Categories: ଖେଳ

ଦିନିକିଆ ସିରିଜ ଜିତିଲେ ଭାରତୀୟ ମହିଳା ପୁନମ, ମିଥାଲିଙ୍କ ଅର୍ଦ୍ଧଶତକ

ଭଦୋଦରା,୧୨।୧୦(ପି.ଟି.)- ଅଧିନାୟିକା ମିଥାଲି ରାଜ ଓ ପୁନମ ରାଉତଙ୍କ ଉପଯୋଗୀ ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ଭାରତୀୟ ମହିଳା ଦଳ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୨ ଓଭର ବାକି ରଖି ୫ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ଭାରତ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ପୁନମ ରାଉତ୍‌ ପ୍ଳେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇନାହାନ୍ତି।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦକ୍ଷିଣ ଆଫ୍ରିକା ମହିଳା ଦଳ ୫୦ ଓଭରରେ ୬ ଉଇକେଟ ହରାଇ ୨୪୭ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୪୮ ଓଭରରେ ୫ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ମିଥାଲି ୬୬, ପୁନମ ୬୫ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ବେଳେ ହରମନପ୍ରୀତ କୌର ୩୯ ରନ କରି ଅପରାଜିତ ରହିବା ସହ ଦଳକୁ ଜିତାଇଥିଲେ। ସେହିପରି ଓପନର ପ୍ରିୟା ପୁନିଆ ୨୦, ଜେମିମା ରୋଡ୍ରିଗୁଏଜ୍‌ ୧୮ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଆୟାବୋଙ୍ଗା ଖାକା ୩, ଶବନିମ ଇସ୍‌ମାଇଲ ଓ ମାରିଜାନେ କାପ୍‌ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ତରଫରୁ ଲଉରା ଉଲଭାର୍ଡଟ ସର୍ବାଧିକ ୬୯, ମିଗ୍‌ନନ ଡୁ ପ୍ରୀଜ ୪୪, ଲିଜେଲି ଲି ୪୦, ଲାରା ଗୁଡାଲ ୩୮, ଉଇକେଟକିପର ବ୍ୟାଟ୍ସଓମ୍ୟାନ ତ୍ରିସା ଚେଟ୍ଟୀ ୨୨, ଅଧିନାୟିକା ସୁନ ଲୁସ୍‌ ୧୨ ରନ ସଂଗ୍ରହ କରି ଆଉଟ ହୋଇଥିବା ବେଳେ ମାରିଜାନେ କାପ୍‌ ୧୧ ଓ ଶବନିମ ଇସ୍‌ମାଇଲ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ପକ୍ଷରୁ ଦ୍ରୁତ ବୋଲର ଶିଖା ପାଣ୍ଡେ, ବାମହାତୀ ସ୍ପିନର ଏକତା ବିଷ୍ଟ ଓ ଲେଗ୍‌ ସ୍ପିନର ପୁନମ ଯାଦବ ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୨୪୭/୬ (ଉଲଭାର୍ଡଟ- ୬୯, ପ୍ରିଜ- ୪୪, ଲି- ୪୦, ଗୁଡାଲ- ୩୮, ଚେଟ୍ଟୀ- ୨୨, ପାଣ୍ଡେ- ୨/୩୮, ବିଷ୍ଟ- ୨/ ୪୫, ପୁନମ ଯାଦବ- ୨/୪୨)।
ଭାରତ ୪୮ ଓଭରରେ ୨୪୮/୫ (ମିଥାଲି -୬୬, ପୁନମ ରାଉତ- ୬୫, ହରମନପ୍ରୀତ- ୩୯*, ଖାକା- ୩/୬୯)।

Share