ଦେଶର ନେତା, ସ୍ବୟଂ ଜନତା

ସୌଭାଗ୍ୟ ସୁନ୍ଦରରାୟ

୧୯୭୫ ମସିହା ଜୁନ ମାସରେ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା। ବହୁ ସଂଖ୍ୟକ ଆନ୍ଦୋଳନକାରୀ ରାଜନୈତିକ ନେତୃବୃନ୍ଦଙ୍କୁ ଏମ୍‌ଆଇଏସ୍‌ଏ ଓ କୋଫେପୋସା ଆଇନ ବଳରେ ଗିରଫ କରାଯାଇ ବନ୍ଦୀ କରାଗଲା। ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଅପହରଣ କରିନିଆଗଲା। ଏହି ସମୟରେ ଦେଶର ଶାସନ କ୍ଷମତାରେ ଥିଲା କଂଗ୍ରେସ ଦଳ ଓ ପ୍ରଧାନମନ୍ତ୍ରୀ ଥିଲେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ। ଆଭ୍ୟନ୍ତରୀଣ ନିରାପତ୍ତା, ପ୍ରଶାସନିକ ସ୍ଥିରତା ଓ ଶାନ୍ତି ବାଧାପ୍ରାପ୍ତ ହେବା ଆଶଙ୍କା କରି ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା। ୨ ବର୍ଷ ପରେ ୧୯୭୭ ମସିହାରେ ଜରୁରୀ ଘୋଷଣାନାମା ପ୍ରତ୍ୟାହାର କରିନିଆଗଲା। କିନ୍ତୁ ପରବର୍ତ୍ତୀ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ଭୋଟରଙ୍କ ଦ୍ୱାରା କ୍ଷମତାଚ୍ୟୁତ ହେଲେ। ଜରୁରୀ ପରିସ୍ଥିତିକୁ କଂଗ୍ରେସ ବିରୋଧୀ ରାଜନୈତିକ ଦଳ କଳା ଘଟଣା ଭାବେ ପାଳନ କରିଆସୁଛନ୍ତି। ଅନୁରୂପ ଭାବେ ଦେଖିଲେ ଜରୁରୀ ପରିସ୍ଥିତି ପରି ଗତ କିଛିବର୍ଷ ହେଲା ପିଏମ୍‌ଏଲ୍‌ଏ, ବିପର୍ଯ୍ୟୟ ପରିଚାଳନା ଆଇନ, ଦେଶଦ୍ରୋହ ଆଇନ ବଳରେ ଅନେକ ବ୍ୟକ୍ତିଙ୍କ ନାମରେ ମାମଲା ଦାଏର କରାଯାଉଛି, ରାଜନେତାଙ୍କୁ ଗିରଫ କରାଯାଉଛି। ଦେଶଦ୍ରୋହ ଆଇନ ଦ୍ୱାରା ସାଧାରଣ ଜନତାଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରାଯାଉଛି। ରାଜ୍ୟ କ୍ଷମତାକୁ ଉପେକ୍ଷା କରାଯାଇ ସିବିଆଇ ତଦନ୍ତ କରାଯାଉଛି। ଫଳରେ ଅନେକ ରାଜ୍ୟ ସରକାର ସିବିଆଇ ନିକଟରୁ ତଦନ୍ତ କ୍ଷମତା ପ୍ରତ୍ୟାହାର କରି ନେଇଛନ୍ତି। ଗତ ୮ ବର୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରାୟ ୫,୦୦୦ ମାମଲା ଦାଏର କରିଛି, ୪୦୦ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ମାମଲାରେ ଦଣ୍ଡବିଧାନ ହାର ରହିଛି ୦.୪୨%।
୨୦୧୬ ନଭେମ୍ବର ୮ ରାତିରେ ଅଚାନକ ଭାବେ ଦେଶରେ ବିମୁଦ୍ରୀକରଣ ଘୋଷଣା କରାଗଲା। ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ଘୋଷଣା କରାଗଲା। ପ୍ରଧାନମନ୍ତ୍ରୀ ଆକସ୍ମିକ ଭାବେ ଏହି ଘୋଷଣା କରିଥିଲେ। ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ। ବିମୁଦ୍ରୀକରଣ ଦ୍ୱାରା ଦେଶରୁ କଳାଟଙ୍କା ରାଜକୋଷକୁ ଫେରିବ ଓ ଦେଶରୁ ଆତଙ୍କବାଦୀ କାର୍ଯ୍ୟକଳାପ ଲୋପ ପାଇବ ବୋଲି କୁହାଗଲା। କିନ୍ତୁ ତାହା ବାସ୍ତବରେ ଫଳିଲା ନାହିଁ। ଏହାପରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଇ ଏବେ ଏହାକୁ ପ୍ରତ୍ୟାହାର କରାଗଲାଣି। ରାଜ୍ୟ ସରକାରଙ୍କୁ ଉପେକ୍ଷା କରି କେନ୍ଦ୍ର ସରକାର ୨୦୨୦ରେ ନୂଆ କୃଷି ଆଇନ ପ୍ରଣୟନ କଲେ। ଏହା ବିରୋଧରେ ଚାଷୀ ଦୀର୍ଘ ବର୍ଷେ ଆନ୍ଦୋଳନ କଲେ। କୃଷି ଆଇନକୁ ବିରୋଧ କରି କେରଳ, ଛତିଶଗଡ଼, ରାଜସ୍ଥାନ ଓ ଦିଲ୍ଲୀ ସରକାର ବିଧାନସଭାରେ ପ୍ରସ୍ତାବ ଗ୍ରହଣ କଲେ। ଅର୍ଥାତ୍‌ କେନ୍ଦ୍ରର କୃଷି ଆଇନକୁ ଅଚଳ କରିବାର ଅଧିକାର ରାଜ୍ୟ ସରକାରର ରହିଛି ବୋଲି ଏଥିରୁ ପ୍ରମାଣିତ ହେଲା। ଶେଷକୁ ଏହି ଆଇନ ପ୍ରତ୍ୟାହାର ବିଷୟ ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କଲେ। ଉପରୋକ୍ତ ସମସ୍ତ ଘଟଣାକୁ ଏକଚ୍ଛତ୍ରବାଦୀ ମାନସିକତା ବା ଏକତରଫା ନିଷ୍ପତ୍ତି ସହ ତୁଳନା କରାଯାଇପାରେ।
ଶାସନ କ୍ଷମତାରେ ଥିବା ଦଳ ନିଜକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଅନ୍ୟକୁ ଦୋଷୀ ଦର୍ଶାଇବା ପଛରେ ରାଜନୈତିକ ଅଭିଳାଷ ରହିଥାଏ। ଅନ୍ୟର ଦୋଷତ୍ରୁଟି ଦର୍ଶାଇବା ସମୟରେ ନିଜର ଦୋଷତ୍ରୁଟି ଭୁଲି ଯାଇଥାଆନ୍ତି। କ୍ଷମତାସୀନ ଦଳ ପୂର୍ବ ସରକାରଙ୍କ ଦୋଷ ସର୍ବଦା ପ୍ରକାଶ କରିଥାଆନ୍ତି। ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳ ପରସ୍ପର ପ୍ରତି ଆକ୍ଷେପ ପ୍ରତିଆକ୍ଷେପରେ ଜଡ଼ିତ ରୁହନ୍ତି। ସେମାନଙ୍କ ମତ ଓ ବିଚାରଧାରା ସାଧାରଣ ଜନତାଙ୍କ ଉପରେ ଲଦି ଦଳ ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିଥାଆନ୍ତି। ତେବେ କାଦୁଅ ଫୋପଡ଼ାର ମଧ୍ୟ ଲକ୍ଷ୍ମଣରେଖା ରହିବା ଆବଶ୍ୟକ। ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହିଂସା ହେଲା, ମଣିପୁରରେ ମଧ୍ୟ ଜାତିଆଣ ସଂଘର୍ଷ ଜାରି ରହିଛି। ୟୁରୋପୀୟ ପାର୍ଲାମେଣ୍ଟରେ ମଣିପୁର ପ୍ରସଙ୍ଗ ଆଲୋଚିତ ହେଲା। ତେବେ ଏହି ହିଂସା କବଳରୁ କିପରି ମୁକ୍ତି ପାଇ ସାଧାରଣ ନାଗରିକର ଜୀବନ ସୁରକ୍ଷିତ କରିହେବ ସେ ସମ୍ପର୍କରେ ପ୍ରଥମେ ଚିନ୍ତା କରାଯିବା ଆବଶ୍ୟକ। ରାଜନୈତିକ ଦୃଷ୍ଟିକୋଣରୁ ଆକ୍ଷେପ ପ୍ରତିଆକ୍ଷେପ ଦ୍ୱାରା ନାଗରିକ ଜୀବନ ସୁରକ୍ଷିତ ହୋଇପାରିବ ନାହିଁ। ୨୦୧୩ ମସିହା ଶେଷବେଳକୁ ଦେଶରେ ଦରଦାମ ବ୍ୟାପକ ଭାବେ ବୃଦ୍ଧି ପାଇଲା। ପିଆଜ ଦର କିଲୋଗ୍ରାମ ପିଛା ୧୦୦ ଟଙ୍କାରେ ପହଞ୍ଚତ୍ଲା। ପରବର୍ଷ ଜନତାଙ୍କ ଦ୍ୱାରା ମନମୋହନ ସିଂହ କ୍ଷମତାରୁ ଗଲେ। ଚଳିତବର୍ଷ ଦେଶରେ ଟମାଟୋ ଦଳ ୨୦୦ ଟଙ୍କା ଓ ଅଦା ୩୦୦ ଟଙ୍କାରେ ପହଞ୍ଚତ୍ଛି। ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି।
ବାବ୍ରୀ ମସ୍‌ଜିଦ୍‌ ଧ୍ୱଂସ ଦେଶର ଅନ୍ୟ ଏକ ଘଟଣା କଳା ଦିବସ ଭାବେ ପାଳିତ ହେଉଛି। ଅଯୋଧ୍ୟାରେ ଥିବା ପରିତ୍ୟକ୍ତ ବାବ୍ରୀ ମସ୍‌ଜିଦ୍‌କୁ ବିଶ୍ୱ ହିନ୍ଦୁ ପରିଷଦ କର ସେବକମାନେ ୧୯୯୨ ଡିସେମ୍ବର ମାସରେ ଧ୍ୱଂସ କରିଥିଲେ। ଏହାଦ୍ୱାରା ବିଶ୍ୱରେ ଭାରତର ଧର୍ମନିରପେକ୍ଷ ଭାବମୂର୍ତ୍ତି ନଷ୍ଟ ହୋଇଥିଲା। ଅଣ-ଭାଜପା ଦଳ ଏହି ଦିନକୁ କଳା ଦିବସ ଭାବେ ପାଳନ କରୁଛନ୍ତି। କହିବାର ତାତ୍ପର୍ଯ୍ୟ ଯେ, ବର୍ତ୍ତମାନ ସମୟରେ ଜରୁରୀ ପରିସ୍ଥିତି ବା ବାବ୍ରୀ ମସଜିଦ୍‌ ପ୍ରସଙ୍ଗ ଉଠାଇ କଳା ଦିବସ ପାଳନ କରିବାର କିଛି ଯଥାର୍ଥତା ନାହିଁ। ଗୋଧ୍ରା ଦଙ୍ଗା ମଧ୍ୟ ଭାରତ ଇତିହାସରେ ଅନ୍ୟ ଏକ କଳା ଘଟଣା। ୨୦୦୨, ଫେବୃୟାରୀ ୨୭ ତାରିଖରେ ଏହି ଘଟଣା ଘଟିଥିଲା। ଦଙ୍ଗାରେ ୧୦୦୦ରୁ ଅଧିକ ଜନତା ପ୍ରାଣ ହରାଇବା ସହ ବହୁ ନିଖୋଜ ହୋଇଥିଲେ। ଏହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କୁ ରାଜଧର୍ମ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚେତାଇ ଦେଇଥିଲେ।
୧୯୭୮ରେ ମୁସ୍‌ଲିମ ସମ୍ପ୍ରଦାୟର ମହିଳା ଶାହା ବାନୋ ଛାଡ଼ପତ୍ର ବାବଦକୁ ଭରଣପୋଷଣ ଦାବି କରି ଅଦାଲତରେ ଏକ ମାମଲା ଦାଏର କଲେ। ଇନ୍ଦୋରର ନିମ୍ନ ଅଦାଲତ ଛାଡ଼ପତ୍ର ବାବଦକୁ ମାସିକ ୨୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ। ମଧ୍ୟପ୍ରଦେଶ ହାଇକୋର୍ଟ ଏହାକୁ ୧୭୯ ଟଙ୍କାକୁ ବୃଦ୍ଧି କରିଥିଲେ। ଏହି ସମୟରେ ସମ୍ବିଧାନର ଧାରା ୪୪ କଥା ଉଠିଥିଲା। ଏହି ମାମଲା ମୁସ୍‌ଲିମ ପର୍ସନାଲ ଆଇନ ଅନ୍ତର୍ଭୁକ୍ତ ହୋଇଥିବାରୁ ମୁସ୍‌ଲିମ ଭୋଟରଙ୍କ ରୋଷର ଶିକାର ହେବା ଭୟରେ ରାଜୀବ ଗାନ୍ଧୀ ନେତୃତ୍ୱାଧୀନ ସରକାର ୧୯୮୬ ରେ ପାର୍ଲାମେଣ୍ଟରେ ମୁସ୍‌ଲିମ ମହିଳା ସୁରକ୍ଷା ଓ ଅଧିକାର ଆଇନ ଆଣି ଅଦାଲତର ପ୍ରଗତିଶୀଳ ରାୟକୁ ଏକପ୍ରକାର ଅକାମୀ କରିଦେଲେ। ଅନୁରୂପ ଭାବେ ନିର୍ବାଚିତ ସରକାରଙ୍କୁ ଦିଲ୍ଲୀର ଅମଲାତାନ୍ତ୍ରିକ ନିୟନ୍ତ୍ରଣ କ୍ଷମତା ପ୍ରଦାନ ପାଇଁ ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଥିଲେ ମଧ୍ୟ କେନ୍ଦ୍ର ସରକାର ଆଇନ ବଳରେ ଏହି ରାୟକୁ ଅକାମୀ କରି ଦେଇଛନ୍ତି। ଉଭୟ କ୍ଷେତ୍ରରେ ମାନସିକତା ଏକା। ଏହାକୁ ସାଧାରଣ ଜନତା ନିରୀକ୍ଷଣ କରୁଛନ୍ତି। ଏଣୁ ଜନତାଙ୍କୁ ସବୁ ସମୟ ପାଇଁ ଠକି ହେବ ନାହିଁ।
୧୯୭୫ ବା ୧୯୯୨ ରେ କ’ଣ ହୋଇଥିଲା ତାହା ସର୍ବସାଧାରଣରେ ବାରମ୍ବାର ଆଲୋଚନା ଦ୍ୱାରା ଭାରତୀୟ ରାଜନୀତିର ଏକ ନକାରାତ୍ମକ ଦିଗ ସର୍ବସମ୍ମୁଖକୁ ଆସୁଛି। କ୍ଷମତାସୀନ ରାଜନୈତିକ ଦଳ ଭାବୁଥାଆନ୍ତି ସେମାନେ ଯାହା କରନ୍ତି ତାହା ଠିକ୍‌। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ସେମାନେ ଦେଶ ପାଇଁ ଯେ ସମ୍ପୂର୍ଣ୍ଣ ସମର୍ପିତ ତାହା ମଧ୍ୟ ସମ୍ପୂର୍ଣ୍ଣ ଠିକ୍‌ ନୁହେଁ। ଦେଶ ଜନତାଙ୍କର ଏବଂ ଜନତାଙ୍କ ଦ୍ୱାରା ଓ ଜନତାଙ୍କ ପାଇଁ ଚାଲିଛି। ସ୍ବାଧୀନୋତ୍ତର ଭାରତ ବର୍ଷରେ ଏହିପରି ଅନେକ ଘଟଣା ଘଟିଯାଇଛି, ଯାହା କେତେବେଳେ ଭାରତର ଧର୍ମନିରପେକ୍ଷ ଭାବମୂର୍ତ୍ତିକୁ ମଳିନ କରିଛି।ଏଣୁ ରାଜନୀତିରେ ରାଜଧର୍ମ ପାଳନ କରି ଆଚରଣରେ ପରିବର୍ତ୍ତନ କରାଗଲେ ଭାରତୀୟ ଗଣତନ୍ତ୍ର ଅଧିକ ଋଦ୍ଧିମନ୍ତ ହୋଇପାରିବ।
ମୋ: ୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri