ନିରାକାରପୁର ଅଞ୍ଚଳରେ ଭୁବନେଶ୍ୱର ଫେରନ୍ତାଙ୍କୁ ନେଇ ଚିନ୍ତା: ପ୍ରଶାସନ ନିକଟରେ ଅଭିଯୋଗ କଲେ ଅଞ୍ଚଳବାସୀ

ନିରାକାରପୁର, ୮।୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କେବଳ ରାଜଧାନୀ ଭୁବନେଶ୍ୱରରେ ୩୦ରୁ ଅଧିକ ଆକ୍ରାନ୍ତ ରହିଛନ୍ତି। ଏପରିକି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାପରେ ଭୁବନେଶ୍ୱରରେ ଥିବା ଖୋର୍ଦ୍ଧା ଜିଲା ନିରାକାରପୁର ଏବଂ ତାର ଆଖପାଖ ଅଞ୍ଚଳର ଲୋକମାନେ ଗ୍ରାମାଭିମୁଖି ହେଉଥିବା ଦେଖିବାକୁ ମିଳିଛି। ଦୈନିକ ବିଭିନ୍ନ ଗ୍ରାମକୁ ଭୁବନେଶ୍ୱରରେ ବସବାସ କରୁଥିବା ଲୋକେ ଚାଲି ଆସୁଛନ୍ତି। ଏହାକୁ ନେଇ ଗ୍ରାମବାସୀ ଭୟଭୀତ ହୋଇଯାଉଛନ୍ତି। ଏପରିକି ସେମାନେ ଆଶା, ଅଙ୍ଗନଓ୍ବାଡିଠାରୁ ଆରମ୍ଭ କରି ଜିଲା, ବ୍ଲକ୍‌ ଓ ପୋଲିସ୍‌କୁ ଫୋନ୍‌ କରି ଜଣାଉଥିବା ଜଣାପଡ଼ିଛି।

ଲୋକମାନେ ଗ୍ରାମକୁ ଆସୁଥିବା ଲୋକେ ଓ ତାଙ୍କ ପରିବାର ସହ ମିଳାମିଶା ମଧ୍ୟ କରୁ ନ ଥିବା ଦେଖିବାକୁ ମିଳିଛି। ତେବେ ଗ୍ରାମର କିଛି ଯୁବକଗ କଟକଣାକୁ ନ ମାନି ଭୁବନେଶ୍ୱରକୁ ନିୟମିତ ବାଇକ ନେଇ ଯିବାଆସିବା କରୁଛନ୍ତି। ଏହାକୁ ନେଇ ଲୋକମାନେ ଆତଙ୍କିତ ହୋଇଯାଉଛନ୍ତି। ଏନେଇ ପୋଲିସକୁ ଜଣାଇବା ପରେ ଭୁବନେଶ୍ୱର ଫେରନ୍ତାମାନଙ୍କୁ ଡାକି ତାଗିଦ କରି ଛାଡିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ତେବେ ଜିଲା ସିମା ସିଲ୍‌ ହୋଇଛି ହେଲେ ଲୋକମାନେ କିଭଳି ନିୟମିତ ଯାତାୟାତ କରୁଛନ୍ତି ସେନେଇ ବୁଦ୍ଧିଜୀବୀମାନେ ପ୍ରଶ୍ନ କରିବା ସହିତ ଚିନ୍ତାରେ ରହିଥିବା ସୂଚନା ମିଳିଛି ା