ନିଶାମଙ୍କ ଛକା ସମୟରେ ଚାଲିଗଲା କୋଚ୍‌ଙ୍କ ଜୀବନ

ଅକ୍‌ଲାଣ୍ଡ, ୧୮।୭ (ପି.ଟି.)- ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଆଇସିସି ବିଶ୍ୱକପ୍‌ର ରୋମାଞ୍ଚକଭରା ଫାଇନାଲରେ ଉଭୟ ମ୍ୟାଚ୍‌ ଓ ସୁପର ଓଭର ଟାଇ ରହିବା ପରେ ଅଧିକ ବାଉଣ୍ଡାରୀ ଭିତ୍ତିରେ ଇଂଲଣ୍ଡକୁ ଚାମ୍ପିୟନ ଘୋଷିତ କରାଯାଇଥିଲା। ତେବେ ସୁପର୍‌ ଓଭରରେ ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୧୬ ରନର ଟାର୍ଗେଟ୍‌କୁ ପିଛା କରୁଥିବାବେଳେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଜିମ୍ମି ନିଶାମ ଏକ ଛକା ମାରିଥିଲେ। ନିଶାମଙ୍କ ଏହି ଛକା ସମୟରେ ତାଙ୍କ ପିଲାଦିନର ହାଇସ୍କୁଲ ଶିକ୍ଷକ ତଥା କୋଚ୍‌ ଡେଭିଡ୍‌ ଗର୍ଡନଙ୍କ ହାର୍ଟ ଆଟାକ୍‌ରେ ଜୀବନ ଚାଲିଯାଇଥିବା ଘଟଣା ଏବେ ଜଣାପଡ଼ିଛି। ଗର୍ଡନଙ୍କ ଝିଅ ଲିଓନି ଏ ସମ୍ପର୍କରେ କହିଛନ୍ତି ଯେତେବେଳେ ସୁପର୍‌ ଓଭରରେ ନ୍ୟୁଜିଲାଣ୍ଡ ୧୬ ରନର ଟାର୍ଗେଟ୍‌କୁ ପିଛା କରୁଥିଲା ବାପା ସେତେବେଳେ ହସ୍ପିଟାଲ ବେଡ୍‌ରେ ରହିଥିଲେ। ନିଶାମ ସୁପର୍‌ ଓଭରର ୨ୟ ବଲ୍‌ରେ ଏକ ଛକା ମାରିଥିଲେ। ସେହି ସମୟରେ ପିତାଙ୍କ ଦେହାନ୍ତ ହୋଇଥିଲା। ‘ଜଣେ ନର୍ସ ସୁପର୍‌ ଓଭର ସମୟରେ ଆସି କହିଥିଲେ ତାଙ୍କ ବାପାଙ୍କ ହୃତ୍‌ସ୍ପନ୍ଦନ ବଦଳୁଛି। ବୋଧ ହୁଏ ନିଶାମଙ୍କ ଛକା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି’ ବୋଲି ଏକ ଗଣମାଧ୍ୟକୁ ସାକ୍ଷାତକାର ଅବସରରେ ଲିଓନି ଏହା ପ୍ରକାଶ କରିଛନ୍ତି। ଏହି ଘଟଣାରେ କୋଚ୍‌ ଗର୍ଡନଙ୍କୁ ନିଶାମ ଗୁରୁବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ‘ଡେଭିଡ୍‌ ଗର୍ଡନ, ମୋ ହାଇସ୍କୁଲ ଶିକ୍ଷକ, କୋଚ୍‌, ବନ୍ଧୁ। ଏହି ଖେଳ ପ୍ରତି ଆପଣଙ୍କ ଅଗାଧ ଭଲ ପାଇବା ଥିଲା। ଯେଉଁମାନେ ଆପଣଙ୍କ ତତ୍ତ୍ୱାବଧାନରେ ଖେଳିଛନ୍ତି ସେମାନେ ସମସ୍ତେ ଭାଗ୍ୟବାନ। ଆଶା କରୁଛି ଆପଣ ସେଥିଲାଗି ଗର୍ବ ଅନୁଭବ କରୁଥିବେ। ଏତେସବୁ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ। ସ୍ବର୍ଗରେ ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ’ ବୋଲି ନିଶାମ ତାଙ୍କ ଟୁଇଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି।

Share