Categories: ଖେଳ

ନିରପେକ୍ଷ ଭେନ୍ୟୁ ପ୍ରସ୍ତାବକୁ ପିସିବିର ଆଗ୍ରାହ୍ୟ

ଲାହୋର,୧୩।୯: ଶ୍ରୀଲଙ୍କା ଦଳର ସୀମିତ ଓଭର କ୍ରିକେଟ ସିରିଜ୍‌ ପାଇଁ ପାକିସ୍ତାନ ଗସ୍ତ ନେଇ ଅନିଶ୍ଚିତତା ଜାରି ରହିଛି। ଏହି ସିରିଜ୍‌କୁ କୌଣସି ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଗ୍ରାହ୍ୟ କରିଦେଇଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ଆତଙ୍କବାଦୀ ଆକ୍ରମଣ ଧମକ ଆସିବା ପରେ ଚଳିତ ମାସରେ ହେବାକୁ ଥିବା ପାକିସ୍ତାନ ଗସ୍ତ ଉପରେ ସଙ୍କଟର କଳାବାଦଲ ଦେଖାଦେଇଛି। ଏହାପରେ ପୁଣି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ କହିଛି ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି)। ଅନ୍ୟପକ୍ଷରେ ଏକ ରିପୋର୍ଟ ଅନୁଯାୟୀ, ପିସିବି ଏହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଏହି ସିରିଜ୍‌ ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜନ କରାଗଲେ ଅନ୍ତର୍ଜାତୀୟ କ୍ରିକେଟକୁ ଦେଶରେ ପୁଣି ଥରେ ଆରମ୍ଭ କରିବା ଲକ୍ଷ୍ୟରେ ପିସିବିକୁ ଶକ୍ତ ଧକ୍କା ଲାଗିବ। ଏହାର ପ୍ରଭାବ ପିଏସ୍‌ଏଲ୍‌ରେ ବିଦେଶୀ ଖେଳାଳିଙ୍କ ଉପରେ ପଡ଼ିବ। ଏଣୁ କୌଣସି ନ୍ୟୁଟ୍ରାଲ ଭେନ୍ୟୁରେ ସିରିଜ୍‌ ଖେଳାଯିବାର ପ୍ରଶ୍ନ ଉଠୁ ନାହିଁ। ଶ୍ରୀଲଙ୍କା ୩ ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ସିରିଜ୍‌ କରାଚୀ ଓ ଲାହୋରଠାରେ ଚଳିତ ମାସ ୨୭ରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବା କାର୍ଯ୍ୟକ୍ରମ ରହିଛି।

Share