Categories: ଖେଳ

ନୂଆ ଇନିଂସରେ ଗମ୍ଭୀରଙ୍କ ଦମ୍‌ଦାର ପ୍ରଦର୍ଶନ

ନୂଆଦିଲ୍ଳୀ,୨୪।୫(ପି.ଟି.)- ଭାରତୀୟ ପୂର୍ବତନ ଓପନର ଗୌତମ ଗମ୍ଭୀର ନୂଆ ଇନିଂସରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମଥର ପାଇଁ ସଂସଦୀୟ ନିର୍ବାଚନରେ ଅଂଶଗ୍ରହଣ କରି ସେ ଜବରଦସ୍ତ ବିଜୟ ହାସଲ କରିଛନ୍ତି। ଭାରତୀୟ ଜନତା ପାର୍ଟି (ଭାଜପା) ଟିକେଟରୁ ସେ ଇଷ୍ଟ ଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ପାଖାପାଖି ୭ ଲକ୍ଷ ଭୋଟ ହାସଲ କରି ସେ କଂଗ୍ରେସର ଅରବିନ୍ଦର ସିଂ ଲଭଲି ଓ ଆମ୍‌ ଆଦ୍‌ମୀ ପାର୍ଟିର ଆତିଶୀ ମାରଲେନାଙ୍କୁ ବୃହତ୍‌ ବ୍ୟବଧାନରେ ହରାଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆତିଶୀଙ୍କୁ ଗମ୍ଭୀର ୩.୯୧ ଲକ୍ଷ ଭୋଟରେ ପରାସ୍ତ କରିଛନ୍ତି। ସେ ବିଜୟର ଶ୍ରେୟ ଭାଜପାର ବିଚାରଧାରାକୁ ଦେଇଛନ୍ତି। ସେ ଲଭଲି ଓ ଆତିଶୀଙ୍କୁ ପରୋକ୍ଷରେ ଇଙ୍ଗିତ କରି ନିଜ ବିଜୟର ଶ୍ରେୟ ଭାଜପାକୁ ପ୍ରଦାନ କରିଛନ୍ତି। ‘ଏହା ଏକ ଲଭଲି କଭର ଡ୍ରାଇଭ୍‌ ନୁହଁ କି ଏହା ଆତିଶୀ ବଲ୍ଲେବାଜୀ ନୁହଁ’ ବୋଲି ସେ ଟୁଇଟ୍‌ କରିଛନ୍ତି। ସେ ଏହି ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। କ୍ରିକେଟରୁ ରାଜନୀତି ସମ୍ପୂର୍ଣ୍ଣ ଅଲଗା ହୋଇଥିଲେ ମଧ୍ୟ ଗମ୍ଭୀର ପଦାର୍ପଣରେ ବେଶ୍‌ ଜଲଓ୍ବା ଦେଖାଇଛନ୍ତି। ଗମ୍ଭୀରଙ୍କ ପିତା ଦୀପକ ଗମ୍ଭୀର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ। କ୍ରିକେଟ ପଡିଆରେ ଓ ରାଜନୀତିରେ ଗମ୍ଭୀର ନିଜକୁ ଜଣେ ଲଢୁଆ ଖେଳାଳିଭାବେ ପ୍ରମାଣିତ କରିଛନ୍ତି। ସାହସିକ ଭାବେ ମତ ରଖି ଓ ନିଷ୍ପତ୍ତି ନେଇ ସେ ଏକାଧିକବାର ବିବାଦୀୟ ହୋଇଥିଲେ ମଧ୍ୟ ପଛକୁ ହଟିବାକୁ ପସନ୍ଦ କରି ନ ଥାନ୍ତି। ଅଜୟ ଜାଡେଜାଙ୍କ ବିରୋଧରେ ମ୍ୟାଚ୍‌ ଫିକ୍ସିଂ ଅଭିଯୋଗ ଆସିଥିବାରୁ ତାଙ୍କ ତତ୍ତ୍ୱାବଧାନରେ ସେ ଖେଳିବାକୁ ମନାକରି ବିବାଦୀୟ ହୋଇପଡିଥିଲେ। ଏକଦା ସେ ପୂର୍ବତନ ଅଲରାଉଣ୍ଡର ମନୋଜ ପ୍ରଭାକରଙ୍କ ପ୍ରାର୍ଥିତ୍ୱଙ୍କୁ ମଧ୍ୟ ବିରୋଧ କରିଥିଲେ। ନିର୍ଭୀକ ଆଭିମୁଖ୍ୟ ତାଙ୍କୁ ବିବାଦୀୟ କରିଥିଲେ ମଧ୍ୟ ଏକ ଭିନ୍ନ ପରିଚୟ ମଧ୍ୟ ପ୍ରଦାନ କରିଛି। ଆନ୍ତର୍ଜାତିକ କ୍ରିକେଟରେ ୧୦, ୦୦୦ ରନ ସଂଗ୍ରହ କରିଥିବା ଗମ୍ଭୀର ୨୦୧୮ରେ ଅବସର ଗ୍ରହଣ କରିଥିଲେ। ବିଜୟ ପାଇଁ ଗମ୍ଭୀରଙ୍କୁ ସାଥୀ ଖେଳାଳି ତଥା ପୂର୍ବତନ ସ୍ପିନର ହରଭଜନ ସିଂ ଓ ଅନ୍ୟ କ୍ରିକେଟରମାନେ ଅଭିନନ୍ଦନ ଜଣାଇଛନ୍ତି।

Share