ଧୋନୀଙ୍କୁ କିମ୍ବଦନ୍ତୀ କହିଲେ ଅଖତର

ମାଞ୍ଚେଷ୍ଟର,୧୧ା୭- ଚଳିତ ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳ ୬ ରନ୍‌ରେ ୩ ଉଇକେଟ ହରାଇ ନିଶ୍ଚିତ ପରାଜୟ ମୁହଁା ହୋଇଥିଲା। ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନୀ ଲଢ଼ୁଆ ବ୍ୟାଟିଂ ମ୍ୟାଚ୍‌ରେ ଭାରତର ବିଜୟ ହେବାର ସମ୍ଭାବନା ସୃଷ୍ଟି କରିଥିଲା। ହେଲେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ୧୮ ରନ୍‌ରେ ପରାଜୟ ବରଣ କରିଥିଲା। ଭାରତୀୟ ଦଳର ପ୍ରଦର୍ଶନକୁ ପୂର୍ବତନ ପାକିସ୍ତାନ ପେସର ଶୋଏବ ଅଖତର ପ୍ରଶଂସା କରିବା ସହ ମହେନ୍ଦ୍ର ସିଂ ଧୋନୀଙ୍କୁ କିମ୍ବଦନ୍ତୀ ବୋଲି କହିଛନ୍ତି। ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ଥିଲା। ଉପର କ୍ରମର ବ୍ୟାଟ୍ସମ୍ୟାନ ଉଇକେଟ ଫୋପାଡ଼ି ଚାଲିଯିବା ପରେ ନିମ୍ନକ୍ରମରେ ଜାଡେଜା ଓ ଧୋନୀ ଭଲ ବ୍ୟାଟିଂ କରିଥିଲେ। ମୋ ମତରେ ଅଧିନାୟକ ବିରାଟ କୋହଲି ଭୁଲ୍‌ ନିଷ୍ପତ୍ତିର ଶିକାର ହୋଇଛନ୍ତି। ବଲ ଉଇକେଟ ଉପରେ ଅଳ୍ପ ବାଜିଥିଲା। କିନ୍ତୁ ଫିଲ୍ଡ ଅମ୍ପାୟର ଆଉଟ୍‌ ଦେଇଥିବାରୁ ଡିଆରଏସ୍‌ ବ୍ୟବହାର କରିବା ସତ୍ତ୍ୱେ କୋହଲିଙ୍କୁ ପ୍ୟାଭିଲିଅନ ଫେରିବାକୁ ପଡ଼ିଥିଲା। ଜାଡେଜା ଆଟାକିଂ ଖେଳିଥିଲେ ଓ ଧୋନୀ ଭାରତୀୟ ଦଳର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ଯେଉଁ ବଲ ଛକା ହେବା କଥା ଜାଡେଜା ସେଥିରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଧୋନୀ ଡାଇଭ ମାରିଥିଲେ ଆଉଟ୍‌ ହେବାରୁ ବର୍ତ୍ତି ଯାଇପାରିଥାନ୍ତେ ବୋଲି ନିଜ ୟୁଟ୍ୟୁବ ଚ୍ୟାନେଲରେ ଅଖତର କହିଛନ୍ତି। ସେ ଆହୁରି ଉଲ୍ଲେଖ କରିଛନ୍ତି, ୩୮ ବର୍ଷୀୟ ଧୋନୀ ଜଣେ କିମ୍ବଦନ୍ତୀ। ସେ କ୍ରିକେଟର ଅନ୍ୟତମ ଆମ୍ବାସାଡର। ଧୋନୀ କ୍ରିଜ୍‌ରେ ଥିବା ପର୍ଯ୍ୟନ୍ତ ମ୍ୟାଚ୍‌ ଭାରତ ସପକ୍ଷରେ ଥିଲା। ଦୁର୍ଭାଗ୍ୟବଶତଃ ସେ ଦଳକୁ ଫାଇନାଲ ଦେଇ ପାରି ନ ଥିଲେ। ଦଳୀୟ ପ୍ରଦର୍ଶନରେ ଭାରତୀୟ ପ୍ରଶଂସକଙ୍କୁ ଗର୍ବିତ ହେବା ଉଚିତ।

Share