ଦୂର ହେଲା ଭାରତୀୟ ଦଳର ବ୍ୟାଟିଂ ଅର୍ଡର ସମସ୍ୟା

କାର୍ଡିଫ,୨୯ା୫- ଦୀର୍ଘ ଦିନ ହେଲା ଭାରତୀୟ ଦଳର ବ୍ୟାଟିଂ ଅର୍ଡରର ୪ର୍ଥ ସ୍ଥାନରେ କେଉଁ ବ୍ୟାଟ୍ସମ୍ୟାନ ଖେଳିବା ନେଇ ଚାଲିଥିବା ସମସ୍ୟା ଦୂର ହୋଇଛି। ଏଠାରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ଲୋକେଶ ରାହୁଲ ଶତକୀୟ ଇନିଂସ ଖେଳି ଟିମ୍‌ ମ୍ୟାନେଜମେଣ୍ଟ ଓ ଅଧିନାୟକ ବିରାଟ କୋହଲିଙ୍କୁ ଭରସା ଦେଇଛନ୍ତି। ୬ ମାସ ପୂର୍ବେ ଖରାପ ଫର୍ମ ଓ ସାଥି ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏକ ବିବାଦୀୟ ମନ୍ତବ୍ୟ ଦେଇ ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିଲେ। କିନ୍ତୁ ୨୭ ବର୍ଷୀୟ ବ୍ୟାଟ୍ସମ୍ୟାନ ଭାରତ ଏ’ ପାଇଁ ଦୁଇଟି ଅର୍ଦ୍ଧଶତକୀୟ ଇନିଂସ ଖେଳିବା ପରେ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିଙ୍ଗ୍ସ ଏକାଦଶ ପଞ୍ଜାବ ପାଇଁ ୧୪ ମ୍ୟାଚ୍‌ରୁ ୫୯୩ ରନ୍‌ କରିବା ପରେ ତାଙ୍କୁ ବିଶ୍ୱକପ୍‌ ଦଳରେ ସ୍ଥାନ ମିଳିଥିଲା। ହେଲେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ନେଇ ନିଶ୍ଚିତ ନ ଥିଲେ। କାରଣ ଦଳରେ ତାଙ୍କୁ ରିଜର୍ଭ ଓପନର ଭାବେ ସାମିଲ କରାଯାଇଥିଲା। ଭାରତୀୟ ଦଳ ମାତ୍ର ୫୦ ରନ୍‌ରେ ଦୁଇ ଓପନରଙ୍କୁ ହରାଇ ସାରିଥିଲା। ଏଭଳି ସ୍ଥିତିରେ ଅଧିନାୟକ କୋହଲିଙ୍କ ସହ ମିଶି ରାହୁଲ ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ଟିମ୍‌ ଇଣ୍ଡିଆ ପୁଣି କ୍ରମାଗତ ବ୍ୟବଧାନରେ କୋହଲି ଓ ବିଜୟ ଶଙ୍କରଙ୍କ ଉଇକେଟ ହରାଇଥିଲା। ଏହାପରେ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କ ସହ ରାହୁଲ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ସେ ୯୯ ବଲ ଖେଳି ୪ ଛକା ଓ ୧୨ ଚୌକା ସହାୟତାରେ ୧୦୮ ରନ୍‌ କରିଥିଲେ। ଦଳର ଆବଶ୍ୟକ ଥିବାବେଳେ ଏହି ଇନିଂସ ଯୋଗୁ ରାହୁଲଙ୍କ ସ୍ଥାନ ଭାରତୀୟ ଦଳରେ ପ୍ରାୟତଃ ସ୍ପଷ୍ଟ ହୋଇଛି।

Share