Categories: ଖେଳ

ନଳିନୀକାନ୍ତ ସ୍ମାରକୀ ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ୨୮ରୁ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ଆମେଚର ବ୍ୟାଡ୍‌ମିଣ୍ଟନ କ୍ଲବ (ଏବିସି), ଭୁବନେଶ୍ୱର ଆନୁକୂଲ୍ୟରେ ୬ଷ୍ଠ ନଳିନୀକାନ୍ତ ମହାନ୍ତି ସ୍ମାରକୀ ରାଜ୍ୟ ଓପନ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଚଳିତମାସ ୨୮ ତାରିଖରେ ଆରମ୍ଭ ହେବ। ପୂର୍ବତନ ମନ୍ତ୍ରୀ ତଥା କ୍ରୀଡ଼ାପ୍ରେମୀ ନଳିନୀକାନ୍ତ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ହୋଇ ଆସୁଥିବା ଏହି ପ୍ରତିଯୋଗିତା ଡିସେମ୍ବର ୧ ପର୍ଯ୍ୟନ୍ତ ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରତିଯୋଗିତା ପାଇଁ ଉଦ୍ଦିଷ୍ଟ ଖେଳାଳିଙ୍କ ଜର୍ସି ଉନ୍ମୋଚନ କରାଯାଇଛି। ଏଥର ଟୁର୍ନାମେଣ୍ଟ ମୋଟ ୧୩ଟି ବିଭାଗରେ ହେବ ବୋଲି ଆମେଚର ବ୍ୟାଡ୍‌ମିଣ୍ଟନ କ୍ଲବର ସାଧାରଣ ସମ୍ପାଦକ ଚଣ୍ଡି ପ୍ରସାଦ ଦାସ ସୂଚନା ଦେଇଛନ୍ତି। ସେଗୁଡ଼ିକ ହେଲା ସିନିୟର ମହିଳା ସିଙ୍ଗଲ୍ସ ଓ ଡବଲ୍ସ, ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ, ୧୯ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଓ ଡବଲ୍ସ, ୧୭ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ ଓ ଡବଲ୍ସ, ୧୭ ବର୍ଷରୁ କମ୍‌ ବାଳିକା ସିଙ୍ଗଲ୍ସ, ୧୫ ବର୍ଷରୁ କମ୍‌ ବାଳକ ସିଙ୍ଗଲ୍ସ, ବାଳିକା ସିଙ୍ଗଲ୍ସ, ୪୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ଭେଟେରାନ ଡବଲ୍ସ ଏବଂ ମିକ୍ସ ଡବଲ୍ସ।
ପ୍ରତିଯୋଗିତା ପାଇଁ ମୋଟ ୩ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଆସୋସିଏଶନର ନିୟମ ଅନୁସାରେ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରଦର୍ଶନ ଅନୁସାରେ ର଼୍ୟାଙ୍କିଙ୍ଗ୍‌ ପ୍ରଦାନ କରାଯିବ। ଜଣେ ପ୍ରତିଯୋଗୀ କେବଳ ୨ଟି ଇଭେଣ୍ଟରେ ଅଂଶଗ୍ରହଣ କରି ପାରିବ। ସିଙ୍ଗଲ୍ସ ଲାଗି ୫୦୦ ଓ ଡବଲ୍ସ ପାଇଁ ୧୦୦୦ଟଙ୍କାର ଏଣ୍ଟ୍ରି ଫି ଧାର୍ଯ୍ୟ କରାଯାଇଛି। ଗତବର୍ଷ ପ୍ରତିଯୋଗିତାରେ ମୋଟ ୩୭୬ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥର ବୁଧବାରସୁଦ୍ଧା ୨୪୦ ଏଣ୍ଟ୍ରି ମିଳିସାରିଥିବାରୁ ୪୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗନେବା ସମ୍ଭାବନା ରହିଛି ବୋଲି ଚଣ୍ଡିପ୍ରସାଦ କହିଛନ୍ତି। ମୁଖ୍ୟ ପୁରସ୍କାର ବ୍ୟତୀତ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ଏବଂ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ମଧ୍ୟ ପ୍ରଦାନ କରାଯିବ। ଗତ ସଂସ୍କରଣର ମହିଳା ବିଭାଗରେ କ୍ରିଷ୍ଣା ବରୋ ଓ ପୁରୁଷରେ ମୁରଲୀକ୍ରିଷ୍ଣା ଚାମ୍ପିୟନ ହୋଇଥିଲେ। ଏଥର ଉଦ୍‌ଯାପନୀ ଉତ୍ସବରେ ଅର୍ଜୁନ ପୁରସ୍କାରପ୍ରାପ୍ତ ପାରାଆଥଲେଟ୍‌ ପ୍ରମୋଦ ଭଗତଙ୍କୁ ସମ୍ମର୍ଦ୍ଧିତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଉକ୍ତ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କ୍ଲବର ସଭାପତି ପୃଥ୍ବୀବଲ୍ଲଭ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ମିଶ୍ର, ସିନିୟର ଉପସଭାପତି କମଲ ଲୋଚନ ମହାନ୍ତି, କାର୍ଯ୍ୟକାରିଣୀ ସଦସ୍ୟ ବିକ୍ରମ କେଶରୀ ମହାନ୍ତି ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ।

Share