Posted inଖେଳ

ଦିଲ୍ଲୀ ଡାଇନାମସ ହୋଇପାରେ ‘ଓଡ଼ିଶା ଏଫ୍‌ସି’

ଭୁବନେଶ୍ୱର, ୧୧।୮(କ୍ରୀଡ଼ା ପ୍ରତିନିଧି)

ଓଡ଼ିଶାରେ ଫୁଟବଲ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ବାଟ ଫିଟୁଛି। କଳିଙ୍ଗ ଷ୍ଟାଡିୟମରେ ଗତ କିଛିବର୍ଷ ମଧ୍ୟରେ ଇଣ୍ଡିଆନ ସୁପର ଲିଗ୍‌ (୨୦୧୭-୧୮), ଆଇ-ଲିଗ୍‌(୨୦୧୮-୧୯), ଇଣ୍ଡିଆନ ସୁପର କପ୍‌(୨୦୧୮) ଆଦି ଜାତୀୟ ସ୍ତରୀୟ ଟୁର୍ନାମେଣ୍ଟ ଆୟୋଜିତ ହୋଇ ସାରିଛି। ଏଠାରେ ମହିଳା ଗୋଲ୍ଡ କପ୍‌ (୨୦୧୯ ଫେବୃୟାରୀ ୯-୧୫) ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ହୋଇ ସାରିଥିବାବେଳେ ୨୦୨୦ରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ (ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪) ଆୟୋଜନ ହେବା କାର୍ଯ୍ୟକ୍ରମ ରହିଛି। ଉନ୍ନତମାନର ଭିତ୍ତିଭୂମି ଉପଲବ୍ଧ ଯୋଗୁ ଏପରି ଟୁର୍ନାମେଣ୍ଟର ମ୍ୟାଚ ଗୁଡ଼ିକ ଆୟୋଜନ ସମ୍ଭବ ହୋଇପାରିଛି। ଆଇ-ଲିଗ୍‌ର ଅନ୍ୟତମ ଦଳ ଇଣ୍ଡିଆନ ଆରୋଜର ହୋମ୍‌ ଭେନ୍ୟୁ ଭାବେ କଳିଙ୍ଗ ଷ୍ଟାଡିୟମ ବ୍ୟବହାର ହେଉଛି। ଇଣ୍ଡିଆନ ଆରୋଜ ଭାରତୀୟ ଦଳର ଯୁବ ଖେଳାଳି (୧୯ ବର୍ଷରୁ କମ୍‌)ଙ୍କୁ ନେଇ ଗଠିତ। କୌଣସି ଜାତୀୟ ଦଳ ଆଇ-ଲିଗ୍‌ରେ ଖେଳିବା ନିୟମ ନ ଥିବାରୁ ଏହାର ନାମ ପରିବର୍ତ୍ତନ କରାଯାଇ ଅଭିଜ୍ଞତା ହାସଲ ପାଇଁ ଏହି ଯୁବ ଦଳକୁ ସୁଯୋଗ ଦିଆଯାଇଛି। ଏହା ଏକ ଜାତୀୟ ଦଳ ହୋଇଥିବାରୁ ସମସ୍ତ ଔପଚାରିକତା ପୂରଣ କରି ଏଥିରେ ସ୍ଥାନ ପାଇବା ଓଡ଼ିଶା ଖେଳାଳିଙ୍କ ପକ୍ଷରେ ସମ୍ଭବ ହୋଇନାହିଁ। ଏବେ କିନ୍ତୁ ଓଡ଼ିଶା ଫୁଟବଲ ଖେଳାଳିଙ୍କ ପାଇଁ ଆସିଛି ଖୁସି ଖବର। ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଅନ୍ୟତମ ପ୍ରତିଷ୍ଠିତ ଦଳ ଦିଲ୍ଲୀ ଡାଇନାମସ କଳିଙ୍ଗ ଷ୍ଟାଡିୟମକୁ ହୋମ୍‌ ଭେନ୍ୟୁ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଏଥିପାଇଁ କେବଳ ବୁଝାମଣାପତ୍ର ସ୍ବାକ୍ଷର ହେବା ବାକି ରହିଛି। କାଗଜପତ୍ରରେ କାମ ଆଗକୁ ବଢ଼ିଥିବାବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିବା ଅପେକ୍ଷାରେ ରହିଛି। ସବୁକିଛି ଠିକ୍‌ ରହିଲେ ଆଗାମୀ ଆଇଏସଏଲ ସିଜନ ପୂର୍ବରୁ ଦିଲ୍ଲୀ ଡାଇନାମସ ଦଳର ନାମ ‘ଓଡ଼ିଶା ଏଫସି’ରେ ପରିଣତ ହେବା ସମ୍ଭାବନା ରହିଛି।
ମିଳିଥିବା ସୂଚନା ଅନୁସାରେ ଦୁଇଥର ଆଇଏସଏଲ ସେମିଫାଇନାଲିଷ୍ଟ ଡାଇନାମସ ପ୍ରାରମ୍ଭିକ ପର୍ଯ୍ୟାୟରେ ଆର୍ଥିକ କାରଣରୁ ନିଜର ବେସ୍‌ ବଦଳାଇବାପାଇଁ ନିଷ୍ପତ୍ତି ନେଇଥିଲା। ବେସ୍‌ ବଦଳାଇଲେ ଅପେକ୍ଷାକୃତ ଖର୍ଚ୍ଚ କମ୍‌ ହେବ ବୋଲି ଏହି ଫ୍ରାଞ୍ଚାଇଜ୍‌ ଦଳର ଅନୁଭବ ହୋଇଥିଲା। ଏହି ଦଳ ଦିଲ୍ଲୀର ଅନ୍ୟ ଭେନ୍ୟୁ ଉପରେ ମଧ୍ୟ ନଜର ପକାଇଥିଲା। ମାତ୍ର ଓଡ଼ିଶା ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ବଦଳାଇଥିଲା। ତେବେ ଚୁକ୍ତି ଅନୁସାରେ ଦଳର ନାମ ପରିବର୍ତ୍ତନ କଲେ ଯାଇ ଏହା ସମ୍ଭବ ବୋଲି ସ୍ପଷ୍ଟ କରାଯାଇଥିଲା। ବର୍ତ୍ତମାନ ଓଡ଼ିଶାର କୌଣସି କ୍ଲବ ଏହି ଲିଗ୍‌ରେ ଅଂଶଗ୍ରହଣ କରୁ ନାହାନ୍ତି। ଚୁକ୍ତିନାମାରେ ସ୍ବାକ୍ଷର ହୋଇଗଲେ ଏବେ ଓଡ଼ିଶା ଭିତ୍ତିକ ଏକ କ୍ଲବ ଆଇଏସଏଲରେ ଭାଗ ନେଇପାରିବ। କଳିଙ୍ଗ ଷ୍ଟାଡିୟମ ଏବେ ଫୁଟବଲ ପାଇଁ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛି। ଏଠାରେ ଅଲ୍‌ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ)ର ଅନେକ ଇଭେଣ୍ଟ ଆୟୋଜନ ହୋଇ ସାରିଛି।
କଥାବାର୍ତ୍ତା ଆଗକୁ ବଢ଼ି ସାରିଥିବାରୁ ଦିଲ୍ଲୀ ଡାଇନାମସ ପରିବର୍ତ୍ତିତ ନାମକୁ ନେଇ ଆଇଏସଏଲର ୬ଷ୍ଠ ସିଜନରେ ସମସ୍ତ ଘରୋଇ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଛି। ଗତ ସିଜନରେ ଏହି ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରି ୮ମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା। ଓଡ଼ିଆ ଖେଳାଳି ଶୁଭମ ଷଡ଼ଙ୍ଗୀ ଏବେ ଏହି ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି। ସବୁକିଛି ଠିକ୍‌ ରହିଲେ ରାଜ୍ୟର ଆଉ ଜଣେ ଦୁଇଜଣ ଖେଳାଳି ଏହି କ୍ଲବ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇପାରନ୍ତି ବୋଲି କ୍ରୀଡ଼ା ବିଭାଗର ଜଣେ ଅଧିକାରୀ କହିଛନ୍ତି। ଏମଓୟୁ ସ୍ବାକ୍ଷର ହୋଇଗଲେ ଦିଲ୍ଲୀ ଡାଇନାମସର ନାମ ପରିବର୍ତ୍ତନ ହୋଇଯିବ। ଏଥିରେ ଏଣିକି ଏକ ଓଡ଼ିଶା ବ୍ରାଣ୍ଡ ରହିବ। ଓଡ଼ିଶା ସରକାର ହୋମ୍‌ ଭେନ୍ୟୁ ପାଇଁ ଏହି ଦଳକୁ ପଡ଼ିଆ ଯୋଗାଇଦେବେ। ପ୍ରତିବଦଳରେ ଡାଇନାମସ ଓଡ଼ିଶା ଫୁଟବଲକୁ ଡେଭଲପ୍‌ କରାଇବ। ଏବେ ଯେପରି ୟୁଥ୍‌ ଟିମ୍‌ରେ ସେମାନେ ଦିଲ୍ଲୀର ଅଧିକ ପିଲା ନେଉଛନ୍ତି ସେପରି ଆଗାମୀ ଦିନରେ ଓଡ଼ିଶା ପିଲାଙ୍କୁ ସୁଯୋଗ ଦେବେ। କଳିଙ୍ଗ ଷ୍ଟାଡିୟମରେ ଥିବା ହାଇପରଫରମାନ୍ସ ସେଣ୍ଟରକୁ ବେଙ୍ଗାଲୁରୁ ଏଫସି ନେବାର ଥିଲା। ମାତ୍ର ଏବେ ତାହାକୁ ଦିଲ୍ଲୀ ଦଳ ନେବ। ଦ୍ୱିତୀୟ ଡିଭିଜନ ଆଇ-ଲିଗ୍‌ ରିଜର୍ଭ ଟିମ୍‌ରେ ଓଡ଼ିଶା ପିଲାଙ୍କୁ ଅଧିକ ସୁଯୋଗ ଦିଆଯିବ। ୟୁଥ୍‌ ଟିମ୍‌ରେ ଓଡ଼ିଶା ପିଲାଙ୍କୁ ସୁଯୋଗ ମିଳିବା ଶତ ପ୍ରତିଶତ ନିଶ୍ଚିତ ବୋଲି ସେ କହିଛନ୍ତି।
ଓଡ଼ିଶା ପିଲାମାନଙ୍କୁ ଅନ୍ତର୍ଜାତୀୟ ସ୍ତରର କରିବା ପାଇଁ ୫-୭ ବର୍ଷ ସମୟ ଲାଗିବ। ସେଥିପାଇଁ ନ୍ୟାଶନାଲ ୟୁଥ୍‌ ଟିମ୍‌କୁ ପାଖରେ ରଖା ଯାଇଛି। ଆମ ପିଲାମାନେ ନ୍ୟାଶନାଲ ଟିମ୍‌ ସହିତ ମ୍ୟାଚ ଖେଳି ପାରିବେ। ସେ କୋଚ୍‌ମାନେ ଆମ ପିଲାଙ୍କ ପ୍ରତିଭାକୁ ଦେଖି ପାରିବେ। ରାଜ୍ୟରେ ଫୁଟବଲକୁ ଲୋକପ୍ରିୟ କରିବା ପାଇଁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି। ଆମ ପିଲାମାନେ ଯଦି ଜାତୀୟ ଜୁନିୟର ସ୍ତରରେ କିମ୍ବା ଆଇଏସଏଲ ସ୍ତରରେ ଖେଳି ପାରିବେ ତେବେ ସ୍ବାଭାବିକଭାବେ ଅନ୍ୟ ପିଲା ଏବଂ ସେମାନଙ୍କ ଅଭିଭାବକମାନେ ଆକୃଷ୍ଟ ହେବେ। ଫୁଟବଲ ଏକ ଡିସିଶନ ମେକିଂ ଗେମ୍‌। ଏଥିରେ ଶିକ୍ଷିତ ପିଲା ନିହାତି ଆବଶ୍ୟକ। ଯେଉଁ ଦଳରେ ଯେତେ ଶିକ୍ଷିତ ପିଲା ଅଛନ୍ତି ସେ ଦଳ ସେତେ ଉନ୍ନତ। ଏହା ପରୀକ୍ଷା ହୋଇ ସାରିଛି।
ଏବେ ଦିଲ୍ଲୀ ଡାଇନାମସ ଆସିଲା। ଆଗାମୀ ଦିନରେ ୫-୬ଟି ଜିଲାରେ ଫୁଟବଲ ସ୍କୁଲ ହେବାର ଯୋଜନା ରହିଛି। ସେଠାରେ ଏଜୁକେଶନ ସହ ପିଲାଙ୍କୁ ଫୁଟବଲ ଶିକ୍ଷା ଦିଆଯିବ। ୬ରୁ ୧୨ ବର୍ଷ ପିଲାଙ୍କୁ ନେଇ ଏହି ସ୍କୁଲ ଆରମ୍ଭ ହେବ। ୧୫ରୁ ୧୬ ବର୍ଷ ବିଭାଗ ମଧ୍ୟ ରହିବ। ଏଥିରେ ବାହାରୁ କୋଚ୍‌ ଆସି ପ୍ରଶିକ୍ଷଣ ଦେବେ। ଏହାପରେ ଏକାଡେମୀ ଗଠନ କରାଯିବ ଏବଂ ପ୍ରତିଭା ସମ୍ପନ୍ନ ପିଲାମାନଙ୍କୁ ଏକାଡେମୀରେ ରଖାଯାଇ ପ୍ରଶିକ୍ଷଣ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri