Categories: ଖେଳ

ଦୃଢ଼ ସ୍ଥିତିରେ ଇଂଲଣ୍ଡ

କେପ୍‌ ଟାଉନ, ୬।୧- ସ୍ଥାନୀୟ ନ୍ୟୁଲାଣ୍ଡ୍ସଠାରେ ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଦୃଢ଼ ସ୍ଥିତିରେ ରହିଛି। ଓପନର୍‌ ଡୋମିନିକ ସିବଲୀ (୮୫*) ଓ ଅଧିନାୟକ ଜୋ ରୁଟ୍‌ (୬୧)ଙ୍କ ଅର୍ଦ୍ଧଶତକ ବଳରେ ରବିବାର ୩ୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ଇଂଲଣ୍ଡ ୨ୟ ଇନିଂସରେ ୪ ଉଇକେଟ୍‌ ହରାଇ ୨୧୮ ରନ ସଂଗ୍ରହ କରିଛି। ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍‌ କ୍ରାଉଲୀ ୨୫, ଜୋ ଡେନ୍‌ଲୀ ୩୧ ରନ କରିଥିବାବେଳେ ଡୋମିନିକ ବେସ୍‌ ଖାତା ଖୋଲି ପାରି ନ ଥିଲେ। ସିରିଜରେ ୧-୦ରେ ଅଗ୍ରଣୀ ରହିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନ୍‌ରିଚ ନର୍ଟେଜ ୨ଟି ଉଇକେଟ୍‌ ନେଇଛନ୍ତି। ପ୍ରଥମ ଇନିଂସରେ ୪୬ ରନରେ ଅଗ୍ରଣୀ ଲାଭ କରିଥିବା ଭ୍ରମଣକାରୀ ଇଂଲଣ୍ଡ ମୋଟ୍‌ ଉପରେ ୨୬୪ ରନରେ ଅଗ୍ରଣୀ ଲାଭ କରିଛି। ମ୍ୟାଚ୍‌ ଆଉ ୨ ଦିନ ବାକି ରହିଥିବାରୁ ଇଂଲଣ୍ଡ ବୃହତ୍‌ ସ୍କୋର କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ବଡ଼ ଟାର୍ଗେଟ୍‌ ରଖିବା ଲକ୍ଷ୍ୟରେ ରହିଛି। ପୂର୍ବରୁ ଇଂଲଣ୍ଡ ଓଲି ପୋପ୍‌ (୬୧), ବେନ୍‌ ଷ୍ଟୋକ୍ସ (୪୭) ଓ ରୁଟ୍‌ (୩୫)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ପ୍ରଥମ ଇନିଂସରେ ୨୬୯ ରନ କରିଥିଲା। ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ଓପନର୍‌ ଡିନ୍‌ ଏଲ୍‌ଗାର (୮୮) ଓ ରସି ଭାନ୍‌ ଡର୍‌ ଡୁସେନ (୬୮)ଙ୍କ ଅର୍ଦ୍ଧଶତକୀୟ ଇନିଂସରେ ବଳରେ ପ୍ରଥମ ଇନିଂସରେ ୨୨୩ ରନରେ ସୀମିତ ରହିଥିଲା। ସଫଳ ବୋଲର ଭାବେ ଜେମ୍ସ ଆଣ୍ଡରସନ ୫ ଉଇକେଟ୍‌ ସଫଳତା ପାଇଥିଲେ। ଟେଷ୍ଟରେ ଏହା ତାଙ୍କର ୨୮ତମ ୫ ଉଇକେଟ୍‌ ସଫଳତା ଥିଲା। ଏହିକ୍ରମରେ ସେ ସାର୍‌ ଇଆନ ବୋଥାମ ଓ ରବିଚନ୍ଦ୍ରନ ଅଶ୍ୱିନ (୨୭ଥର)ଙ୍କୁ ପଛରେ ପକାଇ ଦେଇଛନ୍ତି। ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥୟା ମୂରଲୀଧରନ ଶୀର୍ଷରେ ରହିଛନ୍ତି। ସେ ୧୩୩ ମ୍ୟାଚ୍‌ରୁ ସର୍ବାଧିକ ୬ଥର ୫ ଉଇକେଟ୍‌ ନେଇଛନ୍ତି। ଭାରତର ଅନିଲ କୁମ୍ବଲେ (୩୫ ଥର) ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି।

Share