Categories: ଖେଳ

ଦ୍ୱାଦଶ ଅନ୍ତର୍ଜାତୀୟ କିଟ୍‌ ଚେସ୍‌ ମହୋତ୍ସବ ଉଦ୍‌ଯାପିତଇତୁରିଜାଗା ବୋନେଲି ଚାମ୍ପିୟନ

ଭୁବନେଶ୍ୱର, ୮।୬(କ୍ରୀଡ଼ା ପ୍ରତିନିଧି)-ଦ୍ୱାଦଶ ଅର୍ନ୍ତଜାତୀୟ କିଟ୍‌ ଚେସ୍‌ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଛି। ଭେନେଜୁଏଲା ଗ୍ରାଣ୍ଡମାଷ୍ଟର ଇତୁରିଜାଗା ବୋନେଲି ଏଡୁଆର୍ଡୋ (୮ ପଏଣ୍ଟ) ‘ଏ’ କାଟେଗୋରୀରେ ଚାମ୍ପିୟନ ହୋଇଛନ୍ତି। ତାଙ୍କୁ ଟ୍ରଫି ସହ ୨ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି। ସମାନ ୮ ପଏଣ୍ଟ ପାଇଥିଲେ ହେଁ ୟୁକ୍ରେନ୍‌ ଗ୍ରାଣ୍ଡ ମାଷ୍ଟର ନେଭେରୋଭ ଭାଲେରି ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇ ଟ୍ରଫି ସହ ୧ ଲକ୍ଷ ଟଙ୍କା ଓ ଆର୍ମେନିଆର ତର-ସାହାକ୍ୟାନ୍‌ ସାମଭେଲ୍‌ ୩ୟ ସ୍ଥାନ ହାସଲ କରି ଟ୍ରଫି ସହ ନଗଦ ୮୦ ହଜାର ଟଙ୍କା ଅର୍ଥ ରାଶି ଲାଭ କରିଛନ୍ତି। ‘ସି’ କ୍ୟାଟେଗୋରୀରେ ଓଡ଼ିଶାର ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଓଡ଼ିଶାର ବିଶାଳ ପଟ୍ଟନାୟକ (୮.୫ ପଏଣ୍ଟ) ଚାମ୍ପିୟନ୍‌ ହୋଇଥିବା ବେଳେ ତାଙ୍କୁ ଟ୍ରଫି ସହ ନଗଦ ୬୦ ହଜାର ଟଙ୍କା ଅର୍ଥ ରାଶି ପୁରସ୍କାର ଆକାରରେ ପ୍ରଦାନ କରାଯାଇଛି। ସେହିପରି ମିରାକ୍‌ଲ ପଣ୍ଡା (୮) ରନର୍ସ ଅପ୍‌ ହୋଇ ଟ୍ରଫି ସହ ୪୦ ହଜାର ଟଙ୍କା ଓ ଦିଲ୍ଲୀର ସତ୍ୟମ୍‌ ପ୍ରକାଶ ତୃତୀୟ ସ୍ଥାନ ହାସଲ କରି ଟ୍ରଫି ସହ ୩୦ ହଜାର ଟଙ୍କା ଅର୍ଥ ରାଶି ପୁରସ୍କାର ପାଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବାଣିଜ୍ୟ ଓ ପରିବହନ, ଯୋଜନା ଓ ସମନ୍ବୟ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, ଟୁର୍ନାମେଣ୍ଟ ନିର୍ଦ୍ଦେଶକ ତଥା ସର୍ବଭାରତୀୟ ଚେସ୍‌ ଫେଡେରେଶନ୍‌ର ଉପସଭାପତି ଶେଖର ସାହୁ, ଅଲ୍‌ ଓଡ଼ିଶା ଚେସ୍‌ ଆସୋସିଏସନ୍‌ର ସମ୍ପାଦକ ଦେବବ୍ରତ ଭଟ୍ଟ ଏବଂ ଉପସଭାପତି ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମେ ୩୧ରୁ ଜୁନ୍‌ ୭ ପର୍ଯ୍ୟନ୍ତ ଚାଲିଥିବା ଏହି ଟୁର୍ନାମେଣ୍ଟରେ ୨୦ଟି ଦେଶରୁ ୧୦୦୦ରୁ ଊର୍ଦ୍ଧ୍ୱ ଗ୍ରାଣ୍ଡମାଷ୍ଟର, ଇଣ୍ଟରନ୍ୟାଶନାଲ ମାଷ୍ଟର, ମହିଳା ଗ୍ରାଣ୍ଡ ମାଷ୍ଟର ଏବଂ ମହିଳା ଇଣ୍ଟରନ୍ୟାଶନାଲ ମାଷ୍ଟର୍‌ ଯୋଗଦେଇଥିଲେ। ଏଥିରେ ବିଭିନ୍ନ ବର୍ଗରେ କୃତୀ ଖେଳାଳିମାନଙ୍କୁ ମୋଟ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ସଫଳ ଖେଳାଳିମାନଙ୍କୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି।

Share