୍‌ଷ୍ଟିଚ୍ୟୁଟ୍‌ ଓ ହାର୍ଭାର୍ଡ ହ୍ୟୁଗ୍‌ ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ରେ ଗବେଷଣାରତ ।
ବ୍ରିଟିଶ ନାଗରିକ ପ୍ରଫେସର ର଼୍ୟାଟ୍‌କ୍ଲିଫଙ୍କ ବୟସ ୬୫ ଓ ସେ ଜଣେ ବୃକ୍‌କ ରୋଗ ବିଶେଷଜ୍ଞ। ସେ ସମ୍ପ୍ରତି ରହିଛନ୍ତି ଲଣ୍ଡନସ୍ଥିିତ ଫ୍ରାନ୍‌ସିସ୍‌ କ୍ରିକ୍‌ ଇନ୍‌ଷ୍ଟିଚ୍ୟୁଟରେ କ୍ଲିନିକାଲ ରିସର୍ଚ୍ଚ ଶାଖାର ନିର୍ଦ୍ଦେଶକ ।
ଆମେରିକୀୟ ବୈଜ୍ଞାନିକ ପ୍ରଫେସର ସେମେଞ୍ଜା ଜଣେ ଶିଶୁରୋଗ ବିଶେଷଜ୍ଞ ।
୬୩ବର୍ଷ ବୟସ୍କ ପ୍ରଫେସର ସେମେଞ୍ଜା ବିଗତ ୧୬ ବର୍ଷ ଧରି ଆମେରିକାର ଜନ୍‌ସ ହପ୍‌କିନ୍ସ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ସେଲ୍‌ ଇଞ୍ଜିନିୟରିଂର ରକ୍ତନଳୀ ଗବେଷଣା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ରହି ଆସିଛନ୍ତି।
ପ୍ରକାଶ ଥାଉକି ଏହି ତିନିଜଣଯାକ ନୋବେଲ ବିଜେତା ହେଉଛନ୍ତି ଚିକିତ୍ସା ବିଜ୍ଞାନୀ । ନୋବେଲ ପୁରସ୍କାର ବାବଦକୁ ଏମାନେ ପ୍ରତ୍ୟେକ ପାଇବେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣପଦକ, ନୋବେଲ ଡିପ୍ଲୋମା ବା ପୁରସ୍କାର ପାଇଥିବାର ପ୍ରମାଣପତ୍ର ଏବଂ ୩୦୬ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୨କୋଟି୧୮ଲକ୍ଷ ଟଙ୍କା) ପରିମିତ ଅର୍ଥ । ପୁରସ୍କାର ପ୍ରଦତ୍ତ ହେବ ଡିସେମ୍ବର ୧୦ ତାରିଖରେ ଅନୁଷ୍ଠିତ ନୋବେଲ ଦିବସରେ ।
ଏହି ତାରିଖରେ ନୋବେଲ ପୁରସ୍କାରର ପ୍ରତିଷ୍ଠାତା ଆଲ୍‌ଫ୍ରେଡ୍‌ ନୋବେଲ ପରଲୋକ ଗମନ କରିଥିଲେ।
ଆବିଷ୍କାରର ରୂପରେଖ
ଅମ୍ଳଜାନର ସ୍ବଳ୍ପତାକୁ ବିଜ୍ଞାନର ଭାଷାରେ ‘ହାଇପୋକ୍ସିଆ’ ବୋଲି କହନ୍ତି ା ରକ୍ତରେ ଅମ୍ଳଜାନର ପରିମାଣ କମିଗଲେ ବେକର ଦୁଇପଟରେ ଥିବା କାରୋଟିଡ୍‌ ଧମନୀର କାରୋଟିଡ୍‌ ବଡିସ୍ଥିତ ସ୍ବତନ୍ତ୍ର ରାସାୟନିକ ଅଭିଗ୍ରାହକ ବା କେମୋରିସିପ୍ଟର ଉଦ୍ଦୀପିତ ହୋଇପଡ଼ନ୍ତି। ଏହାର ପ୍ରଭାବରେ ମସ୍ତିଷ୍କର ଶ୍ୱାସକେନ୍ଦ୍ର ଉତ୍ତେଜିତ ହୋଇ ଶ୍ୱାସକ୍ରିୟାର ହାର ବଢ଼ିଯାଏ ା ଫଳରେ ଅମ୍ଳଜାନର ଅଭାବ ଭରଣା ହୋଇ ସ୍ବାଭାବିକ ଅବସ୍ଥା ଫେରିଆସେ ା
ଏହା ବ୍ୟତୀତ ଅମ୍ଳଜାନ ସ୍ବଳ୍ପତାର ନିୟନ୍ତ୍ରଣ ନିମନ୍ତେ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ରହିଛି ା ଯେପରିକି ଅମ୍ଳଜାନର ପରିମାଣ କମିଗଲେ ରକ୍ତରେ ‘ଏରିଥ୍ରୋପଏଟିନ୍‌’ ନାମକ ହର୍‌ମୋନର ମାତ୍ରା ବଢ଼ିଯାଏ ା
ଏରିଥ୍ରୋପଏଟିନ୍‌ର ପ୍ରଭାବ ଯୋଗୁ ବୃଦ୍ଧି ପାଇଯାଏ ଅମ୍ଳଜାନ ବହନକରି ନେଉଥିବା ଲୋହିତ ରକ୍ତକୋଷିକାର ସଂଶ୍ଳେଷଣ ା ହେଲେ ଏରିଥ୍ରୋପଏଟିନ୍‌ ସଂଶ୍ଲେଷକ ତଥା ଆନୁଷଙ୍ଗିକ ପ୍ରକ୍ରିୟାମାନ ପୁଣି ନିୟନ୍ତ୍ରିତ ହୋଇଥାଏ କିପରି ? ଏହି ରହସ୍ୟକୁ ଉନ୍ମୋଚନ କରିଦେଲା ଗ୍ରେଗ୍‌ ସେମେଞ୍ଜା ଓ ପିଟର ର଼୍ୟାଟ୍‌କ୍ଲିଫ୍‌ଙ୍କ ଗବେଷଣା। ଏ ଦୁହେଁ ଏରିଥ୍ରୋପଏଟିନ୍‌ର ଜିନ୍‌ ନିୟନ୍ତ୍ରଣ ପ୍ରକ୍ରିୟାକୁ ଅନୁଧ୍ୟାନ କରିଥିଲେ ା ଏମାନେ ସାବ୍ୟସ୍ତକରି ଦେଲେ ଯେ ଅମ୍ଳଜାନର ଅଭାବ ପ୍ରତି ଜୀବକୋଷଗୁଡ଼ିକର ସମ୍ବେଦନଶୀଳତା ସମସ୍ତ ତନ୍ତୁକୋଷିକାରେ କ୍ରିୟାଶୀଳ ହୋଇଥାଏ। ଏହି ସମ୍ବେଦନଶୀଳତା ପାଇଁ ଦାୟୀ ଏକ ପ୍ରୋଟିନ କମ୍ପ୍ଲେକ୍ସକୁ ଆବିଷ୍କାର କରିଥିଲେ ସେମେଞ୍ଜା ା ସେ ପ୍ରୋଟିନ କମ୍ପ୍ଲେକ୍ସଟିର ନଁା ରଖିଥିଲେ ହାଇପୋକ୍ସିଆ-ଇଣ୍ଡ୍ୟୁସିବଲ ଫ୍ୟାକ୍ଟର ବା ଏଚ୍‌ଆଇଏଫ୍‌ ଏବଂ ଏହାର ଜିନ୍‌କୁ ମଧ୍ୟ ଚିହ୍ନଟ କରିଥିଲେ ା ଦୁଇଟି ପୃଥକ୍‌ ଡିଏନ୍‌ଏ ବାଇଣ୍ଡିଂ ପ୍ରୋଟିନକୁ ନେଇ ଏଚ୍‌ଆଇଏଫ୍‌ ଅଣୁ ଗଠିତ ା ଗୋଟିକର ନାମ ଏଚ୍‌ଆଇଏଫ୍‌-୧ ଆଲ୍‌ଫା ଏବଂ ଅନ୍ୟଟିର ନାମ ଏଆର୍‌ଏନ୍‌ଟି।
କ୍ୟାନ୍‌ସର ଗବେଷକ ଉଇଲିୟମ କାଏଲିନ୍‌ ଭନ୍‌ ହିପ୍ପେଲ-ଲିଣ୍ଡାଉ ରୋଗ ବା ‘ଭିଏଚ୍‌ଏଲ୍‌ ଡିଜିଜ’ ନାମକ ଏକ ଅନୁବଂଶୀୟ ବ୍ୟାଧି ଉପରେ ଗବେଷଣା କରୁଥିଲେ ା ସେ ଦର୍ଶାଇ ଦେଲେ ଯେ, ଭିଏଚ୍‌ଏଲ୍‌ ଜିନ୍‌ ସଂଶ୍ଲେଷଣ କରୁଥିବା ଭିଏଚ୍‌ଏଲ୍‌ ନାମକ ପ୍ରୋଟିନ ଉପାଦାନଟି ହାଇପୋକ୍ସିଆ ବା ଅମ୍ଳଜାନ ସ୍ବଳ୍ପତାର ପ୍ରଭାବକୁ ନିୟନ୍ତ୍ରଣ କରିବା ସହ ସମ୍ପୃକ୍ତ।
ଏଆଇଏଫ୍‌-୧ ଆଲ୍‌ଫା ଓ ଭିଏଚ୍‌ଏଲ୍‌ ମଧ୍ୟରେ ସଂଘଟିତ ପାରସ୍ପରିକ କ୍ରିୟା ଜୀବକୋଷରେ ଅମ୍ଳଜାନର ପରିମାଣକୁ ନିୟନ୍ତ୍ରିତ କରିଥାଏ ା ମାତ୍ର କିପରି ? ଜୀବକୋଷରେ ଅମ୍ଳଜାନର ଅଭାବ ଅନୁଭୂତ ହେଲେ ଏଚ୍‌ଆଇଏଫ୍‌ ଜିନ୍‌ ସକ୍ରିୟ ହୋଇପଡ଼େ ଓ ଏଚ୍‌ଆଇଏଫ୍‌-୧ ଆଲ୍‌ଫା ସହ ଭିଏଚ୍‌ଏଲ୍‌ ସମ୍ପୃକ୍ତ ହୋଇ ପାରେନି ା
ଏଚ୍‌ଆଇଏଫ୍‌ ଜୀବକୋଷରେ ଜମି ଯାଇ ଡିଏନ୍‌ଏକୁ ସକ୍ରିୟ କରି ବୃଦ୍ଧି କରିଦିଏ ଏରିଥ୍ରୋପଏଟିନ୍‌ ହର୍‌ମୋନର ସଂଶ୍ଲେଷଣ ା ଏହାର ପରିଣାମରେ ଲୋହିତ ରକ୍ତକଣିକାଗୁଡିକର ସଂଶ୍ଲେଷଣ ବୃଦ୍ଧି ପାଇ ଜୀବକୋଷଗୁଡିକୁ ଆବଶ୍ୟକ ପରିମାଣର ଅମ୍ଳଜାନ ଯୋଗାଇଦେଇ ପରିସ୍ଥିତିକୁ ସୁଧାରିଦିଏ।
ଅନ୍ୟପକ୍ଷରେ ଜୀବକୋଷରେ ଅମ୍ଳଜାନର ମାତ୍ରା ସ୍ବାଭାବିକ ଥିଲେ ଏଚ୍‌ଆଇଏଫ୍‌-୧ ଆଲ୍‌ଫା ସହ ଭିଏଚ୍‌ଏଲ୍‌ ସଂଯୁକ୍ତ ହୋଇ ଏଚ୍‌ଆଇଏଫ୍‌-୧ ଆଲ୍‌ଫାକୁ ନଷ୍ଟ କରିଦିଏ ା ଫଳରେ ଜୀବକୋଷ ଭିତରେ ଏଚ୍‌ଆଇଏଫ୍‌-୧ ଆଲ୍‌ଫା ଜମି ରହେ ନାହିଁ। କାଏଲିନ୍‌, ର଼୍ୟାଟ୍‌କ୍ଲିଫ୍‌ ଓ ସେମେଞ୍ଜାଙ୍କ ଅସାଧାରଣ ଆବିଷ୍କାର ଯଥେଷ୍ଟ ଆଲୋଡ଼ନ ସୃଷ୍ଟି କରିପାରିଛି। ଅମ୍ଲଜାନର ଅଭାବକୁ ଜୀବକୋଷମାନ ସହଜରେ ବାରିପାରନ୍ତି ଓ ସେହି ଅନୁସାରେ ନିଜ ଅଭ୍ୟନ୍ତରରେ ସମ୍ପାଦିତ ଚୟାପଚୟ ପ୍ରକ୍ରିୟାକୁ ପରିବର୍ତ୍ତିତ କରିପାରନ୍ତି। ଉଦାହରଣ ସ୍ବରୂପ, ବ୍ୟାୟାମ କରିବା ସମୟରେ ମାଂସପେଶୀ କୋଷରେ ଜାତ ହୋଇପଡ଼େ ଅମ୍ଲଜାନର ଅଭାବ। ଏଭଳି ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ପେଶୀକୋଷମାନ ଗ୍ଲୁକୋଜ୍‌ର ଚୟାପଚୟ ପ୍ରକ୍ରିୟାକୁ ପରିବର୍ତ୍ତିତ କରିଦେଇ ଜାତ କରିଥାନ୍ତି କମ୍‌ ପରିମାଣର ଶକ୍ତି। ସେହିପରି ଅମ୍ଲଜାନର ଅଭାବ ପରିଲକ୍ଷିତ ହେଲେ (ଯେପରିକି ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ବାସ କରୁଥିବା ଲୋକମାନଙ୍କଠାରେ) ନୂଆ ନୂଆ ରକ୍ତନଳୀମାନ ସୃଷ୍ଟି ହୋଇପଡ଼ିବା ସଙ୍ଗେ ସଙ୍ଗେ ଲୋହିତ ରକ୍ତକୋଷିକାଗୁଡ଼ିକର ସଂଶ୍ଲେଷଣ ହାର ମଧ୍ୟ ବଢ଼ିଯାଏ। ଏହାଛଡ଼ା ଆମ ଶରୀରର ପ୍ରତିରକ୍ଷା ତନ୍ତ୍ର ଏବଂ ଅନ୍ୟ କେତେକ ଶାରୀରିକ କ୍ରିୟା ଅମ୍ଲଜାନର ଅଭାବକୁ ବାରିନେଇ ସେହି ଅନୁସାରେ ବିଭିନ୍ନ ଜୈବ ରାସାୟନିକ କ୍ରିୟାକୁ ନିୟନ୍ତ୍ରଣ କରିଦେଇପାରନ୍ତି। ମାଆ ଗର୍ଭରେ ଭ୍ରୂଣର ବିକାଶ ସମୟରେ ଅମ୍ଲଜାନ ଅପରିହାର୍ଯ୍ୟ ବିବେଚିତ ହୋଇଥାଏ। କାରଣ ତାହା ଭ୍ରୂଣଠାରେ ରକ୍ତନଳୀ ଓ ପ୍ଲାସେଣ୍ଟା ବା ଗର୍ଭଫୁଲର ବିକାଶକୁ ନିୟନ୍ତ୍ରଣ କରିଥାଏ।
ଅମ୍ଲଜାନର ପରିମାଣକୁ ଚିହ୍ନଟ କରିପାରିବା ପ୍ରକ୍ରିୟା ମଧ୍ୟ ଅନେକ ବ୍ୟାଧିରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ରକ୍ତହୀନତା, କ୍ୟାନ୍‌ସର, ହାର୍ଟ ଆଟାକ୍‌, ଷ୍ଟ୍ରୋକ୍‌ ବା ବ୍ରେନ୍‌ ଆଟାକ୍‌, ବିଭିନ୍ନ ପ୍ରକାର ପ୍ରବାହ, କ୍ଷତ ଅବସ୍ଥା ଆଦି ରୋଗର ଚିକିତ୍ସା ପାଇଁ ବିଭିନ୍ନ ଔଷଧ ତିଆରି କରିବା ନିମନ୍ତେ ଅମ୍ଲଜାନ-ନିୟନ୍ତ୍ରିତ ପ୍ରକ୍ରିୟାର ବିନିଯୋଗ ଉପରେ ସମ୍ପ୍ରତି ଅଗ୍ରାଧିକାର ଦିଆଯାଉଛି। ଏଥିମଧ୍ୟରେ ରୋକ୍‌ସାଡୁଷ୍ଟାଟ୍‌ ଓ ଡାପ୍‌ରୋଡୁଷ୍ଟାଟ୍‌ ନାମକ ଔଷଧ ରକ୍ତହୀନତାର ଚିକିତ୍ସାରେ ବ୍ୟବହୃତ ହେଲାଣି।

ଡା. ନିତ୍ୟାନନ୍ଦ ସ୍ବାଇଁ
-ଅଭୀପ୍‌ସା, ସେକ୍ଟର-୬, ୧୧୩୧,ଅଭିନବ ବିଡ଼ାନାସୀ, କଟକ
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

୫୪ ବର୍ଷ ପରେ ପୂର୍ଣ୍ଣ ସୂର୍ଯ୍ୟପରାଗ: ଏହି ୩ ରାଶିର ଚମକିବ ଭାଗ୍ୟ

ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ୮ ଏପ୍ରିଲ ୨୦୨୪ରେ ପଡିବ। ହିନ୍ଦୁ ଧର୍ମରେ ସୂର୍ଯ୍ୟପରାଗକୁ ବହୁ ମାନ୍ୟତା ଦିଆଯାଏ। ଏହି ସୂର୍ଯ୍ୟପରାଗ ରେବତୀ ନକ୍ଷତ୍ର ଏବଂ...

‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ଏଭଳି ହୋଇଥାଏ ସ୍ବଭାବ, ଯେଉଁ କାମ କରନ୍ତି…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

ଦରିଦ୍ର କରିଦିଏ ଏହି ୬ ଅଭ୍ୟାସ, ଆପଣଙ୍କର ନାହିଁ ତ? ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ହୋଲି ଓ ଜୈବ ପ୍ରାକୃତିକ ରଙ୍ଗ

ଆମେ ପାଳନ କରୁଥିବା ପ୍ରମୁଖ ପର୍ବପର୍ବାଣି ମଧ୍ୟରେ ହୋଲି ଅନ୍ୟତମ। ରଙ୍ଗର ଏହି ପର୍ବ ଆମ ଦେଶରେ ବେଶ୍‌ ଜାକଜମକରେ ପାଳନ କରାଯାଏ। ଏବେ ଆମେ...

ସୁସ୍ଥ ସ୍ବାସ୍ଥ୍ୟର ଚାବିକାଠି

ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ତେବେ ଏହା ପଛରେ ରହିଛି ଅନେକ କାରଣ। ତନ୍ମଧ୍ୟରୁ ଏକ ସହଜ ତଥା ସରଳ ଉପାୟ ହାତପାଆନ୍ତାରେ...

ବର୍ଷର ପ୍ରଥମ  ଚନ୍ଦ୍ରଗ୍ରହଣ: ହୋଲିରେ କ’ଣ ରହିବ ପ୍ରଭାବ? ଏ ସବୁ ରାଶିର ଲୋକଙ୍କ ପାଇଁ ହେବ ଶୁଭ 

୨୦୨୪ ମାର୍ଚ୍ଚ ୨୫ରେ ବର୍ଷର  ପ୍ରଥମ ଚନ୍ଦ୍ରଗ୍ରହଣ ପଡ଼ୁଛି। ତେବେ ଏହାଭାରତକୁ ଦୃଶ୍ୟମାନ ହେବ ନାହିଁ, ବା ଏହାର କୌଣସି ପ୍ରଭାବ ଦେଖାଯିବ ନାହିଁ ।...

ହୋଲି ପୂର୍ବରୁ ତୁରନ୍ତ ଘରୁ କାଢ଼ି ଦିଅନ୍ତୁ ଏସବୁ, ଧନ-ସମୃଦ୍ଧିରେ ଉପୁଜିବ ବାଧା

ଏମିତି କିଛି ଜିନିଷ ରହିଛି; ଯାହାକୁ ଘରେ ରଖିଲେ ବାସ୍ତୁଦୋଷ ଉପୁଜିବା ସହ ନକାରାତ୍ମକ ଊର୍ଜା ବଢ଼ିଥାଏ। ସେଥିପାଇଁ ଏହି ଜିନିଷଗୁଡ଼ିକୁ ତୁରନ୍ତ ଘରୁ କାଢ଼ିଦେବା...

ସଫଳ ପୁରୁଷ ନିକଟରେ ରହିଥାଏ ଏହି ୪ ଗୁଣ, ସୁଖସମୃଦ୍ଧି ପାଦ ଚୁମେ…

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଜୀବନରେ ସଫଳତାର ସ୍ବାଦ ଚାଖିବା ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି। ସେଥିରେ ସଫଳ ପୁରୁଷଙ୍କ ନିକଟରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri