Categories: ଖେଳ

ନୂଆ ଶିକ୍ଷାନୀତିରେ କ୍ରୀଡ଼ା ସ୍ଥାନ ପାଇବ: ରିଜିଜୁ

ମୁମ୍ବାଇ,୧୧।୬(ପି.ଟି.): ନୂଆ ଶିକ୍ଷାନୀତି ପାଠ୍ୟକ୍ରମରେ କ୍ରୀଡ଼ା ସ୍ଥାନ ପାଇବ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ସ୍କୁଲ ପାଠ୍ୟକ୍ରମରେ କ୍ରୀଡ଼ା ବାଧ୍ୟତାମୂଳକ ହେବ। ଏହା ଆଉ ଅତିରକ୍ତ ପାଠ୍ୟକ୍ରମ ଗତିବିଧି ବା ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ହୋଇ ରହିବ ନାହିଁ ବୋଲି ସେ ‘ଆନ୍ତର୍ଜାତୀୟ ଓ୍ବେବିନାର ଅନ୍‌ ଅଲିମ୍ପିଜମ୍‌ ଓ ଅଲିମ୍ପିକ୍‌ ଏଜୁକେଶନ ଇନ୍‌ ଦି ଟ୍ବେଣ୍ଟିଫାଷ୍ଟ ସେଞ୍ଚୁରି’ରେ ଯୋଗ ଦେଇ ଏହି କଥା କହିଛନ୍ତି। ଶିକ୍ଷାଠାରୁ କ୍ରୀଡ଼ା ଭିନ୍ନ ନୁହଁ ବୋଲି ବିଚାର କରେ। କ୍ରୀଡ଼ା ଆଉ ଅପଶନାଲ ବା ଅତିରିକ୍ତ ବିଷୟ ହୋଇ ରହିବ ନାହିଁ ଓ ଏହାକୁ ଶିକ୍ଷାର ଅଭିନ୍ନ ଅଙ୍ଗ ବିବେଚନା କରାଯିବ ବୋଲି ସେ କହିଛନ୍ତି। କ୍ରୀଡ଼ା ହିଁ ଶିକ୍ଷା ଓ ଅତିରିକ୍ତ ବିଷୟ ନୁହେଁ। ଏବେ ଏହାକୁ ସମସ୍ତେ ଗ୍ରହଣ କରିବେ ବୋଲି ସେ କହିଛନ୍ତି।
ଅବଶ୍ୟ ଏପର୍ଯ୍ୟନ୍ତ ଭାରତରେ ନୂଆ ଶିକ୍ଷାନୀତି ଘୋଷଣା କରାଯାଇ ନାହିଁ। କିନ୍ତୁ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ ଗଠନ କରିବାକୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ବୋଲି ରିଜିଜୁ କହିଛନ୍ତି। ଜାତୀୟ କ୍ରୀଡ଼ା ଶିକ୍ଷା ବୋର୍ଡ ଗଠନ ନେଇ ଘୋଷଣା କରି ଆମେ ବେଶ୍‌ ଖୁସି ଅଛୁ। ଏ ନେଇ ଆମେ ପ୍ରକ୍ରିୟା ଆରମ୍ଭ କରିଛୁ ବୋଲି ସେ କହିଛନ୍ତି। କୋଭିଡ୍‌- ୧୯ ମହାମାରୀ ନିୟନ୍ତ୍ରଣକୁ ଆସିବା ପରେ ଦେଶ ପାଇଁ ଏକ ଅଲିମ୍ପିକ ମ୍ୟୁଜିୟମ ସ୍ଥାପନ କରାଯିବ। ଭାରତ ଭଳି ବିଶାଳ ଦେଶରେ ଅଲିମ୍ପିକ ମ୍ୟୁଜିୟମ ସ୍ଥାପନ କରାଯିବା ନିହାତି ଜରୁରୀ ବୋଲି ରିଜିଜୁ କହିଛନ୍ତି।

Share