ଦୁଃଖବନ୍ଧୁଙ୍କ ଦୁଃଖ

ଚିତ୍ର ଚରିତ୍ର ନିରଞ୍ଜନ ପାଢ଼ୀ: ଦୁଃଖ ବାଣ୍ଟିଲେ ସରେ’ ବୋଲି ଯେଉଁ ଆପ୍ତବାକ୍ୟଟି କେଉଁକାଳରୁ ଗଡ଼ି ଗଡ଼ି ଆସୁଛି, ତହିଁରେ ବୋଧହୁଏ ବେଶିମାତ୍ରାରେ ବିଶ୍ୱାସୀ ହୋଇପଡ଼ିଥିଲେ ଦୁଃଖବନ୍ଧୁ। ତା’ ନ ହେଲେ ସେ ଏମିତି ପ୍ରଗଳ୍‌ଭ ହୋଇପଡ଼ି ନ ଥାନ୍ତେ ନିଜ ଦୁଃଖ ବଖାଣିବାରେ, ତାହା ପୁଣି ସର୍ବଜନ ସମ୍ମୁଖରେ। ପ୍ରକୃତରେ ବାଣ୍ଟି ଦେଉଥିଲେ ଦୁଃଖ ଯଦି ସରିଯାଉଥାନ୍ତା, ତେବେ ତ ଏ ସଂସାରରେ କେହି ଦୁଃଖୀ ହିଁ ନ ଥାନ୍ତେ। ସୁତରାଂ ସେଦିନ ନିଜର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ନିଜ କ୍ଷୀଣ ଶରୀର ଉପରେ ମୋଟା ଫୁଲମାଳଟିଏ ଲମ୍ବାଇ ଦୁଃଖବନ୍ଧୁବାବୁ ଯେମିତି ସମବେତ ଶ୍ରୋତାମାନଙ୍କୁ ନିଜର ଦୁଃଖ ବାଣ୍ଟୁଥିଲେ, ତାହା ଦେଖି ମନେହେଉଥିଲା ଯେତେ ବାଣ୍ଟିଲେ ବି ତାଙ୍କ ଦୁଃଖ ସରିବ ନାହିଁ।
ଦୁଃଖବନ୍ଧୁ ଜଣେ ପ୍ରାଥମିକ ଶିକ୍ଷକ। ସହସ୍ର ସହସ୍ର ନାଗରିକଙ୍କ ବିଦ୍ୟାର୍ଥୀ ଜୀବନର ପ୍ରଥମ ଆଚାର୍ଯ୍ୟ। ତାଙ୍କ ଜୀବନରେ ସୁଖ ବୋଲି କିଛି ନାହିଁ, ଏ କଥା କହିଲେ ଭଲ ହେବ। ତାଙ୍କ ପିଲା ପରିବାର ସହ ସାମାଜିକ ପ୍ରତିଷ୍ଠା, ପ୍ରତିପତ୍ତି ଅଛି। ଏ ସବୁକୁ ନେଇ ବେଶ୍‌ ସୁଖ ଭୋଗ କରିଛନ୍ତି ସେ। ଛୋଟ ଚାକିରିରେ ମୁକରିର ଥିବା ହେତୁ କେବେ ବି ମନ ଊଣା କରିନାହାନ୍ତି। ବରଂ ନିଜ ବୃତ୍ତି ପ୍ରତି ବାଞ୍ଛିତ ଗୌରବବୋଧ ନେଇ ସେ କେତେଥର କହିଛନ୍ତି ଅନ୍ୟ ସବୁ ଶିକ୍ଷାର ଏକ ନିର୍ଦ୍ଦିଷ୍ଟ ପରିସର ଅଛି। ସେ ପରିସରର ସୀମା ଡେଇଁ ବାହାରକୁ ଯିବା ଏତେ ସହଜ ନୁହେଁ। କଳାର ଜଣେ ଛାତ୍ର ବିଜ୍ଞାନ ଶ୍ରେଣୀରେ ପାଦ ଦେଇ ନ ଥିବ ବା କେହି ଡାକ୍ତରୀ ବା ଇଞ୍ଜିନିୟରିଂ ଛାତ୍ର ସଂସ୍କୃତ ପଣ୍ଡିତଙ୍କ ଛାତ୍ର ହୋଇ ନ ଥିବ। ମାତ୍ର କେହି ଏମିତି ଛାତ୍ର ନାହିଁ ଯିଏ ମୋ ଭଳି ଜଣେ ପ୍ରାଥମିକ ଶିକ୍ଷକଠାରୁ ପାଠ ପଢି ନ ଥିବ। ଅତ୍ୟନ୍ତ ହାଲୁକା ପରିହାସ ମଧ୍ୟରେ ଏମିତି ଗମ୍ଭୀର ମନ୍ତବ୍ୟ ଦେଉଥିବା ଦୁଃଖବନ୍ଧୁ ସାରଙ୍କର ନିଜ ବୃତ୍ତିକୁ ନେଇ ପୁଣି କି ଦୁଃଖ ଯେ!
ତଥାପି ଦୁଃଖବନ୍ଧୁଙ୍କର ଦୁଃଖ ଅସୀମ। ଏ ଦୁଃଖ ତାଙ୍କ ନିଜର ନୁହେଁ, ନିଜ ବୃତ୍ତିର। ନିଜ ସମ୍ପର୍କୀୟଙ୍କର ନୁହେଁ, ନିଜ ସମ୍ପ୍ରଦାୟର ଏ ଦୁଃଖ! ଦୀର୍ଘ ଚାଳିଶବର୍ଷର ସଫଳ ଶିକ୍ଷାଦାନ କାର୍ଯ୍ୟରୁ ଅବ୍ୟାହତି ନେଲା ପରେ ସେଦିନ ତାଙ୍କ ବିଦାୟ ସଭାରେ ଦୁଃଖବନ୍ଧୁଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ଗୁଣ କୀର୍ତ୍ତନ କରି ବହୁ ଲୋକ ବହୁ କଥା କହିଲେ। ତାଙ୍କ ଅବଶିଷ୍ଟ ଜୀବନ ସୁସ୍ଥ, ସମୃଦ୍ଧ ଓ ସୁଖମୟ ହେଉ ବୋଲି ଚାରିଆଡୁ ଶୁଭକାମନା ଅଜାଡି ପଡିଲା। କେବଳ ଦୁଃଖବନ୍ଧୁ ନୁହନ୍ତି, ତାଙ୍କ ଭଳି ପ୍ରତ୍ୟେକ ପ୍ରାଥମିକ ଶିକ୍ଷକଙ୍କୁ ମଣିଷ ତିଆରି କାରଖାନାର ଆଦ୍ୟ ବିଶ୍ୱକର୍ମା ବୋଲି ଅଭିହିତ କରି ଉପସ୍ଥିତ ଅତିଥିବୃନ୍ଦ ତଥା ପୁରାତନ ଛାତ୍ରୀଛାତ୍ର ଯେଉଁ ବକ୍ତବ୍ୟ ଦେଲେ ତାହାର ସାରମର୍ମ ଥିଲା କିଛିଟା ଏହିଭଳି- ”ବାପାମା’ଙ୍କ ପରେ ଯଦି କେହି ପ୍ରତ୍ୟକ୍ଷ ଭାବେ ମଣିଷର ପୂଜାସ୍ପଦ ହୋଇଥାନ୍ତି, ସେ ହେଉଛନ୍ତି ପ୍ରାଥମିକ ଶିକ୍ଷକ। ସେଥିପାଇଁ ଆମ ସଂସ୍କାରରେ ହାଇସ୍କୁଲ ଶିକ୍ଷକଙ୍କଠାରୁ ବିଶ୍ୱବିଦ୍ୟାଳୟର ପ୍ରଫେସରମାନଙ୍କ ଯାଏଁ ସମସ୍ତ ଗୁରୁଙ୍କୁ ହାତ ଯୋଡି ସମ୍ମାନ ପ୍ରଦର୍ଶନ କରାଯାଉଥିବା ବେଳେ କେବଳ ପ୍ରାଥମିକ ଶିକ୍ଷକମାନଙ୍କୁ ପାଦ ଛୁଇଁ ପ୍ରଣାମ କରାଯାଏ। ଯିଏ ଯେତେ ପଦବୀ ବା ପ୍ରତିଷ୍ଠାର ଅଧିକାରୀ ହୋଇଥାନ୍ତୁ ନା କାହିଁକି ସେମାନଙ୍କ ଜୀବନଯାତ୍ରାର ଶୁଭଶଙ୍ଖ ଫୁଙ୍କିଥିବା ପ୍ରାଥମିକ ଶିକ୍ଷକଙ୍କୁ କେହି କେବେ ଭୁଲି ପାରନ୍ତି ନାହିଁ। ସ୍ବଳ୍ପ ବେତନ ନେଇ ଯଥେଷ୍ଟ ବେଶି ଦାନ କରୁଥିବା ଏହି ଆଦ୍ୟ ଗୁରୁମାନଙ୍କ ପ୍ରତି ଚିରକାଳ କୃତଜ୍ଞ ଏ ମଣିଷ ଓ ସମାଜ।“
ପ୍ରଶଂସାରେ ପୋତିହୋଇ ପଡିଥିବା ନିଜ ପତଳା ଶରୀରଟି ନେଇ ସମ୍ବର୍ଦ୍ଧନାର ଉତ୍ତର ଦେବା ପାଇଁ ଯେତେବେଳେ ଦୁଃଖବନ୍ଧୁ ଛିଡା ହେଲେ, ସେତେବେଳେ ସମସ୍ତେ ଭାବିଥିଲେ ଯେ ଉଦାରତା ଓ କୃତଜ୍ଞତାରେ ଭରପୂର ନିଜ ହୃଦୟଟିକୁ ସେ ଖୋଲି ବସିବେ କିଛି ସମୟ ପାଇଁ ଓ ଆଖିରେ ଆବେଗର ଆନନ୍ଦାଶ୍ରୁ ନେଇ ନିଜ ବୃତ୍ତି ପ୍ରତି ଆପଣାର ନିଷ୍ଠା ଓ ଅଙ୍ଗୀକାରର ସ୍ମୃତି ରୋମନ୍ଥନ କରିବେ। ପୁଲକଭରା ଅନ୍ତରରେ ସମର୍ପଣ ଭାବ ଫୁଟାଇ କହିବେ, ”ମୋ ଚାକିରିକାଳ ଭିତରେ ଜଣେ ଶିକ୍ଷକର କର୍ତ୍ତବ୍ୟ କରିଛି। ପାରମ୍ପରିକ ଶିକ୍ଷାଦାନ ସହ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନ କରିବାରେ ମନୋନିବେଶ କରିଛି। କର୍ତ୍ତବ୍ୟ ବିନିମୟରେ କାହାଠାରୁ କୌଣସି କୃତଜ୍ଞତାର ଅପେକ୍ଷା ରଖି ନାହିଁ। ଆଜି ଆପଣମାନଙ୍କଠୁଁ ଯେଉଁ ସ୍ନେହ ସଦିଚ୍ଛା ଲାଭ କଲି, ତାକୁ ସ୍ମୃତିର ସମ୍ବଳ କରି ବାକି ଜୀବନ ବିତାଇଦେବି।“
ମାତ୍ର ଦୁଃଖବନ୍ଧୁ ଏମିତି କିଛି ବିନମ୍ର ବକ୍ତବ୍ୟ ପେସ୍‌ କଲେ ନାହିଁ। ବରଂ ଏକ ଅଜବ ଅସ୍ବସ୍ତି ଓ ଅନୁଚିତ ଔଦ୍ଧତ୍ୟର ଫେଣ୍ଟାଫେଣ୍ଟି ଭାବ ନେଇ ସେ କହିବାକୁ ଆରମ୍ଭ କଲେ, ମୋ ଭଳି ଜଣେ ଶିକ୍ଷକ ଓ ତା’ର ସମ୍ପ୍ରଦାୟ ପ୍ରତି ଏ ସମାଜ ଯେତେ କୃତଜ୍ଞତା ପ୍ରକଟ କଲେ ବି ବାସ୍ତବରେ ଏଥିରେ ଆନ୍ତରିକତା ନାହିଁ। ଦୀର୍ଘ ଚାଳିଶ ବର୍ଷର ଅନୁଭୂତିକୁ ନେଇ ମୁଁ ଜାଣିଛି ଯେ ପ୍ରଶାସନ ଦୃଷ୍ଟିରେ ଜଣେ ପ୍ରାଥମିକ ଶିକ୍ଷକର ମାନ ଓ ସ୍ଥାନ ଅନ୍ୟ ବେତନଭୋଗୀଙ୍କଠୁଁ କାହିଁ କେତେ ନିମ୍ନରେ। ନିଜ ଘରୋଇ ଚାକରକୁ ଆପଣା ମର୍ଜି ମୁତାବକ ମୁନିବ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କଲା ଭଳି ପ୍ରାଥମିକ ଶିକ୍ଷକଙ୍କୁ ସରକାର ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ କରିବେ ଓ କାର୍ଯ୍ୟ ହାସଲ କରିନେଇ ତାଙ୍କ ଘର୍ମାକ୍ତ କାନ୍ଧ ଉପରେ ହାତ ଥାପି ବର୍ଷର ଏକ ନିର୍ଦ୍ଦିଷ୍ଟ ଦିନରେ କହିବେ, ତୁମ ନିକଟରେ ଏ ଜାତି କୃତଜ୍ଞ। ପାଠପଢାର ମୂଳ କାମଟି ସହ ବର୍ଷ ସାରା ବାର ପ୍ରକାର ଦାୟିତ୍ୱ ସମ୍ପାଦନ ମଧ୍ୟରେ ଶିକ୍ଷକଟିଏ ଯେତେବେଳେ ଶ୍ରମିକଙ୍କଠାରୁ ଆହୁରି ନିମ୍ନ ପର୍ଯ୍ୟାୟର, ସେତେବେଳେ ସେଇ ଗୋଟିଏ ଦିନ ପାଇଁ ସେ ପାଲଟିଯାଏ ସାକ୍ଷାତ୍‌ ଈଶ୍ୱର।
ଦୁଃଖବନ୍ଧୁ କହି ଚାଲିଥିଲେ- ”ସୁକୁମାର ଶିଶୁର କଅଁଳ ହାତରେ ଖଡି ଧରାଇ ତା’ ବିଦ୍ୟାର୍ଥୀ ଜୀବନର ଶୁଭାରମ୍ଭ କରିବା କ’ଣ ଏମିତି ଏକ ମାମୁଲି କାର୍ଯ୍ୟ ଯେ ଆମକୁ କମ୍‌ କାମବାଲା କର୍ମଚାରୀ ମନେକରି ସରକାର ଯେତେବେଳେ ଯେଉଁ କାମରେ ଲଗାଇଦେବେ। ଜନଗଣନାଠୁ ଭୋଟରତାଲିକା ଯାଏ, ପୁଣି ଫଟୋ ପରିଚୟପତ୍ରଠୁ ରାଶନ କାର୍ଡ ପର୍ଯ୍ୟନ୍ତ ସମସ୍ତ ଅଣବୃତ୍ତିଗତ କାର୍ଯ୍ୟ ସମ୍ପାଦନ କରିବାକୁ କ’ଣ ପ୍ରାଥମିକ ଶିକ୍ଷକମାନେ ଏକମାତ୍ର ଯୋଗ୍ୟ ସମ୍ପ୍ରଦାୟ? ପୁଣି ପ୍ରାଥମିକ ଶିକ୍ଷାର ବିସ୍ତାର ପାଇଁ ଗତ କେଇ ବର୍ଷ ହେଲା ଯେଉଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା ହୋଇଛି, ସେଥିରେ ପିଲାଙ୍କୁ ପାଠ ପଢାଇବା ଅପେକ୍ଷା ଭାତଡାଲମା ରନ୍ଧନରେ ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀର ଦକ୍ଷତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ତହିଁରେ ଭାତରୁ ଗୋଡି ବାହାରିଲେ ଅଭିଭାବକମାନଙ୍କର ଆରୋପ, ଡାଲି ପୋକରା ହୋଇଥିବାର ଅଭିଯୋଗ ଆଣିଲେ ଯୋଗାଣକାରୀର ଧମକ। ଏ ସବୁ ଜଟିଳ ପରିସ୍ଥିତିରେ ପିଲାଙ୍କ ଭବିଷ୍ୟତ ନିର୍ମାଣ କରିବାର ଦାୟିତ୍ୱ ନିର୍ବାହ କରିବା ପୁଣି ପ୍ରାଥମିକ ଶିକ୍ଷକର ପ୍ରାଥମିକ ଦାୟିତ୍ୱ।
ବିଦାୟୀ ଦୁଃଖବନ୍ଧୁଙ୍କ ଦୁଃଖର ଶେଷ ପର୍ଯ୍ୟାୟ ଥିଲା ଅଧିକ ମାର୍ମିକ। ସେ ସେଦିନ ନିଜ ଆବେଗପୂର୍ଣ୍ଣ ବକ୍ତବ୍ୟରେ ଏମିତି ଏକ ପ୍ରସଙ୍ଗର ଅବତାରଣା କରିଥିଲେ, ଯାହା ଆମ ପ୍ରଶାସନିକ ବିଧିବ୍ୟବସ୍ଥା ଉପରେ ଏକ ସଂଗତ ଆରୋପ ବୋଲି ବିବେଚନା କରାଯାଇପାରେ। ସେ କହୁଥିଲେ ବଡ ବିଚିତ୍ର ମୋ ସମ୍ପ୍ରଦାୟର ଭାଇଭଉଣୀଙ୍କ ଭାଗ୍ୟ। ନିଜ କର୍ତ୍ତବ୍ୟ ଓ ଦାୟିତ୍ୱବୋଧର ଉତ୍କର୍ଷକୁ ସ୍ବୀକୃତି ଦେବାକୁ ଜାତିର ଭବିଷ୍ୟତ ନିର୍ମାଣ କରୁଥିବା କୁଶଳୀ କାରିଗରଙ୍କ ନିଷ୍ଠା ଓ ତ୍ୟାଗକୁ ସମ୍ମାନ ଦେବା ପାଇଁ ସରକାରୀ ସ୍ତରରେ ଯେଉଁ ପୁରସ୍କାରର ବ୍ୟବସ୍ଥା ଅଛି, ତଦନୁଯାୟୀ ଶିକ୍ଷକ ବା ଶିକ୍ଷୟିତ୍ରୀଟିଏ ନିଜ ଢୋଲ ନିଜେ ପିଟିବାକୁ ବସ୍ତୁତଃ ବାଧ୍ୟ। ସେ ନିଜେ ହିଁ ନିଜର ଡିଣ୍ଡିମ ବଜାଇ ସରକାର ବାହାଦୁରଙ୍କୁ ଆବେଦନ କରିବ, ”ହେ ମହାମହିମ ମହୋଦୟ! ମୋ ବୃତ୍ତିରେ ମୁଁ ନିଜକୁ ଦକ୍ଷ ଓ ସମ୍ମାନନୀୟ ବୋଲି ବିଚାର କରୁଛି। ସୁତରାଂ ସରକାର କୃପା ପୂର୍ବକ ମୋତେ ରାଜ୍ୟପାଳ ବା ରାଷ୍ଟ୍ରପତି ପୁରସ୍କାର ସ୍ବରୂପ ଅର୍ଥ ଓ ମାନଦଣ୍ଡ ଦେଇ ସମ୍ମାନିତ କରନ୍ତୁ। ଏମିତି ଏକ ନିର୍ଲଜ୍ଜତାର ପ୍ରତୀକ ହେବାକୁ କ’ଣ ପ୍ରାଥମିକ ଶିକ୍ଷକଟିଏ ଜନ୍ମ ହୋଇଛି!“
ଦୁଃଖବନ୍ଧୁଙ୍କ ଶେଷ କଥା, ଯାହା ଭିତରେ ପ୍ରତିଫଳିତ ହେଉଥିଲା ଦାରୁଣ ଦୁଃଖ ଓ ଚରମ ଅସହାୟତା, ତାହା ଥିଲା ଏହିପରି- ଅନ୍ତରରେ ସଞ୍ଚିତ ସମସ୍ତ ଆବେଗ ଓ ଅବସୋସ ନେଇ ମୁଁ ଆଜି ମୋ ବୃତ୍ତିରୁ ଅବସର ନେଉଛି। କିନ୍ତୁ ମୋ ସମ୍ପ୍ରଦାୟରେ କାର୍ଯ୍ୟରତ ସମଧର୍ମା ଶିକ୍ଷକମାନଙ୍କ ଅନ୍ତରରୁ ଯୁଗ ଯୁଗର ଏ ଅସନ୍ତୋଷ କେବେ ଅବସର ନେବ କେଜାଣି?
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ:୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri