ନେପାଳ ଛଡ଼େଇନେବ

ନେପାଳ ପାର୍ଲାମେଣ୍ଟର ନିମ୍ନ ସଦନ ଭାରତର ସୀମାନ୍ତ ତିନୋଟି ଅଞ୍ଚଳ ଲିପୁଲେଖ, କାଲାପାଣି ଏବଂ ଲିମ୍ପିଆଧୁରାକୁ ଏହାର ମାନଚିତ୍ରରେ ସ୍ଥାନ ଦେବା ସଂକ୍ରାନ୍ତ ବିଷୟକୁ ୧୩ ଜୁନ୍‌ରେ ମଞ୍ଜୁରୀ ପ୍ରଦାନ କରିଛି। ଏହା ପରେ ନୂଆଦିଲ୍ଲୀ କେବଳ ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତୀୟ ଅଞ୍ଚଳ ଉପରେ ନେପାଳର ଦାବି କୃତ୍ରିମ ଓ ଏହାର କୌଣସି ଐତିହାସିକ ତଥ୍ୟ ନାହିଁ ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏତିକିରେ ମନ୍ତ୍ରଣାଳୟ ଚୁପ୍‌ ରହିବା ଜଣାଇ ଦେଉଛି ଯେ ଭାରତ ଉକ୍ତ ବିଷୟକୁ ଅତି ହାଲୁକା ଭାବେ ନେଉଛି। ନେପାଳକୁ ଛୋଟିଆ ରାଷ୍ଟ୍ର ଭାବି ଭାରତ ହେୟଜ୍ଞାନ କରୁଥିଲେ ଏହା ଭବିଷ୍ୟତରେ ବିରାଟ ରୂପ ଧାରଣ କରିପାରେ। କାରଣ ନେପାଳକୁ ଚାଇନା ଦୀର୍ଘ ବର୍ଷ ହେବ ସମର୍ଥନ ଦେଇଆସୁଛି। କରୋନା ଭାଇରସ୍‌ ସଂକ୍ରମଣ ଯୋଗୁ ଭାରତ ନଇଁପଡ଼ିଥିବା ବେଳେ ଚାଇନାର ଲାଲ୍‌ ସେନା ଲଦାଖ ଅଞ୍ଚଳରେ ଜାଗା ମାଡ଼ିବସିଲାଣି। ପରିସ୍ଥିତିକୁ ଏଡ଼ାଇବା ପାଇଁ ଚାଇନା ଓ ଭାରତ ମଧ୍ୟରେ କେତେଗୁଡ଼ିଏ ଅଲୋଚନା ହୋଇଥିଲେ ମଧ୍ୟ ଏହାର ପରିଣତି ସମାଧାନ ସ୍ତରକୁ ଆସିପାରି ନାହିଁ। ସୀମାନ୍ତ ଅଞ୍ଚଳ ଉପରେ ତୀକ୍ଷ୍ଣ ଦୃଷ୍ଟି ଦିଆଯାଉ ନ ଥିବାରୁ ବାହ୍ୟ ଶତ୍ରୁ ସହଜରେ ପ୍ରବେଶ କରିପାରୁଛନ୍ତି। ଏପଟେ ଆମ ଦେଶର ନେତୃତ୍ୱ ଓ ସାମରିକ କର୍ତ୍ତୃପକ୍ଷ ପାକିସ୍ତାନ ପ୍ରତି ଯେଭଳି ତତ୍ପରତା ପ୍ରକାଶ କରିଥାଆନ୍ତି, ତାହା ପଛରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରହିଛି। ସାଧାରଣ ଭାରତୀୟ ହିନ୍ଦୁ ମନରେ ସର୍ବଦା ମୁସଲମାନ ବିରୋଧୀ ମନୋଭାବ ସୃଷ୍ଟି କରିବା ପାଇଁ ଏକ ବିରାଟ ପ୍ରଚେଷ୍ଟା ଦୀର୍ଘଦିନ ଧରି ଲାଗି ରହିଛି। ତାହାର ପ୍ରତୀକ ଭାବରେ ପାକିସ୍ତାନକୁ ପ୍ରତି କଥାରେ ଟଣାଯାଉଛି। କୌତୂହଳର ବିଷୟ ହେଲା ଯେ, ସୋସିଆଲ ମିଡିଆରେ ଅନେକ ସମୟରେ ପାକିସ୍ତାନ ବିରୋଧୀ ମନ୍ତବ୍ୟ ଟ୍ରେଣ୍ଡିଂ ହୋଇଥାଏ। ତନ୍ମଧ୍ୟରୁ ଗୋଟେ ଅଭଦ୍ର ଗାଳି ସବୁବେଳେ ଅଧିକ ଲୋକପ୍ରିୟ ହୋଇଥିବାର ପରିଲକ୍ଷିତ ହୁଏ। ସେହି ଗାଳିରେ ପାକିସ୍ତାନର ମା’ ପ୍ରତି ଅଶୋଭନୀୟ କଥା କୁହାଯାଏ। ବିଶ୍ୱାସ କରାଯାଏ ଯେ, ଏଭଳି ଅଭଦ୍ର ଭାଷା ପ୍ରୟୋଗ କରୁଥିବା ବ୍ୟକ୍ତିମାନେ ଭାରତୀୟ ହିନ୍ଦୁ ଏବଂ ସେମାନେ ଭୁଲିଯାଇଛନ୍ତି ଯେ ୧୯୪୭ ମସିହା ପୂର୍ବରୁ ପାକିସ୍ତାନ ବୋଲି କୌଣସି ଦେଶ ନ ଥିଲା। ଯେହେତୁ ଭାରତରୁ କିଛି ଅଂଶ କାଟି ନେଇ ବ୍ରିଟିଶ ଶାସକମାନେ ପୂର୍ବ ଏବଂ ପଶ୍ଚିମ ପାକିସ୍ତାନ ସୃଷ୍ଟି କରିଥିଲେ, ସେହେତୁ ପାକିସ୍ତାନର ବାସ୍ତବ ମାତା ହେଉଛି ଭାରତ। ଏଥିରୁ ବୁଝିବାକୁ ହେବ ଯେ, ପାକିସ୍ତାନର ମା’କୁ ଗାଳିଦେବା ଅର୍ଥ ଭାରତଭୂମିକୁ ଗାଳିଦେବା। ଏହିଭଳି ତ୍ରୁଟି କେବଳ ଜନସାଧାରଣଙ୍କ ନୁହେଁ, ଆଜିର ଶାସନକର୍ତ୍ତା ମଧ୍ୟ ପଡ଼ୋଶୀ ଦେଶଗୁଡ଼ିକ ସହିତ ତ୍ରୁଟିପୂର୍ଣ୍ଣ ବ୍ୟବହାର କରି ଭବିଷ୍ୟତ ପାଇଁ ଭାରତର ସବୁ ପଡ଼ୋଶୀଙ୍କୁ ସଫଳତାର ସହିତ ଶତ୍ରୁ ଭାବେ ଛିଡ଼ା କରିଦେଲେଣି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ନେପାଳ ସରକାର ଏଭଳି ଭୁଲ ପଦକ୍ଷେପରୁ ଦୂରେଇ ରହିବା ସହ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତିକୁ ସମ୍ମାନ ଦିଅନ୍ତୁ। ଉକ୍ତ ବିବାଦୀୟ ଅଞ୍ଚଳ ଉପରେ ନେପାଳର କର୍ତ୍ତୃତ୍ୱ ଜାହିର କରିବାରେ କୌଣସି ଐତିହାସିକ ତଥ୍ୟ ନାହିଁ ବୋଲି ଭାରତ ଯାହା କହୁଛି, ତାହାର ପ୍ରମାଣ ନୂଆଦିଲ୍ଲୀ ଦେବାକୁ ତତ୍ପରତା ପ୍ରକାଶ କରିବା କଥା। ହେଲେ କେବଳ ବିବୃତି ଓ ବୟାନରେ ସୀମିତ ରହିଛି ଭାରତର ପ୍ରତିକ୍ରିୟା। ଆମର ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌. ନରଓ୍ବାଣେ କହିଛନ୍ତି, ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ସର୍ବଦା ମଜଭୁତ ରହିଆସିଛି ଓ ଭବିଷ୍ୟତରେ ରହିବ। ଏଥିରୁ ବୁଝିବାକୁ ହେବ ଯେ, ନେପାଳର ଅଗ୍ରଗତିକୁ ଭାରତ ଅତି ଖାମଖିଆଲ ଭାବେ ନେଉଛି। କିନ୍ତୁ ମୌଳିକ ସମସ୍ୟା ରହିଛି ଚାଇନା ପାଖରେ। ପୂର୍ବ ଲଦାଖର ପଙ୍ଗଓଙ୍ଗ, ଡେମ୍‌ଚୋକ ଏବଂ ଦୌଲତ ଓଲ୍‌ଡିରେ ଭାରତ ଓ ଚାଇନା ସେନା ମଧ୍ୟରେ ଦୀର୍ଘ ୫ ସପ୍ତାହ ହେଲା ମୁହଁାମୁହିଁ ସ୍ଥିତି ଜାରି ରହିବା ପରେ ଏବେ ସେନା ପ୍ରତ୍ୟାହାର ଆରମ୍ଭ ହୋଇଛି ବୋଲି କୁହାଯାଉଛି। ଏହା କେତେଦୂର ସତ୍ୟ କହିହେଉ ନାହିଁ। ଅନ୍ୟପକ୍ଷରେ ଏହା ଜଣାପଡ଼ିଯାଉଛି ଯେ, ଭାରତ ବିରୋଧରେ ଚାଇନା ନେପାଳକୁ ଉସୁକାଉଛି। କାରଣ ଚାଇନା ସିଧାସଳଖ ଭାରତ ବିରୋଧରେ ଶତ୍ରୁତା କରିବାର ବୋକାମି କରୁନାହିଁ। ବେଜିଂ ଭଲ ଭାବେ ଜାଣିଛି ଯେ ନୂଆଦିଲ୍ଲୀର କଥା ବଡ଼, କାମ ଛୋଟ। ସେଥିପାଇଁ ନେପାଳ ଭଳିଆ କ୍ଷୁଦ୍ର ଦେଶକୁ ବ୍ୟବହାର କରି ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ବ୍ୟତିବ୍ୟସ୍ତ କରାଇଦେଇପାରିବ। ଲଦାଖ ଜଗିବେ ନା ଅରୁଣାଚଳ ପ୍ରଦେଶ, କାଲାପାଣି ଜଗିବେ ନା ଚିକେନ୍ସ ନେକ୍‌। ଏହିଭଳି ପରିସ୍ଥିତିରେ ଭାରତକୁ ବାଉଳା କରିବାର ଉଦ୍ୟମ କରୁଥାଇପାରେ ଚାଇନା। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ନେପାଳର ସାହସ ଏତେ ବଢ଼ିଗଲାଣି ଯେ, ୧୨ ଜୁନ୍‌ରେ ବିହାରର ସୀତାମାଢ଼ି ଜିଲା ସୀମାନ୍ତରେ ନେପାଳ ପୋଲିସ ଆଖିବୁଜା ଗୁଳିକରି ଜଣେ ଭାରତୀୟଙ୍କୁ ହତ୍ୟା କରିଥିବା ବେଳେ ୪ ଜଣଙ୍କୁ ଆହତ କରିଦେଇଥିଲା।
ଏଭଳି ଏକ ସନ୍ଧିକ୍ଷଣରେ ଭାରତୀୟ ନେତୃତ୍ୱ ନେପାଳ ପ୍ରସଙ୍ଗକୁ ଗୁରୁତ୍ୱ ଦେବା କଥା। କୁହାଯାଏ ‘ଛୋଟ ସାପର ବିଷ ବେଶି’। ଚାଇନା ଚକ୍ରାନ୍ତରେ ପରିଚାଳିତ ହୋଇ ନେପାଳ ସେହି ବିବାଦୀୟ ଅଞ୍ଚଳକୁ ଯଦି କ୍ରମାଗତ ଭାବେ ନିଜର କହି ଅଧିକାର ସାବ୍ୟସ୍ତ କରିଚାଲେ, ତାହା ହେଲେ ଭାରତ ସେହିସବୁ ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିବା ସମ୍ଭବପର ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri