Categories: ଖେଳ

‘ଦୀର୍ଘ ମିଆଦି ଯୋଜନାରେ ଚାପ ସମ୍ଭାବନା ଥାଏ’

ମୁମ୍ବାଇ, ୧୫।୫: ନିଜ ଖେଳ ଜୀବନରେ କେବେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରି ନ ଥାନ୍ତି ଭାରତୀୟ କ୍ରିକେଟ ଦଳର ତାରକା ଓପନର ରୋହିତ ଶର୍ମା । ତାଙ୍କ ମତରେ ଏଥିରେ ଖେଳାଳି ଅଧିକ ଚାପଗ୍ରସ୍ତ ହେବା ସମ୍ଭାବନା ଥାଏ। ତେଣୁ ସେ ସ୍ବଳ୍ପ ମିଆଦୀ ଯୋଜନାକୁ ପସନ୍ଦ କରନ୍ତି ଏବଂ ଏଥିରେ ଆଗକୁ ବଢ଼ିବାକୁ ଚାହାନ୍ତି ବୋଲି ପ୍ରକାଶ କରିଛନ୍ତି। ”ଦୀର୍ଘଦିନ ଖେଳିବାର ଅଭିଜ୍ଞତାରୁ ଜାଣିଛି ଯେ, ଦୀର୍ଘ ମିଆଦି ଯୋଜନା କେବେହେଲେ କୌଣସି ଖେଳାଳିଙ୍କୁ ସାହାଯ୍ୟ କରିପାରିବ ନାହିଁ। ଅନ୍ୟପକ୍ଷରେ ଏହା ଅଯଥା ଚାପ ସୃଷ୍ଟି କରିବ ଏବଂ କ୍ଳାନ୍ତ ଅନୁଭବ ହେବ। ତେଣୁ ମୁଁ ସର୍ବଦା ସ୍ବଳ୍ପମିଆଦୀ ଯୋଜନା ପ୍ରସ୍ତୁତ କରିଥାଏ। ଆଗାମୀ ୨-୩ ମାସରେ ଥିବା ମ୍ୟାଚକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଥାଏ। ଏହି ସମୟ ମଧ୍ୟରେ ବିପକ୍ଷ ଦଳ କିଏ ଏବଂ ମୁଁ କିପରି ଶ୍ରେଷ୍ଠ ପ୍ରଦର୍ଶନ କରିପାରିବି ସେ ସମ୍ପର୍କରେ ଚିନ୍ତା କରିଥାଏ“ବୋଲି କ୍ୟାରିୟରରେ ୩୨ ଟେଷ୍ଟ ଏବଂ ୨୨୪ ଦିନିକିଆ ଖେଳିଥିବା ରୋହିତ ପ୍ରକାଶ କରିଛନ୍ତି। ପ୍ରତି ସିରିଜ କିମ୍ବା ଟୁର୍ନାମେଣ୍ଟ ପାଇଁ ଯୋଜନା ମୋତେ ଖୁବ୍‌ ସହାୟତା କରିଛି। ଏହି ଆଗାମୀ ଦିନରେ ମଧ୍ୟ ଅବଲମ୍ବନ କରିବି ବୋଲି ସେ କହିଛନ୍ତି। କରୋନା ଭାଇରସ ସଂକ୍ରମଣ ପ୍ରଭାବରୁ ଏବେ ସମସ୍ତେ ଲକ୍‌ଡାଉନ୍‌ରେ ଅଛନ୍ତି। ସ୍ଥିତି ସ୍ବାଭାବିକ ହେଲେ ଟିି୨୦ ବିଶ୍ୱକପ କିମ୍ବା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆଗେ ଆରମ୍ଭ ହେଉଛି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ବୋଲି ରୋହିତ ପ୍ରକାଶ କରିଛନ୍ତି ।

Share