ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡିକୁ ଝଟକା: ବିଧାୟକଙ୍କ ଗାଁରୁ ପଦ୍ମ ଧରିଲେ ଶତାଧିକ କର୍ମୀ

ଅନୁଗୋଳ ଅଫିସ, ୧୮।୪- ଅନୁଗୋଳ ବିଜେଡିକୁ ବୁଧବାର ପୁଣି ଲାଗିଛି ଝଟକା। ୩ ଥରର ବିଧାୟକ ତଥା ୪ର୍ଥ ଥର ପାଇଁ ପ୍ରାର୍ଥୀ ହୋଇଥିବା ଜିଲା ସଭାପତି ରଜନୀକାନ୍ତ ସିଂଙ୍କ ଗାଁ ଗୋତମରାରୁ ଶତାଧିକ କର୍ମୀ ବିଜେଡି ଛାଡ଼ି ଭାଜପାରେ ସାମିଲ ହୋଇଛନ୍ତି। ଗତ ୧୨ ତାରିଖରେ ବିଜେଡିର ପୂର୍ବତନ ଜିଲା ଉପସଭାପତି ଗୋତମରାର ଛବିମୋହନ ସାହୁ ଭାଜପାରେ ମିଶିଥିବା ବେଳେ ଆଜି ସେ ଶତାଧିକ ବିଜେଡି କର୍ମୀଙ୍କୁ ପଦ୍ମ ଧରାଇଛନ୍ତି। ଏହି ଖବର ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଭାଜପାରେ ମିଶିଥିବା କର୍ମୀମାନେ କହିଛନ୍ତି, ବିଜେଡିରେ ସେମାନଙ୍କୁ କୌଣସି ପ୍ରାଧାନ୍ୟ ଦିଆଯାଉ ନ ଥିଲା। ତେଣୁ ଦଳ ଛାଡ଼ିବାକୁ ସେମାନେ ବାଧ୍ୟ ହୋଇଥିଲେ। ଏହି ମିଶ୍ରଣ ପର୍ବରେ ଅନୁଗୋଳ ଭାଜପା ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଦିଲୀପ ପ୍ରଧାନ, ଛବିମୋହନ ସାହୁଙ୍କ ସହ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।