Categories: ଖେଳ

ଦୋହା ଟ୍ରେନିଂ : ଓଡ଼ିଶା ଏଫ୍‌ସି ଯୁବ ଫୁଟବଲରଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିଛି

ଭୁବନେଶ୍ୱର,୩।୩(ପି.ଟି.)- କାତାର ରାଜଧାନୀ ଦୋହାରେ ଟ୍ରେନିଂ ନେଇ ଫେରିଛନ୍ତି ଓଡ଼ିଶା ଏଫସି୍‌ର ଜୁନିୟର ଫୁଟବଲର। ଦେବେନ ସାହନୀ, ରେଉବେନ ଲେଟଖୋଟିନ୍‌ଚନ, ସିଭିଏଲ୍‌ ରେମଟଲୁଆଙ୍ଗା ଓ ଏସ୍‌. ଲାଲହରେଜୁଆଲା ଦୋହାର ଆସପାୟାର ଏକାଡେମୀରେ ପ୍ରଶିକ୍ଷଣ ନେଇଛନ୍ତି। ଫଳରେ ଏହି ଯୁବ ଖେଳାଳିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି। ଏହି ଯୁବ ଫୁଟବଲରମାନେ ଦିଲ୍ଲୀ ଡାଇନାମୋସ (ଏବେକାର ଓଡ଼ିଶା ଏଫ୍‌ସି)ର ୧୮ ବର୍ଷରୁ କମ୍‌ ଦଳର ସଦସ୍ୟ ଥିଲେ। ୨୦୧୮-୧୯ ସେସନରେ ଏମାନେ ଦିଲ୍ଲୀ ଜୋନ୍‌ରେ ଏଲିଟ ଲିଗ୍‌ରେ ନିଜ ଦଳକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ମଣିପୁର ଟିନ୍‌ଏଜର ରୁବେନ ପିଲାବେଳୁ ପିତାଙ୍କୁ ହରାଇଥିଲେ। ତାଙ୍କ ଭାଇ ଏବେ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। ତାଙ୍କ ମା ମଧ୍ୟ ବିଭିନ୍ନ କାରଣରୁ ଗୁରୁତର ଭାବେ ଅସୁସ୍ଥ ରହିଆସୁଛନ୍ତି। କିନ୍ତୁ ରୁବେନ ଫୁଟବଲକୁ କ୍ୟାରିୟର ରୂପେ ଚୟନ କରିଥିଲେ ଓ ଏବେ ଏହା କାମରେ ଆସୁଛି। ଆସପାୟାର ହେଉଛି ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ। ଏଠାରେ ପ୍ରଶିକ୍ଷଣ ନେଇ ଏବେ ମୁଁ ନିଜକୁ ଜଣେ ଉନ୍ନତ ଖେଳାଳିରେ ପରିଣତ କରିଛି। ଅଧିକ ଦାୟିତ୍ୱ ସମ୍ପନ୍ନ ହେବା ସହ ମୋର ଟେକ୍‌ନିକ୍‌ରେ ମଧ୍ୟ ଉନ୍ନତି ହୋଇଛି ବୋଲି ରେଉବେନ୍‌ କହିଛନ୍ତି। ରେଉବେନ ୨୦୧୮ ଜାନୁୟାରୀରେ ଓଡ଼ିଶା ଏଫ୍‌ସିରେ ଯୋଗ ଦେଇଥିଲେ।
ସେହିପରି ଦିଲ୍ଲୀ ଡିଫେଣ୍ଡର ଦେବେନ ୨୦୧୮ ଫେବୃୟାରୀରେ ଓଡ଼ିଶା ଏଫ୍‌ସିରେ ଯୋଗ ଦେଇଥିଲେ। ଭବିଷ୍ୟତରେ ଦେବେନ ଉନ୍ନତ ପ୍ରଦର୍ଶନ କରି କ୍ଲବ ଓ ଦେଶକୁ ଗର୍ବିତ କରାଇବା ଲକ୍ଷ୍ୟରେ ରହିଛନ୍ତି। ଦୋହାରେ ଟ୍ରେନିଂର ଅଭିଜ୍ଞତା ବେଶ୍‌ ଭଲ ଥିଲା। ସେଠାରେ ଭିତ୍ତିଭୂମି ଓ ସୁବିଧାସୁଯୋଗ ବିଶ୍ୱସ୍ତରୀୟ ବୋଲି ସେ କହିଛନ୍ତି। କୋଚ୍‌ମାନେ ପେସାଦାର ଢଙ୍ଗରେ ପ୍ରଶିକ୍ଷଣ ଦେଉଥିଲେ। ସେହିପରି ଏଭଳି ଏକ ବିଶ୍ୱସ୍ତରୀୟ ଏକାଡେମୀରେ କୋଚିଂ ନେଇ ସିଭିଏଲ ରେମଟଲୁଆଙ୍ଗା ଓ ଏସ୍‌. ଲାଲହରେଜୁଆଲା ଖୁସି ଜାହିର କରିଛନ୍ତି। ଏହି ପ୍ରଶିକ୍ଷଣରୁ ଆମେ ବହୁତ କିଛି ଶିକ୍ଷା କରିଛୁ ବୋଲି ରେମଟଲୁଆଙ୍ଗା କହିଛନ୍ତି। ଭବିଷ୍ୟତରେ ଏହା ଆମର କାମରେ ଆସିବ। ଏହି ପ୍ରଶିକ୍ଷଣ ନେବା ଦ୍ୱାର ଆମର ଆତ୍ମବିଶ୍ୱାସରେ ବୃଦ୍ଧି ଘଟିଛି।
ଉଲ୍ଲେଖଥାଉ କି, ଓଡ଼ିଶା ଏଫ୍‌ସି ଦୋହାର ଏହି ଏକାଡେମୀ ସହ ୨୦୧୭-୧୮ରୁ ଜଡିତ ରହିଆସିଛି। ଡିଫେଣ୍ଡର ଶୁଭମ ଷଡଙ୍ଗୀ ଏହି ଏକାଡେମୀରେ ପ୍ରଶିକ୍ଷଣ ନେଇଥିଲେ। ଏବେ ସେ ଓଡ଼ିଶା ଏଫ୍‌ସିର ସିନିୟର ଦଳରେ ନିୟମିତ ଭାବେ ଖେଳିଆସୁଛନ୍ତି।

Share