ଦୁଇଟି ଉଦ୍ଭାବନର ଅନ୍ତ

ଇଂ. ମାୟାଧର ସ୍ବାଇଁ
ସଭ୍ୟତାର ବିକାଶରେ ସହାୟକ ହୋଇଥିବା କେତୋଟି ପ୍ରଭାବଶାଳୀ ଉଦ୍ଭାବନ ମଧ୍ୟରୁ ଦୁଇଟିର ବ୍ୟବହାର ବନ୍ଦ ହେବାକୁ ଯାଉଛି। ଗୋଟିଏ ହେଉଛି ତାପଦୀପ୍ତ ବିଜୁଳିବତି ଓ ଅନ୍ୟଟି ହେଉଛି ଆଭ୍ୟନ୍ତରୀଣ ଦହନ ଇଞ୍ଜିନ। ଆମେରିକାର ବିଶିଷ୍ଟ ଉଦ୍ଭାବକ ଟମାସ୍‌ ଆଲ୍‌ଭା ଏଡିସନ୍‌ ୧୮୭୯ ମସିହାରେ ବିଜୁଳିବତି ଉଦ୍ଭାବନ କରିଥିଲେ। ସେ ଏହାର ଫିଲାମେଣ୍ଟ୍‌ ପାଇଁ ଶହେରୁ ଅଧିକ ପଦାର୍ଥ ପରୀକ୍ଷା କରିବା ପରେ ସଫଳ ହୋଇଥିଲେ। ଆଜିକାଲି ଅନ୍ୟ ବିଜୁଳିବତି ବାହାରିବା ପରେ ତାକୁ ସାଧାରଣ ବିଜୁଳିବତି କୁହାଯାଉଛି। ଏହାର ଦକ୍ଷତା ବହୁତ କମ୍‌। ଏଥିରେ ବିଦ୍ୟୁତ୍‌ ଶକ୍ତିର ୯୦ ପ୍ରତିଶତ ତାପଶକ୍ତିରେ ପରିଣତ ହୋଇଥାଏ ଏବଂ ଅବଶିଷ୍ଟ ଆଲୋକରେ ପରିଣତ ହୋଇଥାଏ। ଏହି କାରଣରୁ ଏହା ଅଧିକ ବିଦ୍ୟୁତ୍‌ ବ୍ୟୟ କରିଥାଏ। ମାତ୍ର ୧୨୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ଆଲୋକ ପ୍ରଦାନରେ ଏହାର ଆଧିପତ୍ୟ ରହି ଆସିଥିଲା। ଏହାପରେ ଅଧିକ ଦକ୍ଷତାସମ୍ପନ୍ନ ସିଏଫ୍‌ଏଲ୍‌ ଓ ଏଲ୍‌ଇଡି ବତି ଉଦ୍ଭାବନ ହେବା ପରେ ସାଧାରଣ ବିଜୁଳିବତିର ଚାହିଦା ହ୍ରାସ ପାଇଲା। ୬୦ ଓ୍ବାଟ୍‌ର ଗୋଟିଏ ସାଧାରଣ ବିଜୁଳିବତି ଯେତିକି ଆଲୋକ ପ୍ରଦାନ କରିଥାଏ, ୧୫ ଓ୍ବାଟ୍‌ର ଗୋଟିଏ ସିଏଫ୍‌ଏଲ୍‌ ଓ ୮ ଓ୍ବାଟ୍‌ର ଗୋଟିଏ ଏଲଇଡି ବତି ସେତିକି ଆଲୋକ ପ୍ରଦାନ କରିଥାଏ। ଏଣୁ ସିଏଫ୍‌ଏଲ୍‌ ଓ ଏଲ୍‌ଇଡି ବତି ବ୍ୟବହାର କଲେ ବିଦ୍ୟୁତ୍‌ ବିଲ୍‌ କମ୍‌ ଆସିଥାଏ। ଏହି ଦୁଇ ବିଜୁଳିବତିର ମୂଲ୍ୟ ଅଧିକ ଥିବାରୁ ସାଧାରଣ ବିଜୁଳିବତିର ବ୍ୟବହାର କମି ନ ଥିଲା। ବର୍ତ୍ତମାନ ମୂଲ୍ୟ ହ୍ରାସ ହୋଇଥିବାରୁ ସାଧାରଣ ବିଜୁଳିବତିର ବ୍ୟବହାର ଧୀରେ ଧୀରେ କମିଯାଉଛି। ପୁନଶ୍ଚ ସାଧାରଣ ବିଜୁଳିବତି ଯେତିକି ସମୟ କାର୍ଯ୍ୟ କରିପାରେ, ଏଲ୍‌ଇଡି ବତି ତାହାର ୪୧ ଗୁଣ ସମୟ କାର୍ଯ୍ୟ କରିପାରେ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଆମ ବିଦ୍ୟୁତ୍‌ର ଅଧିକାଂଶ ଭାଗ (ପ୍ରାୟ ୬୫ ପ୍ରତିଶତ) ତାପଜ ବିଦ୍ୟୁତ୍‌ରୁ ଆସୁଛି, ଯାହା ବାୟୁ ପ୍ରଦୂଷଣ କରିବା ସହ ଜାଗତିକ ଉଷ୍ଣତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନର କାରଣ ହୋଇଛି। ଫଳରେ ଶକ୍ତି ସଂରକ୍ଷଣ ପାଇଁ ସାଧାରଣ ବିଜୁଳିବତିକୁ ପର୍ଯ୍ୟାୟକ୍ରମେ ବନ୍ଦ କରିଦେବା ପାଇଁ ବିଭିନ୍ନ ଦେଶ ଆଗଭର ହୋଇଛନ୍ତି। ଏପରିକି କେତୋଟି ଦେଶରେ ଏହାର ଉତ୍ପାଦନ ଓ ବ୍ୟବହାର ଉପରେ ନିଷେଧାଜ୍ଞା ଘୋଷଣା କରାଯାଇଛି।
ଯାନବାହନରେ ବ୍ୟବହୃତ ଆଭ୍ୟନ୍ତରୀଣ ଦହନ ଇଞ୍ଜିନ୍‌କୁ ଜର୍ମାନୀର ଉଦ୍ଭାବକ ରୁଡୋଲଫ୍‌ ଡିଜେଲ ୧୮୯୨ ମସିହାରେ ବିକାଶ କରିଥିଲେ। ଏହାକୁ ବ୍ୟବହାର କରି ଆମେରିକାର ଫୋର୍ଡ କମ୍ପାନୀ ୧୯୦୮ରୁ ୧୯୨୭ ମସିହା ମଧ୍ୟରେ ‘ଫୋର୍ଡ ମଡେଲ ଟି’ ଗାଡି ଉତ୍ପାଦନ କରି ପରିବହନ କ୍ଷେତ୍ରରେ ବିପ୍ଳବ ଆଣିଥିଲା। ଏହାର ମୂଲ୍ୟ କମ୍‌ ଥିବାରୁ ଅଧିକ ଲୋକ ଏହାକୁ କିଣିବା ପାଇଁ କ୍ଷମ ହେଲେ। ଆଜି ପର୍ଯ୍ୟନ୍ତ ମୋଟରଗାଡ଼ିରେ ଏହି ଇଞ୍ଜିନ୍‌ କାର୍ଯ୍ୟ କରିଆସୁଛି। କିନ୍ତୁ ଏହା ଆଉ ଅଧିକ ଦିନ ରହିବ ନାହିଁ। ଏହାର ବିକଳ୍ପ ଭାବେ ବିଦ୍ୟୁତ୍‌ ଇଞ୍ଜିନ ବାହାରିଲାଣି। ଆଭ୍ୟନ୍ତରୀଣ ଦହନ ଇଞ୍ଜିନରେ ଡିଜେଲ ଓ ପେଟ୍ରୋଲ ଦହନ ହୋଇଥାଏ ଏବଂ ଏହା ଫଳରେ ବାୟୁମଣ୍ଡଳକୁ କାର୍ବନ ମନୋକ୍‌ସାଇଡ୍‌, ସଲ୍‌ଫର ଡାଇଅକ୍‌ସାଇଡ, ନାଇଟ୍ରୋଜେନ୍‌ ଅକ୍‌ସାଇଡ, ହାଇଡ୍ରୋକାର୍ବନ, କ୍ଷୁଦ୍ରକଣିକା ଆଦି ପଦାର୍ଥ ନିର୍ଗତ ହୋଇ ପ୍ରଦୂଷଣ କରିଥାଏ। ପୁନଶ୍ଚ ପେଟ୍ରୋଲିୟମ୍‌ ପୃଥିବୀର କେତେକ ନିର୍ଦ୍ଦିଷ୍ଟ ଦେଶରେ ଉପଲବ୍ଧ ଏବଂ ଏହାକୁ ଆମଦାନି କରିବା ପାଇଁ ବୈଦେଶିକ ପୁଞ୍ଜି ବ୍ୟୟ ହୋଇଥାଏ। ଏହାର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଇବା ସହିତ ଭୂଗର୍ଭରେ ଏହାର ପରିମାଣ ହ୍ରାସ ପାଇବାରେ ଲାଗିଛି ଏବଂ ଆସନ୍ତା ୩୦ ବର୍ଷ ଭିତରେ ଏହା ନିଃଶେଷ ହୋଇଯିବା ଆଶଙ୍କା ଦେଖାଦେଇଛି। ଏହାର ଅନ୍ୟ ଏକ ଅସୁବିଧା ହେଉଛି ଯେ ଏହା ଇରାନ, ଇରାକ, କୁଏଟ, ସୌଦି ଆରବ ଆଦି ଉପସାଗରୀୟ ଦେଶରେ ଅଧିକ ପରିମାଣରେ ଉପଲବ୍ଧ ଏବଂ ସେହି ଅଞ୍ଚଳଗୁଡ଼ିକରେ ବାରମ୍ବାର ଯୁଦ୍ଧ ଓ ଅଶାନ୍ତି ସୃଷ୍ଟି ହେଉଥିବାରୁ ଏହାର ନିରାପଦ ଆମଦାନିରେ ସନ୍ଦେହ ସୃଷ୍ଟି ହୋଇଛି। ଏହି କାରଣରୁ ଆଭ୍ୟନ୍ତରୀଣ ଦହନ ଇଞ୍ଜିନର ବିକଳ୍ପ ଭାବେ ବୈଜ୍ଞାନିକମାନେ ବିଦ୍ୟୁତ୍‌ ଇଞ୍ଜିନକୁ ବିକାଶ କରିଛନ୍ତି, ଯାହା ବ୍ୟାଟେରି ଦ୍ୱାରା କାର୍ଯ୍ୟ କରିଥାଏ। କିନ୍ତୁ ଏଥିରେ ଅସୁବିଧା ହେଉଛି ଯେ, ଲିଥିୟମ୍‌-ଆୟନ୍‌ ବ୍ୟାଟେରିର ଦାମ୍‌ ହେଉଛି ଅଧିକ। ୩୦ କିଲୋଓ୍ବାଟ୍‌ଆଓ୍ବାର କ୍ଷମତାର ଗୋଟିଏ ବ୍ୟାଟେରିର ମୂଲ୍ୟ ବର୍ତ୍ତମାନ ପାଞ୍ଚରୁ ଛଅ ଲକ୍ଷ ଟଙ୍କା ପଡୁଛି, ଯାହା ଗୋଟିଏ କାରର ମୋଟ ମୂଲ୍ୟର ଅଧାରୁ ଅଧିକ ହେବ। ମାତ୍ର ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଏହି ମୂଲ୍ୟକୁ ଦୁଇଲକ୍ଷ ଟଙ୍କାକୁ ହ୍ରାସ କରିବା ପାଇଁ ଚେଷ୍ଟା ଚାଲିଛି। ଏହି ବ୍ୟାଟେରିର ଅନ୍ୟ ଏକ ଅସୁବିଧା ହେଉଛି ଯେ, ଏହାକୁ ୧୦୦ କି.ମି. ଯିବା ପରେ ପୁନର୍ବାର ଚାର୍ଜ କରିବାକୁ ପଡିଥାଏ। କିନ୍ତୁ ବର୍ତ୍ତମାନ ନୂତନ ପ୍ରଯୁକ୍ତିବିଦ୍ୟାରେ ୩୦୦ରୁ ୪୦୦ କି.ମି. କିମ୍ବା ତା’ଠାରୁ ଅଧିକ ଦୂର ଯିବା ପରେ ଚାର୍ଜିଙ୍ଗ୍‌ କରିବା ପାଇଁ ଗବେଷଣା ଚାଲିଛି। ଭାରତରେ କେତେକ ସହରରେ ବିଦ୍ୟୁତ୍‌ ଗାଡି ଚାଲିଲାଣି। ଭାରତ ସରକାର ୨୦୩୦ ପରେ ଆଭ୍ୟନ୍ତରୀଣ ଦହନ ଇଞ୍ଜିନ ଚାଳିତ ମୋଟରଗାଡିର ବିକ୍ରିକୁ ନିଷେଧ କରିବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ ବିଜ୍ଞାନର ଦୁଇ ପ୍ରଭାବଶାଳୀ ଉଦ୍ଭାବନ ମାନବ ସେବାରେ ଶତାଧିକ ବର୍ଷ ଉପଯୋଗ ହେବା ପରେ ଆସନ୍ତା ଦଶବର୍ଷ ମଧ୍ୟରେ ଏହାର ଅନ୍ତ ହେବାକୁ ଯାଉଛି ଏବଂ ଆମେମାନେ ଏହି ଦୁଇଟିକୁ କେବଳ ସଂଗ୍ରହାଳୟରେ ଦେଖିପାରିବା।
ଭୁବନେଶ୍ୱର, ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri