ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଜଣଙ୍କ ପରେ ଜଣେ ବିଧାୟକଙ୍କ ପାଖକୁ ଯାଉଛି ଫୋନ୍‌ କଲ୍‌

ଭୁବନେଶ୍ୱର,୨୮।୫(ବ୍ୟୁରୋ): ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀପଦ ପାଇଁ ପକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ମଙ୍ଗଳବାର ସଂନ୍ଧ୍ୟାରେ ନବ ନିର୍ବାଚିତ କିଛି ବିଧାୟକଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ନିମାପଡ଼ା ବିଧାୟକ ସମୀର ଦାଶ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ଭଟଲୀ ବିଧାୟକ ସୁଶାନ୍ତ ସିଂ, ଭୁବନେଶ୍ୱର ଏକାମ୍ର କ୍ଷେତ୍ର ଅଶୋକ ପଣ୍ଡା ଓ ଟିଟଲାଗଡ଼ ବିଧାୟିକା ଟୁକୁନି ସାହୁ, ଝାରସୁଗୁଡ଼ା ବିଧାୟକ ନବ ଦାସ, ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ, ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ,ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ନିକଟକୁ ଫୋନ୍‌ କଲ୍‌ ଯାଇଥିବା ସୂଚନା ମିଳିଛି।

ପ୍ରକାଶଯୋଗ୍ୟ, ବୁଧବାର ପଞ୍ଚମ ଥର ଲାଗି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ଶପଥ ଗ୍ରହଣ କରିବେ। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଉଛି। ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳ, ଶିକ୍ଷକ ସଂଗଠନ, ମହିଳା ସ୍ବୟଂସହାୟକ ସଂସ୍ଥା, କୃଷକ ସଂଗଠନଗୁଡ଼ିକୁ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇଛି।